ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ

‘ଜନତା କର୍ଫ୍ୟୁ’କୁ ଆଜି ସାରା ଦେଶରେ ଅଭୁତପୂର୍ବ ସମର୍ଥନ ମିଳିଛି। ଓଡ଼ିଶା ମଧ୍ୟ ଏଥିରେ ସାମିଲ ହୋଇଛି।

କରୋନା ଲଢ଼େଇରେ ସାମିଲ ହୋଇଛି ସାରା ଦେଶ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ଜନତା କର୍ଫ୍ୟୁ’କୁ ଆଜି ସମସ୍ତେ ମାନିଛନ୍ତି। ସମସ୍ତେ ଘରେ ରହି ସାମାଜିକ ଦୂରତା ରକ୍ଷା କରିଛନ୍ତି। ଓଡ଼ିଶା ମଧ୍ୟ ଏଥିରେ ସାମିଲ ହୋଇଛି। ଲକ୍‌ଡାଉନ୍‌ ଘୋଷଣା ହୋଇଥିବା ୫ଟି ଜିଲ୍ଲା ଏବଂ ୮ ସହରରେ ଜୋରଦାର ପ୍ରଭାବ ପଡ଼ିଛି।

ବ୍ରହ୍ମପୁରରୁ ବାଲେଶ୍ୱର, ବାରପିଦାରୁ ଭୁବନେଶ୍ୱର। ସବୁଠି ଜନତା କର୍ଫ୍ୟୁକୁ ମିଳିଛି ସମର୍ଥନ। ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଥିଲେ ରବିବାର ସକାଳ ୭ଟାରୁ ରାତି ୯ଟା ଯାଏଁ କେହି ଘରୁ ବାହାରିବା ନାହିଁ। ଏହାକୁ ଅକ୍ଷରେ ଅକ୍ଷରେ ପାଳନ କରିଛନ୍ତି ଲୋକେ। ଘରେ ରହି ଜନ କର୍ଫ୍ୟୁକୁ ସମ୍ମାନ ଜଣାଇଥିଲେ।

ରାଜଧାନୀ ଭୁବନେଶ୍ୱର ସମେତ କଟକ, ଯାଜପୁର, ଭଦ୍ରକ, ପୁରୀ, ଅନୁଗୁଳି, କେନ୍ଦ୍ରାପଡ଼ା, ଜଗତସିଂହପୁର ଆଦି ଜିଲ୍ଲାରେ ଜନ କର୍ଫ୍ୟୁର ପ୍ରଭାବ ଦେଖିବାକୁ ମିଳିଥିଲା। ଦୋକାନ ବଜାର ବନ୍ଦ ରହିଥିଲା। ରାସ୍ତା ଘାଟ ଶୂନ୍‌ଶାନ୍‌ ହୋଇଯାଇଥିଲା।

ଲୋକଙ୍କ ଗହଳ ଚହଳରେ ପାଟି ପଡୁଥିବା ରାଜଧାନୀ ଭୁବନେଶ୍ୱରର ଚିତ୍ର ଆଜି ଭିନ୍ନ ଥିଲା। ଜନତା କର୍ଫ୍ୟୁ ପ୍ରଭାବରେ ଲୋକେ ବାହାରକୁ ବାହାରି ନଥିଲେ। ଗାଡ଼ି ଚଳାଚଳ ବି ଠପ୍‌ ହୋଇଯାଇଥିଲା। କେଉଁଠି ଗୋଟିଏ ଅଟୋ ବି ଦେଖିବାକୁ ମିଳି ନଥିଲା। ପ୍ରମୁଖ ଛକମାନଙ୍କରେ ପୋଲିସ ମୁତୟନ ହୋଇଥିଲେ।

ଯିଏ ବି ଗାଡ଼ି ଧରି ଆସୁଥିଲେ ସେମାନଙ୍କୁ ପୋଲିସ ଅଟକାଉଥିଲା। କୁଆଡ଼େ ଯାଉଛ ବୋଲି ପ୍ରଶ୍ନ କରିଥିଲା। ଜରୁରୀ କାମ ଥିଲେ ଛାଡୁଥିଲା, ନହେଲେ ଘରକୁ ଫେରାଇ ଦେଉଥିଲେ ପୋଲିସ କର୍ମଚାରୀ।

ଭୁବନେଶ୍ୱରର ମାଷ୍ଟର କ୍ୟାଣ୍ଟିନ, ଜୟଦେବ ବିାହାର ଛକ, ନାଲ୍‌କୋ ଛକ, ଏଜି ଛକ ଆଦି ରାସ୍ତା ଖାଁ ଖାଁ ଲାଗୁଥିଲା। ବିଭିନ୍ନ ପାର୍କରେ ତାଲା ଝୁଲୁଥିବା ବେଳେ ମାର୍କେଟ ବିଲ୍ଡିଂ ଏବଂ ବିଭିନ୍ନ ସପିଂ ମଲ୍‌ ବି ଖୋଲି ନଥିଲା।

