ଓଡ଼ିଶାଲାଇଭ୍‌ ବ୍ୟୁରୋ

ଚୀନର ଉହାନ୍‌ଠାରୁ ଆରମ୍ଭ ହୋଇଥିବା କୋରାନା ଭାଇରସର ସଂକ୍ରମଣ ସାରା ବିଶ୍ୱରେ ତୀବ୍ର ଗତିରେ ପ୍ରସାରିତ ହେବାରେ ଲାଗିଛି। ଭାରତ, ଆମେରିକା, ଇଟାଲୀ ସମେତ ଅନେକ ଦେଶରେ ପ୍ରତିଦିନ କୋରୋନା ସଂକ୍ରମଣର ନୂଆ ମାମଲା ଦେଖିବାକୁ ମିଳୁଛି। ଏହାର ଚିକିତ୍ସା ଓ ଟୀକା ପାଇଁ ନୂଆ ନୂଆ ଗବେଷଣା ଜାରି ରହିଛି । ଏଭଳି ସମୟରେ ଏକ ନୂଆ ଭାଇରସ ପୁଣି ଚୀନ୍‌ର ଚିନ୍ତାକୁ ବୃଦ୍ଧି କରିଛି। ତାହା ହେଲା ହନ୍ତା ଭାଇରସ। ଏହି ଭାଇରସ ଯୋଗୁ ଚୀନ୍‌ରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ମଧ୍ୟ ହୋଇସାରିଲାଣି। ସେହି ବ୍ୟକ୍ତିଜଣକ ବସ୍ ଯୋଗେ ସାଡୋଙ୍ଗ ପ୍ରଦେଶରୁ ଫେରୁଥିଲେ। ପ୍ରଥମେ ତାଙ୍କୁ କୋରାନାର ଆକ୍ରାନ୍ତ ଭାବେ ମନେ କରାଯାଉଥିଲା। ପରେ କିନ୍ତୁ ତାଙ୍କୁ ଡାକ୍ତରଖାନା ନିଆଗଲା ଓ ତାହା ହନ୍ତା ଭାଇରସ ବୋଲି ଜଣାପଡ଼ିଲା। ଏହାପରେ ବସ୍‌ରେ ମହଜୁଦ ଥିବା ସମସ୍ତ ୩୨ ଜଣଙ୍କର ଯାଞ୍ଚ କରାଯାଇଥିଲା।

ହନ୍ତା ଭାଇରସ କ’ଣ?

ହନ୍ତା ଭାଇରସ ରୋଡେଣ୍ଟ ନାମକ ଏକପ୍ରକାର ମୂଷାର ଶରୀରରେ ଥାଏ। ଏହାଦ୍ୱାରା ମୂଷାକୁ ତ ରୋଗ ହୁଏନାହିଁ। କିନ୍ତୁ ଏହା ମଣିଷର ମୃତ୍ୟୁର କାରଣ ପାଲଟିପାରେ। ସିଡିସି ଅନୁସାରେ ହନ୍ତା ଭାଇରସର ସଂକ୍ରମଣ ବାୟୁ କିମ୍ବା ଶ୍ୱାସପ୍ରଶ୍ୱାସ ମାଧ୍ୟମରେ ବ୍ୟାପେନାହିଁ। ମଣିଷରୁ ମଣିