ଓଡ଼ିଶାଲାଇଭ୍ ବ୍ୟୁରୋ

ଆଇଆଇଏମ୍‍ସିରେ ଛାତ୍ରୀ ଆରତୀ ବେହେରା ଓ ପ୍ରିୟଙ୍ଗା ଯାଦବଙ୍କୁ ମିଳିଲା ଛାତ୍ରବୃତ୍ତି।

“ବିକାଶ ହେଉଛି ଏକ ବ୍ୟାପକ ଶବ୍ଦ। ଏହା କେବଳ ଆର୍ଥିକ ଅଭିବୃଦ୍ଧି କିମ୍ବା ରାଜନୈତିକ କ୍ଷେତ୍ର ମଧ୍ୟରେ ସୀମିତ ନୁହେଁ। ବର୍ତ୍ତମାନ ବିକାଶର ସଂଜ୍ଞା ନିରୂପଣ କରିବାର ସମୟ ଆସିଛି। କାରଣ ଲୋକଙ୍କ ଚଳଣି ଓ ଜୀବନଶୈଳୀ ବିକାଶକୁ ଖୁବ୍‍ ପ୍ରଭାବିତ କରିଥାଏ। ଏଥିସହ ସାମ୍ବାଦିକମାନଙ୍କ ସହଯୋଗ ବିନା ରାଜ୍ୟ କିମ୍ବା ଦେଶର ବିକାଶ ସମ୍ଭବ ହୋଇ ପାରିବନି”, କହିଛନ୍ତି ବିଶିଷ୍ଟ ସ୍ତମ୍ଭକାର ତଥା ପୁରୀ ସାମନ୍ତ ଚନ୍ଦ୍ରଶେଖର ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ଦାଶ ବେନହୁର।ବୁଧବାର ଭାରତୀୟ ଜନ ସଞ୍ଚାର ସଂସ୍ଥାନ (ଆଇଆଇଏମ୍‍ସି)ରେ ଏକ ବୃତ୍ତି ପ୍ରଦାନ କାର୍ଯ୍ୟକ୍ରମର ଆଯୋଜନ କରାଯାଇଥିଲା। ଏଥିରେ ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିଲେ ଡକ୍ଟର ଦାଶ ବେନହୁର।

