ଓଡ଼ିଶାଲାଇଭ୍ ବ୍ୟୁରୋ

ମଧ୍ୟପ୍ରଦେଶ ରାଜନୀତିରେ ଘଡ଼ିକେ ଘୋଡ଼ା ଛୁଟୁଛି। ଗୁରୁବାର ସୁପ୍ରିମକୋର୍ଟ ମୁଖ୍ୟମନ୍ତ୍ରୀ କମଳନାଥଙ୍କୁ ଫ୍ଲୋର୍ ଟେଷ୍ଟ୍ କରାଇବା ପାଇଁ ନିର୍ଦ୍ଦେଶ ଦେବା ପରେ ଶୁକ୍ରବାର ସେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ ବୋଲି ସୂଚନା ମିଳିଛି।

ମଧ୍ୟପ୍ରଦେଶରେ ଆଜି ଦିନ ଦିନ ୧୧ଟାରେ କଂଗ୍ରେସ ବିଧାୟକ ଦଳର ବୈଠକ ବସିବ। ଏହାପରେ ଦିନ ୧୨ଟାରେ କମଳନାଥ ସାମ୍ବାଦିକ ସମ୍ମିଳନୀରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏହି ସାମ୍ବାଦିକ ସମ୍ମିଳନୀରେ ସେ ନିଜର ଇସ୍ତଫା ଦେବେ ବୋଲି ସୂଚନା ମିଳିଛି।ଗତକାଲି ସୁପ୍ରିମକୋର୍ଟରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କୁ ବଡ଼ ଝଟକା ଲାଗିଥିଲା। ସୁପ୍ରିମକୋର୍ଟ ଶୁକ୍ରବାର ସନ୍ଧ୍ୟା ୫ଟା ସୁଦ୍ଧା ମଧ୍ୟପ୍ରଦେଶ ବିଧାନସଭାରେ ଫ୍ଲୋର୍ ଟେଷ୍ଟ କରାଇବାକୁ ନିର୍ଦ୍ଦେଶ ଦେଇଥିଲେ। ଯାହା କମଳନାଥଙ୍କ ପାଇଁ ଚିନ୍ତାର କାରଣ ପାଲଟିଥିଲା।

ବିଧାନସଭାରେ ନିଜର ବହୁମତ ପ୍ରମାଣ କରିବା ପାଇଁ ବର୍ତ୍ତମାନ କମଳନାଥଙ୍କ ପାଖରେ ଆବଶ୍ୟକ ସଂଖ୍ୟକ ବିଧାୟକ ନାହାନ୍ତି। କଂଗ୍ରେସ ୨୨ ଜଣ ବିଧାୟକ ନିଜର ଇସ୍ତଫା ଦେବା ପରେ ଏବେ ଗୃହରେ ସରକାର ଗଠନ ପାଇଁ ମ୍ୟାଜିକ୍ ନମ୍ବର ୧୦୪କୁ ଖସିଆସିଛି। ଏଭଳି ପରିସ୍ଥିତିରେ କଂଗ୍ରେସ ପାଖରେ ମାତ୍ର ୯୨ ଜଣ ବିଧାୟକ ରହିଛନ୍ତି। ବିଜେପି ପାଖରେ କିନ୍ତୁ ୧୦୭ ବିଧାୟକଙ୍କ ସମର୍ଥନ ରହିଛି। ତେଣୁ ବିଜେପି ମଧ୍ୟପ୍ରଦେଶରେ ପୁଣି ସରକାର ଗଠନ କରିବ ବୋଲି କୁହାଯାଉଛି।

Comment