ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ

  • ସକାଳ ୬ ରୁ ୨ଟା ଖୁଚୁରା ବେପାର
  • ଦିନ ୧୨ଟା ପର ଠାରୁ ହୋଲସେଲ୍‌

କଟକ: କରୋନା ପାଇଁ ଏଥର ଦୁଇଟି ପର୍ଯ୍ୟାୟରେ ଖୋଲିବ କଟକ ମାଲଗୋଦାମ। ସକାଳ ୬ଟାରୁ ୨ଟା ଖୁଚୁରା ବେପାର ଓ ଦିନ ୧୨ଟା ପରଠାରୁ ହୋଲସେଲ୍‌ ଦୋକାନ ଖୋଲିବ ବୋଲି ନିଷ୍ପତ୍ତି ହୋଇଛି। ଏନେଇ ଆଜି ମାଲଗୋଦାମ ବ୍ୟବସାୟୀ ଏବଂ ଜିଲ୍ଲା ପ୍ରଶାସନ ମଧ୍ୟରେ ଆଲୋଚନା ହୋଇଛି। ଅଧିକ ସମୟ ବ୍ୟବସାୟ କରିବାକୁ ବ୍ୟବସାୟୀଙ୍କୁ ସୁଯୋଗ ଦିଆଯାଇଛି। ଅନ୍ୟପକ୍ଷରେ ମାଲଗୋଦାମରେ ମହଜୁଦ୍‌ ଥିବା ଷ୍ଟକ୍ ଆହୁରି ମାସେ ଟାଣିବ ବୋଲି କଟକ ଜିଲ୍ଲା ବଣିକ ସଂଘ ତରଫରୁ କୁହାଯାଇଛି।

ଅନ୍ୟପକ୍ଷରେ ଆଜିଠୁ ମାଲଗୋଦାମ ବ୍ୟବସାୟୀଙ୍କୁ ବେପାର ପାଇଁ ଅଧିକ ସୁଯୋଗ ଦିଆଯାଇଛି। ଖାଉଟି ଆସୁଥିବା ପର୍ଯ୍ୟନ୍ତ ବ୍ୟବସାୟ ଚାଲିବ। ଅର୍ଥାତ କଟକ ଜିଲ୍ଲାର ବିଭିନ୍ନ ପ୍ରାନ୍ତରେ ବେପାର କରୁଥିବା ଖୁଚୁରା ବ୍ୟବସାୟୀମାନେ ଯେ କୌଣସି ସମୟରେ ଆସି ଏଠାରୁ ସାମଗ୍ରୀ ସଂଗ୍ରହ କରିପାରିବେ। ଏନେଇ ଆଜି କଟକ ଜିଲ୍ଲା ପ୍ରଶାସନ ସହିତ କଟକ ବଣିକ ସଂଘର ବୈଠକ ବସି ଏ ଦିଗରେ ନିଷ୍ପତ୍ତି ଗ୍ରହଣ କରାଯାଇଛି।

ବ୍ୟବସାୟୀମାନଙ୍କ ପାଖରେ ନିୟୋଜିତ କର୍ମଚାରୀମାନଙ୍କୁ ପରିଚୟ ପତ୍ର ପ୍ରଦାନ, ସେମାନେ ପର୍ଯ୍ୟାୟକ୍ରମେ (ସିଫ୍ଟ)ପାଳି ଅନୁସାରେ କାମ କରିବା, ସ୍ୱଚ୍ଛତା ବଜାୟ ରଖିବା ଏବଂ କରୋନା ସଚେତନତା  ଉପରେ ବ୍ୟବସାୟୀମାନେ ସ୍ୱତନ୍ତ୍ର ଭାବେ ଦୃଷ୍ଟି ଦେବାକୁ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ କହିଛନ୍ତି। ପେଟ୍ରୋଲ ପମ୍ପ୍ କର୍ମଚାରୀମାନେ ନିର୍ଦ୍ଧାରିତ ପୋଷାକ ପରିଧାନ ଓ ଜଗତପୁରଠାରେ ପିଡିଏସ ସାମଗ୍ରୀ ଖୋଲାଯିବା ଉପରେ ବୈଠକରେ ଆଲୋଚନା କରାଯାଇଥିଲା।

