ଓଡ଼ିଶାଲାଇଭ୍‌ ବ୍ୟୁରୋ

କଟକ: ବଡ଼ ଦୁର୍ଘଟଣାରୁ ବର୍ତ୍ତିଯାଇଛି ଲୋକମାନ୍ୟ ତିଳକ ଏକ୍ସପ୍ରେସ୍। ଇଞ୍ଜିନରୁ ପାସେଞ୍ଜର ବଗି ଅଲଗା ହୋଇ ୫୦୦ ମିଟର ଦୂର ପର୍ଯ୍ୟନ୍ତ ପଳାଇଥିଲା। ଏଭଳି ଅଘଟଣ ଘଟିଛି କଟକ ଜିଲ୍ଲା ଶାଳଗାଁ-ଚୌଦ୍ଵାର ଚାରବାଟିଆ ଷ୍ଟେସନ୍ ପଳାସିଆ ଗାଁ ନିକଟରେ। ପରେ ରେଲଓ୍ଵେ କର୍ମଚାରୀମାନେ ପହଞ୍ଚି ମରାମତି କରିବା ପରେ ଟ୍ରେନ ମୁମ୍ଵାଇ ଅଭିମୁଖେ ବାହାରିଥିଲା।

ଆଜି ସକାଳ ୮ଟା ୨୨ ମିନିଟ୍‌ରେ ନିର୍ଗୁଣ୍ଡି ଷ୍ଟେସନ ଦେଇ ଭୁବନେଶ୍ୱରରୁ-ମୁମ୍ୱାଇ ଯାଉଥିବା ଲୋକମାନ୍ୟ ତିଳକ ଏକ୍ସପ୍ରେସ୍ ଶାଳଗାଁ-ଚୌଦ୍ଵାର ଚାରବାଟିଆ ଷ୍ଟେସନ୍ ପଳାସିଆ ଗାଁ ନିକଟରେ ପହଞ୍ଚିବା ପରେ ହଠାତ୍ ଇଞ୍ଜିନ ସହ ଦୁଇଟି ବଗି ଅଟକି ଯାଇ ପାସେଞ୍ଜର ବଗି ଅଲଗା ହୋଇ ଯାଇଥିଲା। ଟ୍ରେନ୍‌ର ଇଞ୍ଜିନ୍ ଓ ବଗି ମଧ୍ୟରେ ଥିବା ସଂଯୋଗ ସ୍ଥାନରୁ କଳା ଧୂଆଁ ବାହାରି ସଂଯୋଗ ସ୍ଥାନରୁ ହୋସ୍ ପାଇପ ଫାଟି ଯାଇଥିଲା।

ଫଳରେ ଇଞ୍ଜିନ ଓ ବଗି ମଧ୍ୟରେ ଥିବା ଲକ୍ ବାହାରିଯିବାରୁ ଇଞ୍ଜିନ୍ ବଗିକୁ ଛାଡି ୫ଶହ ମିଟର ପର୍ଯ୍ୟନ୍ତ ପଳାଇ ଅଟକିଥିଲା। ହେଲେ ପାସେଞ୍ଜର ବଗିଗୁଡିକ ଲାଇନଚ୍ୟୁତ ନହୋଇ ଲାଇନ ମଧ୍ୟରେ ରହିଯାଇଥିଲା। ଯେଉଁଥିପାଇଁ ନିଶ୍ଚିତ ଏକ ବଡ଼ ଦୁର୍ଘଟଣାରୁ ରକ୍ଷା ପାଇଯାଇଥିଲେ ଯାତ୍ରୀ। ପାସେଞ୍ଜର ବଗିରେ ଥିବା ଯାତ୍ରୀମାନେ କଳା ଧୂଆଁ ଦେଖି ଭାବିଥିଲେ ଟ୍ରେନ୍‌ରେ ନିଆଁ ଲାଗିଯାଇଛି। ହେଲେ ଘଟଣା ଜାଣିବା ପରେ ଯାତ୍ରୀମାନେ ଆଶ୍ୱସ୍ତି ଲାଭ କରିଥିଲେ।

ପୂର୍ବତଟ ରେଳ ଅଧିକାରୀ ଏବଂ ଟେକ୍ନିକାଲ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ମରାମତି କରିବା ପରେ ପ୍ରାୟ ସାଢ଼େ ୯ଟାରେ ଟ୍ରେନ୍ ମୁମ୍ୱାଇ ଅଭିମୁଖେ ଯାତ୍ରା କରିଥିଲା। ରେଳବାଇ କର୍ତ୍ତୃପକ୍ଷଙ୍କ ଖାମଖିଆଲ ମନୋଭାବ ଯୋଗୁଁ ବାରମ୍ବାର ଦୁର୍ଘଟଣା ଘଟୁଥିବା କୁହାଯାଉଛି।

ଜାନୁଆରୀ ୧୬ ତାରିଖରେ କଟକ ନିର୍ଗୁଣ୍ଡି ଷ୍ଟେସନ୍‌ର ୨ଶହ ମିଟର ଦୂରରେ ଛିଡ଼ା ହୋଇଥିବା ମାଲବାହୀ ଟ୍ରେନ୍‌କୁ ମୁମ୍ୱାଇରୁ ଯାତ୍ରୀ ନେଇ ଭୁବନେଶ୍ୱର ଅଭିମୁଖେ ଆସୁଥିବା ଲୋକମାନ୍ୟ ଏକ୍‌ସେପ୍ରେସ ଧକ୍କା ଦେଇଥିଲା। ଯାହାଫଳରେ ୧୩ଟି ବଗି ଲାଇନଚ୍ୟୁତ ହୋଇଥିଲା। ହେଲେ ଆଜି ଲୋକମାନ୍ୟ ତିଳକ ଏକ୍ସପ୍ରେସଟି ଦୁର୍ଘଟଣାରୁ ବର୍ତ୍ତି ଯାଇଛି। ନିର୍ଗୁଣ୍ଡି ଓ ଶାଳଗାଁ ଷ୍ଟେସନ ସଂଯୋଗ ପଥରେ ଏକ ବଡ଼ ବୁଲାଣି ଟ୍ରାକ୍‌ଥିବାରୁ ଟ୍ରେନର ଗତି କମ ଥିବାରୁ ବଗିଗୁଡିକ ଲାଇନଚ୍ୟୁତ୍ ନ ହୋଇ ରହିଯାଇଥିଲା। ଏଥିରେ କାହାର କିଛି କ୍ଷତି ହୋଇନଥିବା ଜଣାଯାଇଛି।

Comment