ଓଡ଼ିଶାଲାଇଭ୍‌ ବ୍ୟୁରୋ

କୋରୋନା ସଙ୍କଟରେ ଆଇପିଏଲ୍‌। କୋରୋନା ଭାଇରସ୍‌ ଯୋଗୁଁ ଘୁଞ୍ଚିପାରେ ଆଇପିଏଲ୍‌। ଦେଶରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ଏନେଇ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି। କୋରୋନାକୁ ରୋକିବାକୁ ସରକାର ଏପ୍ରିଲ ୧୫ ଯାଏଁ ଭାରତକୁ ସମସ୍ତ ଭିସା ରଦ୍ଧ କରିଛନ୍ତି। ଏଥିପାଇଁ ଏବେ ଆଇପିଏଲ୍‌ରେ ବିଦେଶୀ ଖେଳାଳିଙ୍କ ଅଂଶଗ୍ରହଣକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

କୋରୋନାକୁ ନେଇ ବୈଦେଶିକ ମନ୍ତ୍ରାଳୟ ଆୟୋଜକଙ୍କୁ ପରାମର୍ଶ ଦେଇ କହିଛନ୍ତି, “କୋରୋନା ଭାଇରସ୍‌ର ପ୍ରଭାବକୁ ଦୃଷ୍ଟିରେ ରଖି ଆଇପିଏଲ୍‌ ଖେଳାଯିବ ନା ନାହିଁ ଆୟୋଜମାନେ ନିଷ୍ପତ୍ତି ନେବେ। ଏଭଳି ପରିସ୍ଥିତିରେ ଆମେ ଚାହିଁବୁ ଖେଳକୁ କିଛି ଦିନ ପାଇଁ ଘୁଞ୍ଚାଇବାକୁ। ହେଲେ ସେମାନେ ଚାହିଁଲେ ଖେଳାଇ ପାରିବେ।”

ବୈଦେଶିକ ମନ୍ତ୍ରାଳୟର ଏଭଳି ପରାମର୍ଶ ପରେ ଏବେ ଆଇପିଏଲକୁ ନେଇ ଆଶଙ୍କା ସୃଷ୍ଟି ହୋଇଛି। କୋରୋନାକୁ ନେଇ ଶନିବାର ଆଇପିଏଲ୍‌ ଗଭର୍ଣ୍ଣିଂ କାଉନସିଲ୍‌ ବୈଠକ ଆୟୋଜନ କରାଯିବ। ବୈଠକ ପରେ ଆଇପିଏଲ୍‌ ହେବ ନା ନାହିଁ ସ୍ଥିତି ସ୍ପଷ୍ଟ ହୋଇପାରେ। ବର୍ତ୍ତମାନ ଆଇପିଏଲ୍‌ ଘୁଞ୍ଚିବା ନେଇ ଅଧିକ ଆଶଙ୍କା ରହିଛି। ଏନେଇ ଶେଷ ନିଷ୍ପତ୍ତି ଆଇପିଏଲ୍ ଗଭର୍ଣ୍ଣିଂ କାଉନସିଲ୍ ନେବ ବୋଲି କୁହାଯାଉଛି।

ଭାରତରେ ଏବେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ଧିରେ ଧିରେ ବୃଦ୍ଧି ପାଇବାରେ ଲାଗିଛି। ଏଭଳି ସମୟରେ ଆଇପିଏଲ୍ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେଲେ ଏହା ବ୍ୟାପିବାର ସମ୍ଭାବନା ଅଧିକ ବୋଲି କୁହାଯାଉଛି। ଷ୍ଟାଡ଼ିୟମରେ ବହୁ ସଂଖ୍ୟାରେ ଲୋକ ଖେଳଦେଖିବାକୁ ଆସିଲେ କୋରୋନା ଭାଇରସ ସହଜରେ ବ୍ୟାପି ପାରେ। ତେଣୁ ଏହାକୁ ଘୁଞ୍ଚାଇବାକୁ ନେଇ ଆଲୋଚନା ହେଉଛି।

ଏହାପୂର୍ବରୁ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ଆଇପିଏଲ୍ ତାରିଖ ଘୁଞ୍ଚିବ ନାହିଁ ବୋଲି ଘୋଷଣା କରିଥିଲେ। କୋରୋନା ଭାଇରସ କିନ୍ତୁ ଯେଉଁଭଳି ଭାବରେ ବ୍ୟାପିବାରେ ଲାଗିଛି ତାକୁ ଦେଖି ତାରିଖ ଘୁଞ୍ଚାଇବା ଆବଶ୍ୟକ ବୋଲି ମହାରାଷ୍ଟ୍ର ସରକାର ପକ୍ଷରୁ କୁହାଯାଉଛି।

ଏପରି ହେଲେ ଟୁର୍ଣ୍ଣାମେଣ୍ଟ ଏଥର ଫିକା ପଡ଼ିଯିବ। କାରଣ ନିଧାର୍ଯ୍ୟ ସମୟରେ ଖେଳ ନହେଲେ ଅନେକ ଖେଳାଳି ନିଜ ଦେଶକୁ ଫେରିଯିବେ ଏବଂ ଆଇପିଏଲ୍ ଦଳମାନେ ନିଜର ବିଦେଶୀ ଖେଳାଳିଙ୍କୁ ହରାଇବାକୁ ପଡ଼ିପାରେ।

ବର୍ତ୍ତମାନ ଦେଶରେ ୭୩ ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାର ସଂଖ୍ୟା ଆଗକୁ ମଧ୍ୟ ବଢ଼ିପାରେ। ଏନେଇ ଭାରତ ସରକାର ମଧ୍ୟ ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି। ବର୍ତ୍ତମାନ ଆଇପିଏଲ୍‌ ଉପରେ ମଧ୍ୟ କଟକଣା ଲାଗିପାରେ। ଏନେଇ ଏପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନିଆଯାଇନାହିଁ।

Comment