ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

ମଧ୍ୟପ୍ରଦେଶ ରାଜନୀତିରେ ହଟଚମଟ। କଂଗ୍ରେସ ସହ ୧୮ ବର୍ଷର ସମ୍ପର୍କ କାଟିଲେ ସିନ୍ଧିଆ।

ଗତ ଦୁଇ ଦିନ ହେଲା ଗୋଟିଏ ଖବରକୁ ନେଇ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି। ତାହା ହେଉଛି ଜ୍ୟୋତିରାଦିତ୍ୟ ସିନ୍ଧିଆ କଂଗ୍ରେସ ସହ ୧୮ ବର୍ଷର ସମ୍ପର୍କ କାଟିବା। କଂଗ୍ରେସର ହାତ ଛାଡ଼ି ସିନ୍ଧିଆ ଯେତେବେଳେ ପଦ୍ମ ଧରିଥିଲେ ସାରା ଦେଶର ନଜର ଏହି ଖବର ଉପରେ ଅଟକି ରହିଥିଲା।

ସିନ୍ଧିଆ ମଙ୍ଗଳବାର ଦିନ କଂଗ୍ରେସରୁ ଇସ୍ତଫା ଦେଇଥିଲେ। ବୁଧବାର ଅପରାହ୍‌ଣରେ ନୂଆଦିଲ୍ଲୀସ୍ଥିତ ବିଜେପି ପାର୍ଟି ଅଫିସ୍‌ରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡାଙ୍କ ଉପସ୍ଥିତିରେ ବିଜେପିରେ ସାମିଲ ହୋଇଥିଲେ। ପଦ୍ମ ଧରୁ ଧରୁ ବିଜେପି ତାଙ୍କୁ ରାଜ୍ୟସଭା ଟିକେଟ ଦେଇଛି। କେବଳ ସିନ୍ଧିଆ ଏକାକୀ ନୁହନ୍ତି, ୨୨ ଜଣ ବିଧାୟକ ମଧ୍ୟ କଂଗ୍ରେସ ଛାଡ଼ିଛନ୍ତି। କମଲନାଥ ସରକାର ସଙ୍କଟରେ ପଡ଼ିବା ସହ ମଧ୍ୟପ୍ରଦେଶରେ କଂଗ୍ରେସ ବୁଡ଼ିଗଲା ବୋଲି ଚର୍ଚ୍ଚା ହେଉଛି।

ମଧ୍ୟପ୍ରଦେଶରେ ଗତ ୧୪ ବର୍ଷ ହେଲା ବିଜେପି ଶାସନ ଚାଲିଥିଲା। ମଧ୍ୟପ୍ରଦେଶକୁ ବିଜେପିର ଅଭେଦ୍ୟ ଦୁର୍ଗ କୁହାଯାଉଥିଲା। ବିରୋଧୀ କଂଗ୍ରେସ ଯେତେ ରଣନୀତି ପ୍ରସ୍ତୁତ କଲେ ବି ବିଜେପି ସରକାରକୁ ହଟାଇବା ସମ୍ଭବ ହେଉ ନଥିଲା। ହେଲେ ୨୦୧୮ ନିର୍ବାଚନରେ କଂଗ୍ରେସର ମ୍ୟାଜିକ କାମ କରିଥିଲା।

ସାରା ଦେଶରେ ନରେନ୍ଦ୍ର ମୋଦୀଙ୍କ ହାୱା ବହୁଥିବା ବେଳେ ୨୦୧୮ରେ କିନ୍ତୁ ମଧ୍ୟପ୍ରଦେଶରେ ଫେଲ୍‌ ମାରିଥିଲା। ଦୁଇ ଦୁଇ ଥରର ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କ ସରକାରକୁ ହଟାଇ କଂଗ୍ରେସ କ୍ଷମତାକୁ ଆସିଥିଲା। ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ମଧ୍ୟପ୍ରଦେଶରେ ବିଜେପିର ପତ୍ତନ ମୋଦୀ-ଶାହଙ୍କୁ ବଡ଼ ଝଟ୍‌କା ଦେଇଥିଲା। କଂଗ୍ରେସ କମଲନାଥଙ୍କୁ ମୁଖ୍ୟମନ୍ତ୍ରୀ ଗାଦିରେ ବସାଇଥିଲା।

ମାତ୍ର ବର୍ଷକ ତଳେ ଯେଉଁ କଂଗ୍ରେସ ମଧ୍ୟପ୍ରଦେଶରେ ସଂଖ୍ୟାଗରିଷ୍ଠତା ହାସଲ କରିଥିଲା ସେହି ଦଳ ଏବେ ସରକାରରୁ ହଟିବାକୁ ଯାଉଛି। ୨୨ ଜଣ ବିଧାୟକ କଂଗ୍ରେସ ଛାଡ଼ିଥିବାରୁ ଏଠି ବିଜେପି ପୁଣି ଥରେ ସରକାରକୁ ଫେରିବା ପାଇଁ ଅଣ୍ଟା ଭିଡ଼ିଛି।

