ଓଡ଼ିଶାଲାଇଭ୍‌ ବ୍ୟୁରୋ

କଟକ: ଶିକ୍ଷକଙ୍କଠାରୁ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ କିରାଣି। ଭକ୍ତମଧୁ ବିଦ୍ୟାପୀଠର ସହକାରୀ ଶିକ୍ଷକଙ୍କର ବକେୟା ପ୍ରାପ୍ତ ବିଲ୍ ପ୍ରସ୍ତୁତ କରିବା ବାବଦରେ ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ସେ ଧରାପଡ଼ିଛନ୍ତି। ଅଭିଯୁକ୍ତ କିରାଣିଙ୍କ ନାଁ ନାରାୟଣ ସାହୁ। ଭିଜିଲାନ୍ସ ଟିମ୍ ଅଭିଯୁକ୍ତଙ୍କୁ ଗିରଫ କରିବା ସମୟରେ କେମିକାଲ ବୋଳା ଯାଇଥିବା ୫ ହଜାର ଟଙ୍କା ତାଙ୍କ ହାତରୁ ଜବତ କରିଛି।

ପରେ କଟକ ଭିଜିଲାନ୍ସ କୋର୍ଟରେ ଅଭିଯୁକ୍ତଙ୍କ ଜାମିନ୍ ନାମଞ୍ଜୁର ହୋଇଯିବା ପରେ ତାଙ୍କୁ ଚୌଦ୍ଵାର ଜେଲ୍‌କୁ ପଠାଇ ଦିଆଯାଇଛି। ଶିକ୍ଷକଙ୍କଠାରୁ ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ି ସ୍କୁଲ୍ କିରାଣି ଗିରଫ ହେବା ଘଟଣା କଟକ ଜିଲ୍ଲା ଶିକ୍ଷାଧିକାରୀଙ୍କ ଅଧୀନରେ କାର୍ଯ୍ୟରତ କର୍ମଚାରୀଙ୍କ ମହଲରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।

କଟକ ସହରର ଭକ୍ତ ମଧୁ ବିଦ୍ୟାପୀଠରେ କାର୍ଯ୍ୟରତ ସହକାରୀ ଶିକ୍ଷକ ସୁମନ୍ତ କୁମାର ଧାନିକ୍‌ଙ୍କର ବକେୟା ଅର୍ଥ ୪୩ ହଜାର ଟଙ୍କା ବକେୟା ବିଲ୍ ପ୍ରସ୍ତୁତ ନିମନ୍ତେ ବିଦ୍ୟାଳୟର କିରାଣି ନାରାୟଣ ସାହୁଙ୍କୁ ସେ ବହୁବାର ଅନୁରୋଧ କରିଛନ୍ତି। ଗୋଟିଏ ସ୍କୁଲ୍ ଛାତ ତଳେ ରହି ଏକାଠି କାମ କରୁଥିଲେ ମଧ୍ୟ ଅଭିଯୁକ୍ତ ନାରାୟଣ ସହକାରୀ ଶିକ୍ଷକଙ୍କ କଥାକୁ ଏତେ ଗୁରୁତ୍ୱ ଦେଉନଥିଲେ। ବକେୟା ବିଲ୍ ପ୍ରସ୍ତୁତ ବାବଦରେ ସେ ହାତଗୁଞ୍ଜା ଦାବି କରିଥିଲେ।

ଦାବି ମୁତାବକ ହାତଗୁଞ୍ଜା ଆଗୁଆ ନପାଇବାରୁ ସମ୍ପୃକ୍ତ କିରାଣି ସହକାରୀ ଶିକ୍ଷକଙ୍କର ବିଲ୍ ପ୍ରସ୍ତୁତ ନକରି ତାଙ୍କୁ ଦୀର୍ଘ ଦିନ ହେଲା ନିରାଶ କରି ଚାଲିଥିଲେ ବୋଲି ଭିଜିଲାନ୍ସ ଅଧିକାରୀ ସୂଚନା ଦେଇଛନ୍ତି। ଉକ୍ତ ଘଟଣାରେ ସବୁଆଡୁ ନିରାଶ ହେଲା ପରେ ଲାଞ୍ଚୁଆ କିରାଣିଙ୍କୁ ପାନେ ଚଖେଇବା ପାଇଁ ସହକାରୀ ଶିକ୍ଷକ କିଛି ଦିନ ତଳେ କଟକ ଭିଜିଲାନ୍ସ ଡିଭିଜନ୍‌ର ଦ୍ଵାରସ୍ଥ ହୋଇଥିଲେ।

ଅଭିଯୋଗରେ ସତ୍ୟାସତ୍ୟ ଥିବା ଜଣାପଡ଼ିବା ପରେ ଭିଜିଲାନ୍ସ ଟିମ୍ ଲାଞ୍ଚୁଆ କିରାଣିଙ୍କୁ ଧରିବା ପାଇଁ ଆଜି ଜାଲ ବିଛାଇଥିଲା। ଯୋଜନା ମୁତାବକ ସହକାରୀ ଶିକ୍ଷକ ଆଜି ୫ ହଜାର ଟଙ୍କା ନେଇ ଅଭିଯୁକ୍ତ କିରାଣିଙ୍କୁ ଲାଞ୍ଚ ଦେଇଥିଲେ। ଲାଞ୍ଚ ଟଙ୍କା ନେଇ ନାରାୟଣ ପକେଟ୍‌ରେ ରଖିଥିବା ସମୟରେ ପୂର୍ବରୁ ସେଠାରେ ଛକି ରହିଥିବା ଭିଜିଲାନ୍ସ ଟିମ୍ ତାଙ୍କୁ କାବୁ କରିନେଇଥିଲା। ଉକ୍ତ ଘଟଣାରେ ଭିଜିଲାନ୍ସ ଟିମ୍‌ର ୩ରୁ ଅଧିକ ଟିମ୍ ଭକ୍ତମଧୁ ବିଦ୍ୟାପୀଠ ସମେତ ଅଭିଯୁକ୍ତ ନାରାୟଣଙ୍କ ପୈତୃକ ଘର ଆଦି କେତେକ ସ୍ଥାନରେ ଚଢ଼ଉ ଜାରି ରଖିଛି।

Comment