ଓଡ଼ିଶାଲାଇଭ୍ ବ୍ୟୁରୋ

ପ୍ରଧାନମନ୍ତ୍ରୀ ମୋଦୀ ଓ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ସାକ୍ଷାତ କରିବା ପରେ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି ଜ୍ୟୋତିରାଦିତ୍ୟ ସିନ୍ଧିଆ। ସେ କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କୁ ନିଜର ଇସ୍ତଫା ପତ୍ର ପଠାଇଦେଇଛନ୍ତି। ଫଳରେ ବିଜେପି ଏବେ ମଧ୍ୟପ୍ରଦେଶରେ ସରକାର ଗଠନ କରିବା ଦିଗରେ ଆଉ ପାଦେ ଆଗକୁ ବଢ଼ିଛି।

ମଧ୍ୟପ୍ରଦେଶର ବରିଷ୍ଠ କଂଗ୍ରେସ ନେତା ମଙ୍ଗଳବାର ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ମୋଦୀ ଓ ଶାହଙ୍କୁ ସାକ୍ଷାତ କରିଥିଲେ। ତିନି ନେତାଙ୍କ ମଧ୍ୟରେ ମଧ୍ୟପ୍ରଦେଶରେ ସରକାର ଗଠନକୁ ନେଇ ବେଶ୍ କିଛି ସମୟ ଆଲୋଚନା ହୋଇଥିବା ସୂଚନା ମିଳିଛି। ଏହି ବୈଠକରେ ବିଜେପି ସିନ୍ଧିଆଙ୍କୁ ରାଜ୍ୟସଭାକୁ ପଠାଇବା ସହିତ କ୍ୟାବିନେଟ୍ ମନ୍ତ୍ରୀ ପଦ ଦେବାକୁ ପ୍ରତିଶ୍ରୁତି ଦେଇଥିବା କୁହାଯାଉଛି।ଏହି କାରଣରୁ ସିନ୍ଧିଆ କଂଗ୍ରେସରୁ ଇସ୍ତଫା ଦେଇଥିବା କୁହାଯାଉଛି। ସିନ୍ଧିୟା ଏବେ କଂଗ୍ରେସର ହାତ ଛାଡ଼ି ବିଜେପିରେ ଯୋଗଦେବେ। ଏଥିସହିତ ସିନ୍ଧିୟାଙ୍କ ୨୦ ଜଣ ବିଧାୟକ ମଧ୍ୟ ତାଙ୍କର ଇସ୍ତଫା ଦେବେ ବୋଲି ସୂଚନା ମିଳୁଛି।

ମଧ୍ୟପ୍ରଦେଶରେ ଏବେ ସମୁଦାୟ ୨୩୦ ବିଧାନସଭା ସିଟ୍ ଅଛି। ସେଥିରୁ ୨ଜଣ ବିଧାୟକଙ୍କ ମୃତ୍ୟୁ ଘଟିଛି। ଫଳରେ ଏବେ ମଧ୍ୟପ୍ରଦେଶରେ ମୋଟ୍ ୨୨୮ ବିଧାୟକ ରହିଛନ୍ତି। ତା ମଧ୍ୟରୁ କଂଗ୍ରେସ ପାଖରେ ୧୧୪ ବିଧାୟକ ରହିଥିବାବେଳେ ବିଜେପି ପାଖରେ ୧୦୭ ବିଧାୟକ ରହିଛନ୍ତି। କମଳନାଥଙ୍କ ପାଖରେ ଏବେ ୧୧୪ କଂଗ୍ରେସ ବିଧାୟକଙ୍କ ସମର୍ଥନ ରହିଥିବାବେଳେ, ୪ ଜଣ ସ୍ୱାଧୀନ ଓ ୨ ବିଏସପି ବିଧାୟକଙ୍କ ମଧ୍ୟ ସମର୍ଥନ ରହିଛି। ଫଳରେ ୨୨୮ ସିଟରୁ କଂଗ୍ରେସ ପାଖରେ ୧୨୧ ଓ ବିଜେପି ପାଖରେ ୧୦୭ ବିଧାୟକଙ୍କ ସମର୍ଥନ ରହିଛି।

ଯଦି ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ୨୦ ବିଧାୟକ ଇସ୍ତଫା ଦିଅନ୍ତି ତେବେ କମଳନାଥ ସରକାର ନିଜର ସଂଖ୍ୟାଗରିଷ୍ଠତା ଦେଖେଇବା କଷ୍ଟ ହୋଇଯିବ। ଏପରି ପରିସ୍ଥିତିରେ ବିଜେପିର ଶିବରାଜ ସିଂହ ଚୌହାନ ପୁଣିଥରେ ସରକାର ଗଠନ କରିବା ସହଜ ହୋଇଯିବ।

Comment