ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ

କରୋନା ନିୟନ୍ତ୍ରଣ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଆଉ ଗୋଟେ ପାଦ ଆଗକୁ ବଢ଼ିଛନ୍ତି। ଆଜି ରାତି ୧୨ଟାରୁ ସାରା ଦେଶରେ ୨୧ ଦିନିଆ ତାଲାବନ୍ଦ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ। ଏହି ତାଲାବନ୍ଦ ‘ଜନତା କର୍ଫ୍ୟୁ’ଠାରୁ ଅଧିକ କଡ଼ାକଡ଼ି ହେବ ବୋଲି ମୋଦୀ କହିଛନ୍ତି।

‘‘ଭାରତବାସୀଙ୍କ ଜୀବନ ବଞ୍ଚାଇବା ହେଉଛି ମୋର ପ୍ରଥମ କର୍ତ୍ତବ୍ୟ। ଏହାକୁ ଦୃଷ୍ଟିରେ ରଖି ୨୧ ଦିନିଆ ‘ଲକ୍‌ଡାଉନ୍‌’ ଘୋଷଣା କରାଗଲା। କେହି ଘରୁ ବାହାରକୁ ବାହାରନ୍ତୁ ନାହିଁ। ନିଜର ଏବଂ ନିଜ ପରିବାରର ମଙ୍ଗଳ ପାଇଁ ଯିଏ ଯେଉଁଠି ଅଛ ସେଇଠି ରହିଯାଅ। ଆପଣଙ୍କ ପରିବାରର ଜଣେ ସଦସ୍ୟ ଭାବ ଏଭଳି ପଦକ୍ଷେପ ନେଇଛି’’, ଦେଶବାସୀଙ୍କୁ ସମ୍ବୋଧିତ କରି ଏହା କହିଛନ୍ତି ପ୍ରଧାନମନ୍ତ୍ରୀ।

୨୧ ଦିନିଆ ‘ଲକ୍‌ଡାଉନ୍‌’ ସାରା ଦେଶରେ ଲାଗୁ ହେବ। ସମସ୍ତ ରାଜ୍ୟ, କେନ୍ଦ୍ରଶାସିତ ଅଞ୍ଚଳ, ଜିଲ୍ଲା, ସହର ଏବଂ ଗାଁରେ ଏହି ନିୟମ କଡ଼ାକଡ଼ି ପାଳନ ହେବ। ୨୧ ଦିନ ଯାଏଁ କେହି ଘରୁ ବାହାରନ୍ତୁ ନାହିଁ। ୨୧ ଦିନ ଲକ୍‌ଡାଉନ୍‌ ନକଲେ ଆମେ ୨୧ ବର୍ଷ ପଛକୁ ଫେରିଯିବା କହିଛନ୍ତି ମୋଦୀ।

ରବିବାର ଦିନ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନରେ ସାରା ଦେଶରେ ଜନତା କର୍ଫ୍ୟୁ ପାଳନ କରାଯାଇଥିଲା। ଏହାକୁ ବିପୁଳ ଜନସମର୍ଥନ ମିଳିଥିବାରୁ ଦେଶବାସୀଙ୍କୁ ଧନ୍ୟବାଦ ଦେଇଥିଲେ ମୋଦୀ।

‘‘ମୁଁ ଆପଣମାନଙ୍କୁ କିଛି ସପ୍ତାହ ମାଗିଥିଲି। ଏବେ ୩ ସପ୍ତାହ ମାଗୁଛି। ୩ ସପ୍ତାହ ଯାଏଁ କେହି କୁଆଡ଼େ ନଯାଆନ୍ତୁ’’, ଏହା ଅପିଲ କରିଛନ୍ତି ମୋଦୀ।

କରୋନା ଚିକିତ୍ସା ପାଇଁ ୧୫ ହଜାର କୋଟି ଟଙ୍କାର ପାଣ୍ଠି ଦେଉଛନ୍ତି ମୋଦୀ। ଚିକିତ୍ସା ଏବଂ ଅନ୍ୟ ଆନୁଷଙ୍ଗୀକ ପାଇଁ ଏହା ଖର୍ଚ୍ଚ କରାଯିବ।

ସାରା ଓଡ଼ିଶା ଲକ୍‌ଡାଉନ୍‌ ଘୋଷଣା କରିଥିଲେ ରାଜ୍ୟ ସରକାର। ପ୍ରଥମେ ୫ଟି ଜିଲ୍ଲା ଓ ୮ଟି ସହର ଏବଂ ପରେ ୧୪ ଜିଲ୍ଲା ଓ କାଲିଠୁ ସାରା ରାଜ୍ୟ ଲକ୍‌ଡାଉନ୍‌ ଘୋଷଣା କରିଥିଲେ। ଆଜି ସାରା ଦେଶ ଲକ୍‌ଡାଉନ୍‌ ଘୋଷଣା କଲେ ପ୍ରଧାନମନ୍ତ୍ରୀ।

1 COMMENT

  1. ଶ୍ରମିକ କ’ଣ କରିବେ ? ଫନି ପରଠୁ ଆମ ଆକାଉଣ୍ଟ ସରକାର ହୋଲ୍ଡ କରି ରଖିଛନ୍ତି।

Comment