ଓଡ଼ିଶାଲାଇଭ୍ ବ୍ୟୁରୋ
ଗୋଟିଏ ଦିନରେ ଭୁବନେଶ୍ୱର ମହାନଗର ନିଗମର ବକେୟା ହୋଲ୍ଡିଂ ଟ୍ୟାକ୍ସ ଆଦାୟ ୫୦ ଲକ୍ଷ ଟଙ୍କା ଟପିଛି। କିନ୍ନରମାନଙ୍କୁ ନେଇ ଗଠିତ ହୋଇଥିବା ଟିଜି ସ୍ୱୀକୃତି ସ୍ୱୟଂ ସହାୟକ ଗୋଷ୍ଠୀ ଏହି ବକେୟା ଟାକ୍ସ ଆଦାୟ କରିଛନ୍ତି। ବକେୟା ହୋଲ୍ଡିଂ ଟାକ୍ସ ଆଦାୟ ପାଇଁ ସ୍ୱୀକୃତି ସ୍ୱୟଂ ସହାୟକ ଗୋଷ୍ଠୀ ସହ ବିଏମସି ବୁଝାମଣାପତ୍ର ସ୍ୱାକ୍ଷର କରିଥିଲା।
ସ୍ୱୀକୃତି ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟମାନେ ସ୍ୱତନ୍ତ୍ର ୟୁନିଫର୍ମ ପିନ୍ଧି ଫେବ୍ରୁଆରି ୭ରୁ ବକେୟା ଟାକ୍ସ ଆଦାୟ ଆରମ୍ଭ କରିଥିଲେ। ଇତି ମଧ୍ୟରେ ଟିଜି ସ୍ୱୀକୃତି ଗୃପର ସଦସ୍ୟାମାନେ ବିଏମ୍ସିର ଉତ୍ତର ଜୋନ୍, ଦକ୍ଷିଣ ପୂର୍ବ ଏବଂ ଦକ୍ଷିଣ ପଶ୍ଚିମ ଜୋନ୍ର ୱାର୍ଡ ନମ୍ବର-୪, ୮, ୧୬, ୨୨, ୨୮, ୩୦, ୩୧, ୩୩, ୩୫, ୩୬, ୩୭, ୩୮, ୪୦, ୪୧, ୪୨, ୪୩, ୪୫, ୪୬, ୪୯, ୫୩, ୫୫, ୫୬, ୬୨, ୨୪, ୫୮, ୫୯, ୬୧, ୬୭ରେ ଥିବା ୧୨୫ ଜଣ ମାଲିକଙ୍କଠାରୁ ବକେୟା ଟିକସ ଆଦାୟ କରିଥିଲେ। ଏହି ବକେୟା ଟିକସ ଆଜି ସୁଦ୍ଧା ୧ କୋଟି ୫୨ ଲକ୍ଷ ୭ ହଜାର ୯୪୭ ଟଙ୍କାରେ ପହଞ୍ଚିଛି।
ବିଏମ୍ସି କମିସନର ପ୍ରେମଚନ୍ଦ୍ର ଚୌଧୁରୀ କହିଛନ୍ତି, ‘‘ବକେୟା ହୋଲ୍ଡିଂ ଟାକ୍ସ ଆଦାୟ କରିବା ପାଇଁ ଏହି ଭିନ୍ନ ଧରଣର କାର୍ଯ୍ୟକ୍ରମ ଦ୍ୱାରା ଦୁଇଟି ମୁଖ୍ୟ ଉଦ୍ଦେଶ୍ୟ ସାଧନ ହେବ। ପ୍ରଥମଟି ହେଲା, ସାମାଜିକ ସ୍ରୋତରେ କିନ୍ନରମାନଙ୍କୁ ସାମିଲ କରାଇ ସେମାନଙ୍କର ଆର୍ଥିକ ସ୍ଥିତିକୁ ଦୃଢ କରିବା। ଦ୍ୱିତୀୟଟି ହେଲା, ବି.ଏମ୍.ସି. ର ବକେୟା ଟାକ୍ସ ଆଦାୟକୁ ବଢାଇବା। ଫଳରେ ମହାନଗର ନିଗମର ବିକାଶକୁ ତ୍ୱରାନ୍ୱିତ କରାଯାଇ ପାରିବ।’’
















