ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

କରୋନା ପାଇଁ ବିଧାନସଭାକୁ ମାର୍ଚ୍ଚ ୨୯ ଯାଏଁ ବନ୍ଦ ଘୋଷଣା କରିଛନ୍ତି ରାଜ୍ୟ ସରକାର। ହେଲେ ବିଜେପି ଏହାକୁ ଗ୍ରହଣ କରିନାହିଁ। କରୋନା ନୁହେଁ, ୟେସ୍‌ ବ୍ୟାଙ୍କ ପ୍ରସଙ୍ଗକୁ ଏଡାଇବା ପାଇଁ ଶାସକ ଦଳ ଏଭଳି ଚାଲ୍‌ କରିଥିବା ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଛନ୍ତି। ଫଳରେ ଏହାକୁ ନେଇ ରାଜନୀତି ତେଜିଛି।

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ୫୯୨ କୋଟି ଟଙ୍କା ୟେସ୍‌ ବ୍ୟାଙ୍କରେ ରହିଛି।  କାହିଁକି ଶ୍ରୀଜଗନ୍ନାଥଙ୍କ ଟଙ୍କା ୟେସ୍‌ ବ୍ୟାଙ୍କରେ ରଖାଗଲା ତାକୁ ନେଇ ବିଜେପି ସରକାରଙ୍କୁ ଘେରିଥିଲା। ଏଣୁ ଏହି ପ୍ରସଙ୍ଗକୁ ଟାଳିବା ପାଇଁ ସରକାର କରୋନା ଆଳ ଦେଖାଇ ବିଧାନସଭା ବନ୍ଦ କରିଦେଇଥିବା ବିଜେପି ଅଭିଯୋଗ କରିଛି।

‘‘ମାର୍ଚ୍ଚ ୧୯ରେ ସରକାର ଏହି ଟଙ୍କା ୟେସ ବ୍ୟାଙ୍କରୁ ଉଠାଇ ଆଣିବେ ବୋଲି କହିଥିଲେ। ଯଦି ସରକାର ସେହି ତାରିଖରେ ପଇସା ଫେରାଇ ଆଣିପାରି ନଥାନ୍ତେ ତାହେଲେ ବିଧାନସଭାରେ ଅଡୁଆରେ ପଡିଥାନ୍ତେ। ତେଣୁ ତାହା ପୂର୍ବରୁ ଜାଣିଶୁଣି କରି ବିଧାନସଭାକୁ ବନ୍ଦ କରିଦେଲେ। ହେଲେ ଯେତେ ଘଣ୍ଟ ଘୋଡାଇଲେ ବି ସତ ବାହାରିବ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଟଙ୍କା ଲୁଟ କରିବାରେ ଯେଉଁମାନେ ଦୋଷୀ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନହେବା ପର୍ଯ୍ୟନ୍ତ ବିଜେପି ଚୁପ ବସିବ ନାହିଁ’’, କହିଛନ୍ତି ପ୍ରଦୀପ୍ତ ନାଏକ।

ରାଜ୍ୟରେ ଏବେ ସୁଦ୍ଧା କରୋନା ଭାଇରାସରେ କେହି ଆକ୍ରାନ୍ତ ହୋଇନାହାନ୍ତି। ହେଲେ ବିଧାନସଭାକୁ କରୋନା ପାଇଁ ବାତିଲ କରାଯିବା ନେଇ ଶାସକ ଦଳର ପ୍ରସ୍ତାବ ଓ ଏହା ଉପରେ ବାଚସ୍ପତିଙ୍କ ମୋହର ସରକାରଙ୍କର ପଳାୟନପନ୍ଥି ମନୋଭାବକୁ ପ୍ରମାଣିତ କରୁଛି। ବିଧାନସଭା ସହିତ କରୋନା ଭାଇରସର ସମ୍ପର୍କ କ’ଣ ବୁଝାପଡୁନି ବୋଲି ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝି କହିଛନ୍ତି।

‘‘ଏବେ ସଂସଦରେ ବଜେଟ ଅଧିବେସନ ସୁରୁଖୁରୁରେ ଚାଲିଛି। ଦିଲ୍ଲୀ, ତେଲେଙ୍ଗାନା, ଆସାମ, ରାଜସ୍ଥାନ, ପଞ୍ଜାବ, କର୍ଣ୍ଣାଟକ, ବିହାର ଆଦି ରାଜ୍ୟରେ ବିଧାନସଭା ଅଧିବେସନ ବି ଚାଲିଛି। କେଉଁଠି ବି କରୋନା ପାଇଁ ବିଧାନସଭାକୁ ଅଧାରୁ ବନ୍ଦ କରିଦିଆଯିବାର ଖବର ନାହିଁ।    ହେଲେ ଓଡିଶାରେ ସରକାର କଣ ପାଇଁ ବିଧାନସଭାକୁ ବନ୍ଦ କରିଦେଲେ ତାହା ବଡ଼ ପ୍ରଶ୍ନ’’, କହିଛନ୍ତି ମୋନ ମାଝି।

କରୋନା ଚିନ୍ତା କେବଳ ବିଜେଡିକୁ ଘାରିଛି। ଶାସକ ବିଜେଡି ବାଚସ୍ପତିଙ୍କୁ ହାତବାରେସି କରି ବାରମ୍ବାର ବିଧାନସଭାକୁ ମୁଲତବି କରିଚାଲିଛନ୍ତି। ଓଡିଶାର ସବୁ ବିଭାଗର ଟଙ୍କା ପ୍ରାଇଭେଟ ବ୍ୟାଙ୍କରେ ରଖାଯାଇଛି। କେଉଁ ବିଭାଗରେ କେତେ ଅର୍ଥ ରହିଛି ଅର୍ଥମନ୍ତ୍ରୀ ଏକ ଶ୍ୱେତପତ୍ର ମାଧ୍ୟମରେ ତାହା ପ୍ରକାଶ କରନ୍ତୁ’’, ଏହି ଦାବି କରିଛନ୍ତି ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ।

ବିଜେପିର ଏଭଳି ଅଭିଯୋଗକୁ ଖଣ୍ଡନ କରିଛି ବିଜେଡି। ଯୋଜନା ବୋର୍ଡ ଉପାଧ୍ୟକ୍ଷ ତଥା ଦଳର ସାଧାରଣ ସମ୍ପାଦକ ସଞ୍ଜୟ ଦାସବର୍ମା କହିଛନ୍ତି ଯେ, ବିଜେପିର ଅଭିଯୋଗ ଭିତ୍ତିହୀନ। ମୁଖ୍ୟମନ୍ତ୍ରୀ କରୋନାକୁ ରାଜ୍ୟ ବିପର୍ଯ୍ୟୟ ଘୋଷଣା କରିଥିଲେ। କରୋନା ସଚେତନତା ପାଇଁ ବିଧାନସଭା ବନ୍ଦ କରିବାକୁ ପ୍ରସ୍ତାବ ଆସିଥିଲା। ବିଜେପି ଏହାକୁ ନେଇ ରାଜନୀତି କରିବା ଠିକ୍‌ ନୁହେଁ।

Comment