ଓଡ଼ିଶାଲାଇଭ୍‌ ବ୍ୟୁରୋ

କଂଗ୍ରେସ ଛାଡ଼ି ବିଜେପିରେ ଯୋଗ ଦେଇଥିବା ଜ୍ୟୋତିରାଦିତ୍ୟ ସିନ୍ଧିଆ ଆଜି ମଧ୍ୟପ୍ରଦେଶରେ ଶକ୍ତି ପ୍ରଦର୍ଶନ କରିଛନ୍ତି। ନୂଆଦିଲ୍ଲୀରେ ପଦ୍ମ ଧରିବା ପରେ ସିନ୍ଧିଆ ଭୋପାଳ ଏୟାରପୋର୍ଟରେ ପହଞ୍ଚିବା ପରେ ଏକ ବିଶାଳ ରୋଡ ସୋ’ରେ ପାର୍ଟି ଅଫିସ୍‌ ପର୍ଯ୍ୟନ୍ତ ଯାଇଥିଲେ। ବିଜେପି କର୍ମକର୍ତ୍ତା ତାଙ୍କୁ ସ୍ୱାଗତ କରିଥିଲେ। ସିନ୍ଧିଆ ୨୦ କିଲୋମିଟର ରୋଡ୍‌ ସୋ’ କରିଥିଲେ।

ସିନ୍ଧିଆ ରୋଡ୍‌ ସୋ’ କରି ଶକ୍ତି ପ୍ରଦର୍ଶନ କରିଥିବା ବେଳେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ତୀର ମାରିଛନ୍ତି। ସିନ୍ଧିଆ ନିଜ ରାଜନୀତିକ ଭବିଷ୍ୟତକୁ ନେଇ ଭୟରେ ଥିଲେ। ଏହାକୁ ସୁରକ୍ଷିତ ରଖିବା ପାଇଁ ସିନ୍ଧିଆ ଆର୍‌ଏସ୍‌ଏସ୍‌ ବିଚାରଧାରାକୁ ଗ୍ରହଣ କରିଛନ୍ତି।

‘‘ଏହା ହେଉଛି ବିଚାରଧାରାର ଲଢ଼େଇ। ଗୋଟିଏପଟେ କଂଗ୍ରେସର ବିଚାରଧାର ଏବଂ ଅନ୍ୟପଟେ ଆର୍‌ଏସ୍‌ଏସ୍‌-ବିଜେପିର ବିଚାରଧାରା ରହିଛି। ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ବିଚାରଧାରା କ’ଣ ତାହା ମୁଁ ଭଲଭାବେ ଜାଣିଛି। ସେ ନିଜର ରାଜନୀତିକ ଭବିଷ୍ୟତକୁ ନେଇ ସନ୍ଦେହରେ ରହିଥିଲେ। ଏଣୁ ସେ ବିଜେପିକୁ ଚାଲି ଯାଇଛନ୍ତି। ଜ୍ୟୋତିରାଦିତ୍ୟ ସିନ୍ଧିଆ ହେଉଛନ୍ତି ମୋ’ ବନ୍ଧୁ। ମୁଁ ତାଙ୍କୁ ଭଲଭାବେ ଜାଣିଛି। ସେ ନିଜ ବିଚାରଧାରାକୁ ପଛରେ ପକାଇ ଆର୍‌ଏସ୍‌ଏସ୍‌ ବିଚାରଧାରାକୁ ଗ୍ରହଣ କରିନେଲେ। ହେଲେ ସତ କଥା ହେଉଛି ସେଠି ତାଙ୍କୁ ନା ସମ୍ମାନ ମିଳିବ ନା ସୁଯୋଗ ମିଳିବ’’, କହିଛନ୍ତି ରାହୁଲ ଗାନ୍ଧୀ।

ସିନ୍ଧିଆ କଂଗ୍ରେସ ସହିତ ୧୮ ବର୍ଷର ସମ୍ପର୍କ ତୁଟାଇ ବିଜେପିରେ ଯୋଗ ଦେଇଥିଲେ। ନୂଆଦିଲ୍ଲୀରେ ବିଜେପି ପାର୍ଟି ଅଫିସ୍‌ରେ ସେ ପଦ୍ମ ଧରିଥିଲେ।

Comment