ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

(ବ୍ରହ୍ମପୁରରୁ ସୁନୀଲ ପଟ୍ଟନାୟକ): କରୋନା ଭାଇରସକୁ ମୁକାବିଲା କରିବାର ଏକମାତ୍ର ଉପାୟ ହେଉଛି ସାମାଜିକ ଦୂରତ୍ୱ। ଯାହାକୁ ପାଳନ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜନସାଧାରଣଙ୍କୁ ବାରମ୍ବାର ଅନୁରୋଧ କରିଆସୁଛନ୍ତି। ବୁଧବାର ଏହି ସାମାଜିକ ଦୂରତ୍ୱ ଉଲ୍ଲଙ୍ଘନ କରିବା ଗୋଟିଏ ମେଡିସିନ୍ ଷ୍ଟୋରକୁ ଭାରିପଡ଼ିଛି।

ବ୍ରହ୍ମପୁର କୋର୍ଟପେଟାଠାରେ ଥିବା କୃଷ୍ଣଚନ୍ଦ୍ର ମେଡିକାଲ୍ ଷ୍ଟୋର ସାମାଜିକ ଦୂରତ୍ୱ ପାଳନ ନକରୁଥିବା କାରଣରୁ ଏହାକୁ ଜିଲ୍ଲା ପ୍ରଶାସନ ସିଲ୍ କରିଦେଇଛି। ଏଥିସହିତ ବିଏନପୁର ଥାନାରେ ଏହି ଔଷଧ ଦୋକାନ ବିରୋଧରେ ଏକ ମାମଲା ମଧ୍ୟ ରୁଜୁ କରାଯାଇଛି।

କରୋନାକୁ ନେଇ ଜିଲ୍ଲା ପ୍ରଶାସନ ତରଫରୁ ବ୍ୟବସାୟୀମାନଙ୍କୁ ବାରମ୍ବାର ସଚେତନ କରାଯାଉଛି। ଯେଉଁଥିରେ ବ୍ୟବସାୟୀମାନଙ୍କୁ ସାମାଜିକ ଦୂରତ୍ୱ ପାଳନ କରିବାକୁ ପରାମର୍ଶ ଦିଆଯାଉଛି। ଗ୍ରାହକମାନେ ଜିନିଷ କିଣିବା ସମୟରେ ଏକ ମିଟର ଦୂରତାରେ ଛିଡ଼ା ହେବା ସହିତ ନିଜ ପାଳି ଆସିବାକୁ ଅପେକ୍ଷା କରିବାକୁ ଜିଲ୍ଲା ପ୍ରଶାସନ ନିର୍ଦ୍ଦେଶ ଦେଇଛନ୍ତି।

ଅନ୍ୟପଟେ ଦିଗପହଣ୍ଡି ପୁଞ୍ଜିକଇଆଁ ଛକ ନିକଟରେଏକ ଔଷଧ ଦୋକାନ ଆଗରେ ଲୋକଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା।  ଏହାପରେ ଦିଗପହଣ୍ଡି ଥାନା ଅଧିକାରୀ ସେଠାରେ ପହଞ୍ଚି ଚୁନରେ ବୃତ୍ତ ଟାଣି ଲୋକଙ୍କୁ ଛିଡ଼ା ହେବାକୁ ପରାମର୍ଶ ଦେଇଛନ୍ତି। ଡ଼ାକବାଜି ଯନ୍ତ୍ର ସାହାଯ୍ୟରେ ମଧ୍ୟ ଲୋକଙ୍କୁ ସାମାଜିକ ଦୂରତ୍ୱ ବଜାୟ ରଖିବା ଲାଗି ଅନୁରୋଧ କରାଯାଉଛି।

LEAVE A REPLY

Please enter your comment!
Please enter your name here