ଏହି ଅବସରରେ ସେ କହିଥିଲେ ଯେ,, ବିକାଶ କହିଲେ ଆମେ କେବଳ ସରକାରଙ୍କ ଯୋଜନାକୁ ବୁଝିବା ଆଦୌ ଉଚିତ ନୁହେଁ। ବରଂ ଯୋଜନାଗୁଡ଼ିକ ଲୋକଙ୍କ ହିତରେ ଲାଗୁଛି ନା ନାହିଁ, ସେଥିରେ କି ତ୍ରୁଟି ରହିଛି ତାହା ଜାଣିବା ମଧ୍ୟ ବିକାଶର ଗୋଟିଏ ଗୋଟିଏ ଅଙ୍ଗ। ଏ ଦିଗରେ ସାମ୍ବାଦିକଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ସରକାର ଓ ଲୋକଙ୍କ ମଧ୍ୟରେ ଦ୍ୱି-ପାକ୍ଷିକ ଯୋଗାଯୋଗ ସ୍ଥାପନ କରିବାରେ ସାମ୍ବାଦିକତା ଏକ ମୁଖ୍ୟ ଭୂମିକା ନେଇଥାଏ। ସରକାର ନୁହେଁ ବରଂ ସାମ୍ବାଦିକ ହିଁ ଲୋକଙ୍କ ପାଖକୁ ଯାଇ ସେମାନଙ୍କ ସହ ସିଧାସଳଖ କଥା ହୋଇଥାଏ ବୋଲି ସେ କହିଛନ୍ତି।ଏଥିସହିତ ସେ ଆହୁରି ମଧ୍ୟ କହିଛନ୍ତି,“ସାମ୍ବାଦିକତା ଏକ ବିଜ୍ଞାନ। ଏହା କଳ୍ପନା ନୁହେଁ  ବରଂ ତଥ୍ୟ ଓ ପ୍ରମାଣ ଉପରେ ପର୍ଯ୍ୟବସିତ। ଗଣମାଧ୍ୟମରେ ଖାଲି ଖବର ପରିବେଷଣ କଲେ ହେବନି, ବରଂ ଲୋକଙ୍କ ସମସ୍ୟା କିପରି ଦୂର ହେବ ତାକୁ ଅଧିକ ଗୁରୁତ୍ୱ ଦେବା ଦରକାର। କାରଣ ଏସବୁ ବିକାଶ ସହ ସମ୍ପୂର୍ଣ୍ଣଭାବେ ଜଡ଼ିତ। ଆର୍ଥିକ ସାମାଜିକ ଅଭିବୃଦ୍ଧିରେ ବିକାଶ ଏକ ମୁଖ୍ୟ ଶବ୍ଦଭାବେ ବ୍ୟବହୃତ ହେଉଛି। ରାଜନୈତିକ ଦଳ ହୁଅନ୍ତୁ କି ସରକାର ସମସ୍ତେ ବିକାଶ ଶବ୍ଦକୁ ଅଧିକ ବ୍ୟବହାର କରୁଛନ୍ତି। କିନ୍ତୁ ବାସ୍ତବରେ କ’ଣ ଆମର ବିକାଶ ହେଉଛି କି ନାହିଁ? କେତେ ବିକାଶ ହେଉଛି? ବିକାଶର ପ୍ରକ୍ରିୟା ଉପଯୁକ୍ତ କି ନାହିଁ ଆଦି ବିଷୟରେ ସାମ୍ବାଦିକମାନେ ଆଲୋଚନା କରିବାର ଆବଶ୍ୟକତା ରହିଛି।”ଏହି ଅବସରରେ ଚଳିତ ଶିକ୍ଷାବର୍ଷର ଓଡ଼ିଆ ସାମ୍ବାଦିକତା ପାଠ୍ୟକ୍ରମ ଛାତ୍ରୀ ଆରତି ବେହେରାଙ୍କୁ ରାଧାନାଥ ରଥ ସ୍ମାରକୀ ଛାତ୍ରବୃତ୍ତି ଏବଂ ଇଂରାଜୀ ସାମ୍ବାଦିକତା ପାଠ୍ୟକ୍ରମ ଛାତ୍ରୀ ପ୍ରିୟଙ୍କା ଯାଦବଙ୍କୁ ସତ୍ୟ ମହାପାତ୍ର ସ୍ମାରକୀ ଛାତ୍ରବୃତ୍ତି ପ୍ରଦାନ କରାଯାଇଛି। ବୃତ୍ତି ବାବଦକୁ ଉଭୟଙ୍କୁ ମାନପତ୍ର ଓ ଦଶ ହଜାର ଟଙ୍କା ପ୍ରଦାନ କରାଯାଇଛି।

ଏଥିସହ ପ୍ରଫେସର ମୃଣାଳ ଚାଟାର୍ଜୀ ଓ ସହକାରୀ ପ୍ରଫେସର ସମ୍ବିତ ପାଲଙ୍କ ସମ୍ପାଦନାରେ ଆଇଆଇଏମ୍‍ସି ପକ୍ଷରୁ ପ୍ରକାଶିତ ଇଂରାଜୀ ମନୋଗ୍ରାଫ୍‍ ‘ହାଉ ଟୁ ୱିନ୍‍ ଓଭର ଷ୍ଟ୍ରେସ୍‍ ଆଣ୍ଡ ପିଟିଏସ୍‍ଡି’ ଉନ୍ମୋଚିତ ହୋଇଛି। ମୃଣାଳଙ୍କ ହିନ୍ଦୀ ଅନୂଦିତ ଉପନ୍ୟାସ ‘ଶକ୍ତି’ ମଧ୍ୟ ଏଠାରେ ଉନ୍ମୋଚିତ ହୋଇଛି। ଇତିଶ୍ରୀ ସିଂହ ରାଠୌର ଏହି ଉପନ୍ୟାସଟିକୁ ହିନ୍ଦୀରେ ଅନୁବାଦ କରିଛନ୍ତି।

ବୁଧବାର ଏହି କାର୍ଯ୍ୟକ୍ରମ ଆରମ୍ଭରେ ସଂସ୍ଥାନର ଆଞ୍ଚଳିକ ନିର୍ଦ୍ଦେଶକ ଡ. ମୃଣାଳ ଚାଟାର୍ଜୀ ସ୍ୱାଗତ ଭାଷଣ ପ୍ରଦାନ କରିଥିବାବେଳେ ସହକାରୀ ପ୍ରଫେସର ଡକ୍ଟର ଜ୍ୟୋତି ପ୍ରକାଶ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।

Comment