ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ

ଓଡ଼ିଶାରେ ବର୍ତ୍ତମାନ ସୁଦ୍ଧା ଜଣେ ବ୍ୟକ୍ତିଙ୍କର କରୋନା ରିପୋର୍ଟ ପଜିଟିଭ୍‌ ଆସିଛି। ସେ କ୍ୟାପିଟାଲ ହସ୍ପିଟାଲର ଆଇସୋଲେସନ ୱାର୍ଡରେ ଅଛନ୍ତି। ଏବେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ସୁଧୁରୁଥିବା ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗ୍‌ଚି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।

ଆଜି ସକାଳେ କ୍ୟାପିଟାଲ ହସ୍ପିଟାଲରେ କରୋନା ଆକ୍ରାନ୍ତ ଉପମା, ବିସ୍କୁଟ ଓ ଆଳୁ ମଟର ତରକାରୀ ଖାଇଥିଲେ। ଦିପହରେ ମଧ୍ୟାହ୍ନଭୋଜନରେ ଭାତ, ଡାଲ୍‌ମା, ମିକ୍ସଭେଜ୍‌ ଏବଂ ଦୁଇ ପଟ ରୁଟି ଖାଇଥିଲେ। ସେ ଏବେ ଡାକ୍ତରଙ୍କ ତତ୍ତ୍ୱାବଧାନରେ ରହିବେ।

‘‘ଓଡ଼ିଶାରେ ଜଣେ ମାତ୍ର ବ୍ୟକ୍ତିଙ୍କର କରୋନା ରିପୋର୍ଟ ପଜିଟିଭ ଆସିଛି। ସେ ଏବେ ସୁସ୍ଥ ଅଛନ୍ତି। ଡାକ୍ତରଙ୍କ ତତ୍ତ୍ୱାବଧାନରେ ସେ କିଛିଦିନ ରହିବେ। ସମ୍ପୂର୍ଣ୍ଣ ସୁସ୍ଥ ହେବା ପରେ ସେ ଘରକୁ ଯିବେ’’, କହିଛନ୍ତି ସୁବ୍ରତ ବାଗ୍‌ଚି।

ଓଡ଼ିଶାରେ ବର୍ତ୍ତମାନ ସୁଦ୍ଧା ମୋଟ ୪୭ ଜଣଙ୍କର ନମୁନା ପରୀକ୍ଷା ହୋଇଥିଲା। ସେଥିମଧ୍ୟରୁ ୪୬ ଜଣଙ୍କ ନମୁନା ନେଗେଟିଭ୍‌ ଆସିଥିଲା। ଜଣଙ୍କର ରିପୋର୍ଟ ପଜିଟିଭ୍‌ ଆସିଥିଲା। ଗତକାଲି ୧୨ଟି ନମୁନା ପରୀକ୍ଷା ହୋଇଥିଲା। ସବୁ ରିପୋର୍ଟ ନେଗେଟିଭ୍‌ ଆସିଥିଲା। ଆଜି ୬ଟି ନମୁନା ପରୀକ୍ଷା ହେବାକୁ ଯାଇଛି।

ଗତ ରବିବାର ଦିନ ଇଟାଲୀରୁ ଆସିଥିବା ୩୧ ବର୍ଷୀୟ ଯୁବକ କରୋନା ଆକ୍ରାନ୍ତ ବୋଲି ଜଣାପଡ଼ିଥିଲା। ଏହାପରଠୁ ସେ କ୍ୟାପିଟାଲ ହସ୍ପିଟାଲର ଆଇସୋଲେସନ ୱାର୍ଡରେ ଅଛନ୍ତି। ସେ ୧୨୯ ଜଣଙ୍କ ସଂସ୍ପର୍ଶରେ ଆସିଥିଲେ।

Comment