ଓଡ଼ିଶାଲାଇଭ୍‌ ପିଲିଟିକାଲ ବ୍ୟୁରୋ

ହୋଲିରେ ମଧ୍ୟପ୍ରଦେଶର କଂଗ୍ରେସ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ ବିଜେପିରେ ମିଶିବା ନେଇ ଜୋରଦାର ଚର୍ଚ୍ଚା ହେଉଛି। ଆଜି ସିନ୍ଧିଆଙ୍କ ମୁଣ୍ଡରେ ଗେରୁଆ ରଙ୍ଗ ଲାଗିପାରେ ବୋଲି କୁହାଯାଉଛି। ସିନ୍ଧିଆ ଆଜି ପ୍ରଧାନମନ୍ତ୍ରୀଙ୍କ ସହ ଦେଖା କରିବା ପରେ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି। ତାଙ୍କ ଇସ୍ତଫା ପରେ ଏବେ ସେ ବିଜେପିରେ ମିଶିବା ନେଇ ଏକ ପ୍ରକାର ଆଶଙ୍କା କରାଯାଉଛି। ମଧ୍ୟପ୍ରଦେଶରେ ଏଭଳି କନ୍ଦଳ ଯୋଗୁଁ ବର୍ତ୍ତମାନ ଟଳମଳ ହେଉଛି କମଲନାଥ ସରକାର।

ମଧ୍ୟପ୍ରଦେଶ ରାଜନୀତିରେ ଘଡ଼ିକେ ଘୋଡ଼ା ଛୁଟୁଛି। କ୍ଷମତା ହାସଲ ପାଇଁ ଚାଲିଛି ଛକାପଞ୍ଝା। ଏହା ମଧ୍ୟରେ ଏବେ କମଲନାଥ ସରକାରକୁ ଲାଗିଛି ବଡ଼ ଝଟକା। ସୋମବାର ୧୭ ଜଣ ବିଧାୟକ ବେଙ୍ଗାଳୁରୁର ଏକ ହୋଟେଲକୁ ଯାଇଥିଲେ। ଏହି ସବୁ ବିଧାୟକ ସିନ୍ଧିଆଙ୍କ ସମର୍ଥକ ବୋଲି କୁହାଯାଉଛି। ଏହାପରେ କମଲନାଥ

ଏହାକୁ ନେଇ କମଲନାଥ ସରକାର ସଙ୍କଟରେ ଥିବା ନେଇ ଚର୍ଚ୍ଚା ଜୋର ଧରିଥିଲା। ପରେ ଆଜି ସିନ୍ଧିଆ ଅମିତ ଶାହଙ୍କ ସହ ଯାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଆଲୋଚନା କରିଥିଲେ। ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନାର ଠିକ୍‌ କିଛି ଘଣ୍ଟା ପରେ କଂଗ୍ରେସରୁ ଇସ୍ତଫା ଦେଇଥିଲେ ସିନ୍ଧିଆ। ସିନ୍ଧିଆଙ୍କ ଇସ୍ତଫା ପରେ ମଧ୍ୟପ୍ରଦେଶ ରାଜନୀତିରେ ହଇଚଇ ସୃଷ୍ଟି ହୋଇଯାଇଛି।

କେବଳ ସିନ୍ଧିଆ ନୁହେଁ କଂଗ୍ରେସର ୧୪ ଜଣ ବିଧାୟକ ମଧ୍ୟ ଦଳରୁ ଇସ୍ତଫା ଦେଇ ସାରିଛନ୍ତି। ଯାହାକି ବର୍ତ୍ତମାନ କମଲନାଥ ସରକାର ପାଇଁ ଏକ ବହୁତ ବଡ଼ କ୍ଷତି ହୋଇପାରେ। ଅନ୍ୟପକ୍ଷରେ ସମୁଦାୟ ୨୦ଜଣ ବିଧାୟକ ବିଜେପି ସପକ୍ଷରେ ଥିବା ଦଳ ଦାବି କରୁଛି। ଯଦି ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ୨୦ ବିଧାୟକ ଇସ୍ତଫା ଦିଅନ୍ତି ତେବେ କମଳନାଥ ସରକାର ନିଜର ସଂଖ୍ୟାଗରିଷ୍ଠତା ଦେଖେଇବା କଷ୍ଟ ହୋଇଯିବ। ଏପରି ପରିସ୍ଥିତିରେ ବିଜେପିର ଶିବରାଜ ସିଂହ ଚୌହାନ ପୁଣିଥରେ ସରକାର ଗଠନ କରିବା ସହଜ ହୋଇଯିବ।

ମଧ୍ୟପ୍ରଦେଶରେ ଏବେ ସମୁଦାୟ ୨୩୦ ବିଧାନସଭା ସିଟ୍ ଅଛି। ସେଥିରୁ ୨ଜଣ ବିଧାୟକଙ୍କ ମୃତ୍ୟୁ ଘଟିଛି। ଫଳରେ ଏବେ ମଧ୍ୟପ୍ରଦେଶରେ ମୋଟ୍ ୨୨୮ ବିଧାୟକ ରହିଛନ୍ତି। ତା ମଧ୍ୟରୁ କଂଗ୍ରେସ ପାଖରେ ୧୧୪ ବିଧାୟକ ରହିଥିବାବେଳେ ବିଜେପି ପାଖରେ ୧୦୭ ବିଧାୟକ ରହିଛନ୍ତି। କମଳନାଥଙ୍କ ପାଖରେ ଏବେ ୧୧୪ କଂଗ୍ରେସ ବିଧାୟକଙ୍କ ସମର୍ଥନ ରହିଥିବାବେଳେ, ୪ ଜଣ ସ୍ୱାଧୀନ, ୨ ବିଏସପି ଓ ଜଣେ ଏସ୍‌ପି ବିଧାୟକଙ୍କ ମଧ୍ୟ ସମର୍ଥନ ରହିଛି। ଫଳରେ ୨୨୮ ସିଟରୁ କଂଗ୍ରେସ ପାଖରେ ୧୨୧ ଓ ବିଜେପି ପାଖରେ ୧୦୭ ବିଧାୟକଙ୍କ ସମର୍ଥନ ରହିଛି।

ଯଦି ୨୦ ଜଣ ବିଧାୟକ ଇସ୍ତଫା ଦେଇଦିଅନ୍ତି। ତାହାଲେ କଂଗ୍ରେସକୁ ମାତ୍ର ୧୦୧ ଜଣ ବିଧାୟକଙ୍କ ସମର୍ଥନ ମିଳିବ। ସରକାର ଚଳାଇବା ପାଇଁ ଯାଦୁ ସଂଖ୍ୟା ୧୦୪ ହେବ। ଏଭଳି ପରିସ୍ଥିତିରେ ବିଜେପି ୧୦୭ ବିଧାୟକଙ୍କ ସହ ସହଜରେ ସରକାର ଗଠନ କରିବାରେ ସକ୍ଷମ ହେବ।

Comment