ସେହିପରି ଲକ୍‌ଡାଉନ ବଳବତ୍ତର ରହିଥିବା ବେଳେ ବାହାରୁ ଆବଶ୍ୟକ ସାମଗ୍ରୀର ଆମଦାନୀ ତଥା ମାଲ୍ ପରିବହନ ବ୍ୟବସ୍ଥାକୁ ସୁପରିଚାଳନା ପାଇଁ ଟ୍ରକ ମାଲିକ ସଂଘର ସହାୟତା ନିଆଯାଇଛି। ସଂଘ ସୂଚିତ କରିଥିବା ୮ରୁ ୧୦ ଜଣ ବ୍ୟକ୍ତିଙ୍କୁ ଲୋଡିଂ ସ୍ଥାନକୁ ଯାତାୟତ କରିବା ପାଇଁ ସ୍ଥାନୀୟ ଥାନା ଅଧିକାରୀଙ୍କଠାରୁ ଅନୁମତି ପ୍ରାପ୍ତ କରିପାରିବେ। ଗାଡିର ଡ୍ରାଇଭର ଓ ହେଲ୍‌ପରମାନେ ଯଥା ସମ୍ଭବ ରୋଷେଇ ସାମଗ୍ରୀ ନିଜ ସହିତ ରଖିବା ଓ ଟ୍ରକ ମାଲିକ ସଂଘ ପକ୍ଷରୁ ମେକାନିକ ଟିମ୍ ସଜାଗ ରଖିବାପାଇଁ ବ୍ୟବସ୍ଥା କରିବାକୁ ଆଲୋଚନା କରାଯାଇଥିଲା।

ବ୍ୟବସାୟୀ, ଦୋକାନୀ, ହୋଲସେଲର ତଥା ପରିବହନ ସଂଘମାନେ ପରିମିଟ ପ୍ରାପ୍ତ ସାମଗ୍ରୀ ପରିବହନ ବାବଦରେ କୌଣସି ସମସ୍ୟା ଏବଂ ଅଭିଯୋଗ ନିମନ୍ତେ ସଂଯୋଗ ହେଲ୍‌ପ ଲାଇନ ଟୋଲ ଫ୍ରି ନମ୍ୱର -୧୫୫୩୩୫ରେ ଜଣାଇ ପାରିବେ।

ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଡିସିପି ଅଖିଳେଶ୍ୱର ସିଂହ, ଗ୍ରାମାଞ୍ଚଳ ଏସପି ରାଧା ବିନୋଦ ପାଣିଗ୍ରାହୀ, ପିଡି ଡିଆରଡିଏ ଅବଦଲ ଅଖତର, ସିଏମସି କମିସନର ଅନନ୍ୟା ଦାସ, ଅତିରିକ୍ତ ଜିଲ୍ଲପାଳ ବିଜୟ କୁମାର ଖଣ୍ଡାୟତରାୟ, କଟକ ସଦର ଉପଜିଲ୍ଲାପାଳ ଶୁଭ୍ରାଂଶୁ ମିଶ୍ର, ଜିଲ୍ଲା ଯୋଗାଣ ଅଧିକାରୀ ଅମର ମହାପାତ୍ର, ଆଞ୍ଚଳିକ ପରିବହନ ଅଧିକାରୀ ଦିପ୍ତି ରଞ୍ଜନ ପାତ୍ରଙ୍କ ସମେତ ବ୍ୟବସାୟୀ ସଂଘ ପକ୍ଷରୁ ପ୍ରଶାନ କୁମାର ପାତ୍ର, ପ୍ରଫୁଲ କୁମାର ଛାଟୋଇ, ଦୀପକ କୁମାର ଅଗ୍ରୱାଲ, କଟକ ପେଟ୍ରୋଲିୟମ ଆସୋସିଏସନ ପକ୍ଷରୁ ବିଷ୍ଣୁ ଚରଣ ରାଉତ ଓ ଟ୍ରକ ମାଲିକ ସଂଘ ତରଫରୁ ରବି ଶତତଥିଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ।

Comment