ଗାନ୍ଧୀ ପରିବାର ସହ ସିନ୍ଧିଆ ପରିବାରର ସମ୍ପର୍କ ବହୁ ପୁରୁଣା। ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ବାପା ମାଧବରାଓ ସିନ୍ଧିଆଙ୍କ ଅମଳରୁ ଏହି ସମ୍ପର୍କ ମଜଭୁତ ରହିଥିଲା। ରାଜୀବ ଗାନ୍ଧୀଙ୍କ ସହ ମାଧବରାଓଙ୍କ ଘନିଷ୍ଠ ସମ୍ପର୍କ ରହିଥିଲା। ଯେତେବେଳେ କଂଗ୍ରେସରେ ରାହୁଲ ଯୁଗ ଆରମ୍ଭ ହେଲା ସେତେବେଳେ ସେ ଯୁବ ନେତୃତ୍ୱଙ୍କୁ ଖୋଜିଥିଲେ। ଯେଉଁ କେତେଜଣ ଯୁବନେତା ରାହୁଲଙ୍କ ଟିମ୍‌ରେ ଆଗଧାଡ଼ିରେ ରହିଥିଲେ ସେମାନଙ୍କ ଭିତରେ ଜ୍ୟୋତିରାଦିତ୍ୟ ସିନ୍ଧିଆ ଅନ୍ୟତମ ଥିଲେ।

ଜ୍ୟୋତିରାଦିତ୍ୟ ସିନ୍ଧିଆ, ସଚିନ ପାଇଲଟ, ଅଜୟ ମାକେନ୍‌ଙ୍କ ଭଳି ଯୁବ ଚେହେରାଙ୍କୁ ସାଙ୍ଗରେ ଧରି ରାହୁଲ ୨୦୧୪ ନିର୍ବାଚନ ପ୍ରଚାର ମଇଦାନକୁ ଓହ୍ଲାଇଥିଲେ। ହେଲେ କଂଗ୍ରେସ ଫେଲ୍‌ ମାରିଥିଲା। ଏହାପରେ ବି ଅଭିଯାନ ବନ୍ଦ ହୋଇ ନଥିଲା। ତୃଣମୂଳ ସ୍ତରରୁ କଂଗ୍ରେସକୁ ସୁଦୃଢ଼ କରିବା ପାଇଁ ରାହୁଲଙ୍କ ଯୁବ ଟିମ୍‌ କାମ କରି ଚାଲିଥିଲା। ସିନ୍ଧିଆ ମଧ୍ୟ ଏଥିରେ ସାମିଲ ହୋଇ ରାହୁଲଙ୍କ ହାତମୁଠା ଟାଣ କରିବାକୁ ଲାଗିପଡ଼ିଥିଲେ। କିନ୍ତୁ ଏବେ ସେ ସମୟ ନାହିଁ।

୨୦୧୮ରେ ଯେବେଠୁ ମଧ୍ୟପ୍ରଦେଶରେ କମଲନାଥ ମୁଖ୍ୟମନ୍ତ୍ରୀ ହେଲେଣି ସେବଠେୁ ସିନ୍ଧିଆଙ୍କ ମନରେ ଅସନ୍ତୋଷ ରହିଥିବା କୁହାଯାଉଛି। କାରଣ ସିନ୍ଧିଆଙ୍କ ନଜର କୁଆଡ଼େ ମୁଖ୍ୟମନ୍ତ୍ରୀ ଗାଦି ଉପରେ ରହିଥିବା କୁହାଯାଉଥିଲା।

ଏବେ ରାଜ୍ୟସଭା ନିର୍ବାଚନ ପାଇଁ ବିଗୁଲ ବାଜିଛି। ମଧ୍ୟପ୍ରଦୋରେ କଂଗ୍ରେସ ସରକାରରେ ରହିଥିବାରୁ ସିନ୍ଧିଆ ରାଜ୍ୟସଭାକୁ ଯିବା ପାଇଁ ଅପିଲ କରିଥିଲେ। ହେଲେ ହାଇକମାଣ୍ଡ ବରିଷ୍ଠ ନେତା ଦିଗ୍‌ବିଜୟ ସିଂହଙ୍କ ନାଁ ଉପରେ ମୋହର ମାରିବେ ବୋଲି ଚର୍ଚ୍ଚା ହେବାରୁ ସିନ୍ଧିଆ କଂଗ୍ରେସରୁ ଇସ୍ତଫା ଦେଇଥିବା କୁହାଯାଉଛି।

୨୦୧୮ରେ କଂଗ୍ରେସ ମଧ୍ୟପ୍ରଦେଶ, ଛତିଶଗଡ଼, ରାଜସ୍ଥାନରେ ବିଜୟବାନା ଉଡ଼ାଇଥିଲା। ଏହା ମୋଦୀ ସରକାରଙ୍କ ପାଇଁ ବଡ଼ ଚେକ୍‌ ହୋଇଥିଲା। ବିଜେପି ଗଡ଼ରେ ହାତର ବିଜୟ କର୍ମୀମାନଙ୍କୁ ଉତ୍ସାହିତ କରିଥିଲା। ୨୦୧୯ରେ କେନ୍ଦ୍ରରେ କଂଗ୍ରେସ ସରକାର ଗଢ଼ିବ ବୋଲି କର୍ମୀମାନେ ଆଶାବାଦୀ ଥିଲେ। ହେଲେ ୨୦୧୪ ତୁଳନାରେ ୨୦୧୯ରେ ଅଧିକ କ୍ଷତି ସହିଥିଲା କଂଗ୍ରେସ। ୨୦୧୯ ନିର୍ବାଚନର ପରାଜୟ ମନରୁ ନଲିଭୁଣୁ ମଧ୍ୟପ୍ରଦେଶରେ କଂଗ୍ରେସ ପୁଣି ସଙ୍କଟରେ ପଡ଼ିଯାଇଛି। ସିନ୍ଧିଆ କଂଗ୍ରେସକୁ ବୁଡ଼ାଇ ଦେଇ ବିଜେପି ଚାଲିଗଲେ ବୋଲି ଆଲୋଚନା ହେଉଛି।

Comment