ଓଡ଼ିଶାଲାଇଭ୍ ବ୍ୟୁରୋ

ମଧ୍ୟପ୍ରଦେଶ ରାଜନୀତିରେ ଶନିବାର ପୁଣି ଏକ ଟୁଇଷ୍ଟ୍ ନଜର ଆସିଛି। କଂଗ୍ରେସର ଯେଉଁ ୨୨ ଜଣ ବିଧାୟକ ଇସ୍ତଫା ଦେବା କାରଣରୁ କମଳନାଥ ସରକାରର ପତନ ହୋଇଥିଲା, ସେହି ବିଧାୟକମାନେ ଶନିବାର ବିଜେପିରେ ସାମିଲ ହୋଇଛନ୍ତି।

ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଓ ଜ୍ୟୋତିରାଦିତ୍ୟ ସିନ୍ଧିଆ ଶନିବାର ଏହି କଂଗ୍ରେସ ବିଧାୟକମାନଙ୍କୁ ବିଜେପିର ସଦସ୍ୟତା ପ୍ରଦାନ କରିଛନ୍ତି।ଅନ୍ୟପଟେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଳନାଥ ନିଜର ଇସ୍ତଫା ଦେବା ପରେ ଏବେ ରାଜ୍ୟରେ ସରକାର ଗଠନ କରିବାକୁ ଅଣ୍ଟଭିଡ଼ିଛି ବିଜେପି। ଖୁବଶୀଘ୍ର ବିଜେପିର ବିଧାୟକ ଦଳର ବୈଠକ ବସିବ। ଏହି ବୈଠକରେ ବିଜେପି ନେତା ଶିବରାଜ ସିଂହ ଚୌହାନଙ୍କୁ ଦଳର ନେତା ଚୟନ କରାଯିବ। ଏହାପରେ ସେ ରାଜ୍ୟପାଳଙ୍କ ପାଖରେ ସରକାର ଗଠନ ପାଇଁ ଦାବି କରିବେ ବୋଲି ସୂଚନା ମିଳିଛି।

ଏଥିସହିତ କଂଗ୍ରେସ ବିଧାୟକଙ୍କ ଇସ୍ତଫା ପରେ ଖାଲିପଡ଼ିଥିବା ଆସନରେ ଉପ ନିର୍ବାଚନ ହେବ ବୋଲି ସୂଚନା ମିଳିଛି। ଏହି ନିର୍ବାଚନରେ ବିଜେପି ଏହି ପୂର୍ବତନ କଂଗ୍ରେସ ବିଧାୟକଙ୍କୁ ନିଜ ଦଳରୁ ଟିକେଟ୍ ଦେବ ବୋଲି ସ୍ଥିର କରିଛି।ମଧ୍ୟପ୍ରଦେଶର ଯୁବ କଂଗ୍ରେସ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ ଦଳ ଛାଡ଼ି ବିଜେପିରେ ଯୋଗଦେଇଥିଲେ। ଏହାପରେ ତାଙ୍କ ସମର୍ଥିତ ୨୨ ବିଧାୟକ ମଧ୍ୟ ଦଳ ଓ ତାଙ୍କ ପଦରୁ ଇସ୍ତଫା ଦେଇଥିଲେ। ଫଳରେ ମଧ୍ୟପ୍ରଦେଶରେ ଶାସନରେ ଥିବା କମଳନାଥଙ୍କ ସରକାର ନିଜର ସଂଖ୍ୟା ଗରିଷ୍ଠତା ହରାଇ ବସିଥିଲା।

ବର୍ତ୍ତମାନ ମଧ୍ୟପ୍ରଦେଶରେ ସରକାର ଗଠନ କରିବା ପାଇଁ କୌଣସି ଦଳକୁ ୧୦୪ ବିଧାୟକଙ୍କ ସମର୍ଥନ ଆବଶ୍ୟକ ହେଉଛି। ଏଭଳି ପରିସ୍ଥିତିରେ କଂଗ୍ରେସ ପାଖରେ ମାତ୍ର ୯୨ ବିଧାୟକ ରହିଛନ୍ତି। ବିଜେପି ପାଖରେ କିନ୍ତୁ ୧୦୬ ବିଧାୟକଙ୍କ ସମର୍ଥନ ରହିଛି। ତେଣୁ ବିଜେପି ମଧ୍ୟପ୍ରଦେଶରେ ପୁଣିଥରେ ଶାସନକୁ ଫେରିବ ବୋଲି କୁହାଯାଉଛି।

Comment