ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟ ସରକାର କରୋନା ମୁକାବିଲା ପାଇଁ ରାଜ୍ୟର ବିଭିନ୍ନ ଜିଲ୍ଲାକୁ ଲକଡାଉନ୍ ଘୋଷଣା କରିଛନ୍ତି। ଏହାର ପ୍ରଭାବ ସୋମବାର କେନ୍ଦ୍ରାପଡ଼ା ଜିଲ୍ଲା ଉପରେ ପଡ଼ିଥିବା ନଜର ଆସିଛି। ସୋମବାର ଲକଡାଉନର ଦ୍ୱିତୀୟ ଦିନରେ ପୂରା ଜିଲ୍ଲା ଖାଁ ଖାଁ ହୋଇପଡ଼ିଛି।

ଅନ୍ୟପଟରେ ଲୋକମାନେ କିଭଳି ସେମାନଙ୍କର ଅତ୍ୟାବଶ୍ୟକ ଜିନିଷପତ୍ର ପାଇପାରିବେ ସେନେଇ ଜିଲ୍ଲାର ସମସ୍ତ ବ୍ୟବସାୟୀମାନଙ୍କ ଏକ ବୈଠକ ଡାକିଛନ୍ତି ଜିଲ୍ଲାପାଳ ସମର୍ଥ ବର୍ମା। ଲୋକମାନେ କିଭଳି ନିତ୍ୟବ୍ୟବହାର୍ଯ୍ୟ ଜିନିଷ ଠିକ୍ ଭାବେ ପାଇପାରିବେ ସେନେଇ ଜିଲ୍ଲାପାଳ ବ୍ୟବସାୟୀଙ୍କ ସହ ଆଲୋଚନା କରିଛନ୍ତି।

ଲକଡାଉନ ସମୟରେ କେନ୍ଦ୍ରାପଡ଼ା ଜିଲ୍ଲାରେ ସୋମବାର କେବଳ ଔଷଧ ଦୋକାନ, ତେଜରାତି ଦୋକାନ, ପରିବା ଦୋକାନ, ମାଛ ମାଂସ ଓ ଅଣ୍ଡା ଦୋକାନ, ପେଟ୍ରୋଲ ପମ୍ପ ଭଳି ନିତ୍ୟବ୍ୟବହାର୍ଯ୍ୟ ଦୋକାନ ଖୋଲା ରହିଥିଲା। ରାସ୍ତା ଘାଟରେ ଯେଭଳି ଭିଡ଼ ନହୁଏ ସେନେଇ ପୋଲିସ୍ ଲୋକମାନଙ୍କୁ ବାହାରକୁ ଆସିବାକୁ ବାରଣ କରୁଥିବା ଦେଖିବାକୁ ମିଳିଛି। ଯେଉଁମାନେ ବାହାରକୁ ଚାଲିଆସିଥିଲେ ପୋଲିସ୍ ସେମାନଙ୍କୁ ସଚେତନ କରିଛି। ସେହିଭଳି କେତେକ ସ୍ଥାନରେ ପୋଲିସ୍ ବାରିକେଡ୍ ମଧ୍ୟ ଲଗାଇ ଗାଡ଼ି ମୋଟର ଚଳାଚଳକୁ ନିୟନ୍ତ୍ରଣ କରିଛି।

ଅନ୍ୟପଟେ ଜିଲ୍ଲାରେ ଲକଡାଉନ୍ ସ୍ଥିତି ଆପାତତଃ ଠିକ ରହିଛି ବୋଲି ଜିଲ୍ଲାପାଳ ସମର୍ଥ ବର୍ମା ସୂଚନା ଦେଇଛନ୍ତି। ସୋମବାର ଜିଲ୍ଲାପାଳ ପଟ୍ଟାମୁଣ୍ଡାଇ ସହରରେ ଲକଡାଉନର ସମୀକ୍ଷା କରିବା ସହିତ ପଟ୍ଟାମୁଣ୍ଡାଇ ଉପଖଣ୍ଡ ସ୍ୱାସ୍ଥ୍ୟ ବିଭାଗରେ ଖୋଲା ଯାଇଥିବା ଆଇସୋଲେସନ ୱାର୍ଡର ସମୀକ୍ଷା କରିଛନ୍ତି।

Comment