ଓଡ଼ିଶାଲାଇଭ୍ ବ୍ୟୁରୋ

ମଧ୍ୟପ୍ରଦେଶର ରାଜନୈତିକ ଘଟଣାଚକ୍ରରେ ଶୁକ୍ରବାର ଏକ ବଡ଼ ଟୁଇଷ୍ଟ୍ ନଜର ଆସିଛି। ବିଧାନସଭାରେ ଫ୍ଲୋର୍ ଟେଷ୍ଟ୍ ଦେବା ପୂର୍ବରୁ ମୁଖ୍ୟମନ୍ତ୍ରୀ କମଳନାଥ ନିଜ ପଦରୁ ଇସ୍ତଫା ଦେଇଛନ୍ତି।

ଶୁକ୍ରବାର ସାମ୍ବାଦିକ ସମ୍ମିଳନୀରେ କମଳନାଥ ନିଜର ଇସ୍ତଫା ଦେବା ନେଇ ଘୋଷଣା କରିଛନ୍ତି। ଖୁବଶୀଘ୍ର ସେ ରାଜ୍ୟପାଳ ଲାଲାଜୀ ଟଣ୍ଡନଙ୍କୁ ଭେଟି ନିଜର ଇସ୍ତଫା ପତ୍ର ପ୍ରଦାନ କରିବେ ବୋଲି କହିଛନ୍ତି। ଏଥିସହିତ କମଳନାଥ ସାମ୍ବାଦିକ ସମ୍ମିଳନୀରେ ବିଜେପି ଉପରେ ବର୍ଷିଥିବା ନଜର ଆସିଛି।

ସେ କହିଛନ୍ତି ଯେ, ତାଙ୍କର ସରକାର ସବୁବେଳେ ସାଧାରଣ ଲୋକଙ୍କ କଥା ବୁଝୁଥିଲା। ହେଲେ ବିଜେପି ସବୁବେଳେ ରାଜ୍ୟରେ ସରକାରକୁ ଅସ୍ଥିର ରଖିବାକୁ ଚେଷ୍ଟା ଚଳାଇଆସୁଥିଲା। ବର୍ତ୍ତମାନ ବିଜେପି ୨୨ଜଣ କଂଗ୍ରେସ ବିଧାୟକଙ୍କୁ ବନ୍ଦୀ କରି ରଖିଛି। ରାଜ୍ୟର ସାଧାରଣ ଜନତା କଦାପି ବିଜେପିକୁ କ୍ଷମା କରିବେନି ବୋଲି କମଳନାଥ କହିଛନ୍ତି।ଗୁରୁବାର ସୁପ୍ରିମକୋର୍ଟ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କୁ ତୁରନ୍ତ ଫ୍ଲୋର୍ ଟେଷ୍ଟ୍ କରାଇବା ନେଇ ନିର୍ଦ୍ଦେଶ ଦେଇଥିଲେ। ଯାହା କମଳନାଥଙ୍କ ପାଇଁ ଏକ ବଡ଼ ଝଟକା ଥିଲା। କମଳନାଥଙ୍କ ପାଖରେ ବହୁମତ ପ୍ରମାଣ କରିବାକୁ ଆବଶ୍ୟକ ସଂଖ୍ୟକ ବିଧାୟକ ରହିନଥିବା କାରଣରୁ ସେ ଆଜି ଇସ୍ତଫା ଦେଇଛନ୍ତି।

କଂଗ୍ରେସ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ କଂଗ୍ରେସ ହାତ ଛାଡ଼ି ବିଜେପିରେ ସାମିଲ ହେବା ପରେ ତାଙ୍କର ସମର୍ଥନରେ ଥିବା ୨୨ଜଣ ବିଧାୟକ ନିଜର ଇସ୍ତଫା ଦେଇଦେଇଥିଲେ। ଏହାପରେ ମଧ୍ୟପ୍ରଦେଶରେ କମଳନାଥଙ୍କ ସରକାର ନିଜର ସଂଖ୍ୟା ଗରିଷ୍ଠତା ହରାଇ ବସିଥିଲା। ୨୨ ବିଧାୟକଙ୍କ ଇସ୍ତଫା ପରେ ଏବେ ମଧ୍ୟପ୍ରଦେଶରେ ସରକାର ଗଠନ ପାଇଁ ୧୦୪ ବିଧାୟକଙ୍କ ସମର୍ଥନ ଆବଶ୍ୟକ ହେଉଛି। ହେଲେ କଂଗ୍ରେସ ପାଖରେ ୯୨ ବିଧାୟକ ରହିଥିବାବେଳେ ବିଜେପି ପାଖରେ ୧୦୭ ବିଧାୟକଙ୍କ ସମର୍ଥନ ରହିଛି। ତେଣୁ ମଧ୍ୟପ୍ରଦେଶରେ କଂଗ୍ରେସକୁ ମାତ୍ ଦେଇ ପୁଣି ବିଜେପି ଶାସନକୁ ଫେରିବା ଏକପ୍ରକାର ସ୍ଥିର ହୋଇଯାଇଛି।

Comment