ଏପଟେ ରେଳ ଷ୍ଟେସନ ଏବଂ ବରମୁଣ୍ଡା ବସ୍‌ଷ୍ଟାଣ୍ଡରେ ଯେଉଁ ଯାତ୍ରୀମାନେ ଥିଲେ ସେମାନେ ନାହିଁ ନଥିବା ଅସୁବିଧା ଭୋଗିଥିଲେ। ଟ୍ରେନ୍‌ ବାତିଲ ହୋଇଥିବାରୁ ଯାତ୍ରୀମାନେ ପ୍ଲାଟଫର୍ମରେ ଶୋଇ ରହିଥିଲେ। ନା ସେମାନେ ଘରକୁ ଫେରିପାରିଥିଲେ ନା ନିଜ ଗନ୍ତବ୍ୟ ସ୍ଥଳକୁ ଯାଇପାରିଥିଲେ? ବସ୍‌ଷ୍ଟାଣ୍ଡରେ ବି ସମାନ ଅବସ୍ଥା। ବସ୍‌ ନଥିବାରୁ ଯାତ୍ରୀ ହୀନସ୍ତା ହୋଇଥିଲେ।

କଟକରେ ମଧ୍ୟ ସମାନ ଚିତ୍ର ଦେଖିବାକୁ ମିଳିଛି। ବାଦାମବାଡି ବସ୍‌ଷ୍ଟାଣ୍ଡ ଏବଂ ଷ୍ଟେସନରେ ଯାତ୍ରୀ ଅଖିଆ ଅପିଆ ରହିଥିଲେ। ଦୋକାନ ବଜାର ବନ୍ଦ ଥିବାରୁ ଯାତ୍ରୀମାନେ ହଇରାଣ ହୋଇଥିଲେ।

ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନକ୍ରମେ ଜରୁରୀସେବାରେ ନିୟୋଜିତ କର୍ମଚାରୀଙ୍କୁ ଉତ୍ସାହିତ କରିବା ପାଇଁ ଜନସାଧାରଣ ତାଳି, ଥାଳି, ଘଣ୍ଟ ଓ ଘଣ୍ଟି ବଜାଇଥିଲେ। ଏଥିରେ ଓଡ଼ିଶାର ଜନସାଧାରଣ ମଧ୍ୟ ସାମିଲ ହୋଇଥିଲେ। ସନ୍ଧ୍ୟା ୫ଟା ବାଜିବା କ୍ଷଣି ଲୋକମାନେ ଘରର ଛାତ ଏବଂ ବାଲ୍‌କୋନିକୁ ଆସିଥିଲେ। କିଏ ତାଳି ମାରିଥିଲା ତ ଆଉ କିଏ ଶଙ୍ଖ ଫୁଙ୍କିଥିଲା। ପୁଣି କିଏ ଘଣ୍ଟ ଓ ଘଣ୍ଟି ବଜାଇ ସମର୍ଥନ କରିଥିଲା।

ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବି ସାମିଲ ହୋଇଥିଲେ। ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ଥାଳି ବଜାଇଥିଲେ। ସେହିପରି ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ, ୫ଟି ସଚିବ ଭି କେ ପାଣ୍ଡିଆନ୍‌, ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗ୍‌ଚି ମଧ୍ୟ ତାଳି ମାରିଥିଲେ।

ରାଜ୍ୟ ସରକାର ଘୋଷଣା କରିଥିବା ଲକ୍‌ଡାଉନ୍‌ ମାର୍ଚ୍ଚ ୨୯ ଯାଏଁ ଚାଲିବ। ୫ଟି ଜିଲ୍ଲା ଏବଂ ୮ଟି ସହରରେ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି।

ଦିନ ଯେତିକି ଗଡୁଛି ପରିସ୍ଥିତି ସେତିକି ବିଗୁଡୁଛି। କରୋନା ଭାଇରସ୍‌ ଦେଶରୁ ଦେଶକୁ ବ୍ୟାପୁଛି। ୧୮୮ ଦେଶରେ କରୋନା ପହଞ୍ଚିଥିବା ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗ୍‌ଚି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

ଗତ ଶନିବାର କରୋନା ଆକ୍ରାନ୍ତଙ୍କ ସଂଖ୍ୟା ସାରା ବିଶ୍ୱରେ ୨ ଲକ୍ଷ ୭୯ ହଜାର ୩୨୦ ଥିବା ବେଳେ ରବିବାର ଅପରାହ୍‌ଣ ସୁଦ୍ଧା ୩ ଲକ୍ଷ ୮ ହଜାର ୫୬୪ରେ ପହଞ୍ଚିଛି। ସେହିପରି ଟପ୍‌ ୫ ଦେଶ ଭିତରେ ଚୀନ୍‌, ଇଟାଲୀ, ଯୁକ୍ତରାଷ୍ଟ୍ର ଆମେରିକା, ସ୍ପେନ୍‌, ଜର୍ମାନୀ ରହିଛନ୍ତି।

ଭାରତରେ ଗତକାଲି ଆକ୍ରାନ୍ତଙ୍କ ସଂଖ୍ୟା ୨୭୫ ଥିବା ବେଳେ ଆଜି ତାହା ୩୩୨ରେ ପହଞ୍ଚିଛି। ଭାରତରେ ମୃତ୍ୟୁ ସଂଖ୍ୟା ୫ ରହିଛି। ଓଡ଼ିଶାରେ ଏବେ ୨ ଜଣ କରୋନା ପଜିଟିଭି ଅଛନ୍ତି। ଜଣେ କ୍ୟାପିଟାଲ ହସ୍ପିଟାଲ ଏବଂ ଆଉ ଜଣେ ଏମ୍‌ସର ଆଇସୋଲେସନ ୱାର୍ଡରେ ଅଛନ୍ତି। ବିଭିନ୍ନ ମେଡିକାଲରେ ୨୮ ଜଣ ଆଇସୋଲେସନରେ ଅଛନ୍ତି।

Comment