ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିଜେପିକୁ ଯାଇଥିବା ଓ ଦଳର ମହାରାଜା ସାଜିଥିବା ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ପାଇଁ ଅସୁବିଧା ବଢିବା ଦେଖାଯାଉଛି। ତାଙ୍କ ବିରୋଧରେ ଆଗରୁ ଥିବା ଏକ ଜମି ଜାଲିଆତି ଫାଇଲକୁ ଖୋଲିବା ପାଇଁ କମଳ ନାଥ ସରକାର ପ୍ରସ୍ତୁତ ହେଉଛନ୍ତି। ଏହା ଏକ ବଡ଼ ଧରଣର ଯାଞ୍ଚ ହେବାକୁ ଯାଉଛି। ମଧ୍ୟପ୍ରଦେଶ ସରକାର ସିନ୍ଧିଆଙ୍କ ବିରୋଧରେ ପୂର୍ବରୁ ଥିବା ଏକ ଅଭିଯୋଗର ତଦନ୍ତ ପାଇଁ ନିର୍ଦ୍ଦେଶ ଦେବେ ବୋଲି ଜଣାପଡ଼ିଛି। ଏହି ଅଭିଯୋଗ ଆଣିଥିବା ଜନୈକ ସୁରେନ୍ଦ୍ର ଶ୍ରୀବାସ୍ତବ ମଧ୍ୟପ୍ରଦେଶର ଆର୍ଥିକ ଅପରାଧ ଶାଖା ନିକଟରେ ସେହି ଜମି ଦୁର୍ନୀତିର ସାନି ତଦନ୍ତ ନିର୍ଦ୍ଦେଶ ଦିଆଯାଉ ବୋଲି ଆବେଦନ କରିଛନ୍ତି।

୨୦୧୪ରେ ସୁରେନ୍ଦ୍ର ଶ୍ରୀବାସ୍ତବ ସିନ୍ଧିଆ ଓ ତାଙ୍କ ସହଯୋଗୀଙ୍କ ଉପରେ ୧୦ ହଜାର କୋଟି ଟଙ୍କାର ଜମି ଦୁର୍ନୀତି ନେଇ ଅଭିଯୋଗ ଆଣିଥିଲେ।ଏହି ମାମଲାରେ ଏକ ତଦନ୍ତ ମଧ୍ୟ ଆରମ୍ଭ ହୋଇଥିଲା।କିନ୍ତୁ ପରେ ଏହି କେସକୁ ବନ୍ଦ କରି ଦିଆଯାଇଥିଲା। ସିନ୍ଧିଆ ବୁଧବାର ଦିନ ବିଜେପିରେ ଯୋଗ ଦେବା ମାତ୍ରେ ପୁରୁଣା ଫାଇଲ ଖୋଲିବା ପାଇଁ ନିଷ୍ପତ୍ତି ନିଆଯାଇଛି ଓ ଆର୍ଥିକ ଅପରାଧ ଶାଖାରେ ସାନି ଯାଂଚର ଆବେଦନ ହୋଇଛି।

ରାଜନୀତି ବିଶେଷଜ୍ଞମାନେ ଏହି ଘଟଣାକୁ ରାଜନୈତିକ ରୂପ ଦେଇଛନ୍ତି।ସିନ୍ଧିଆ ଓ କମଳ ନାଥଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ବିବାଦ ଯୋଗୁଁ ଏଭଳି କରାଯାଇଛି ବୋଲି କେତେକେ କହୁଛନ୍ତି।

Comment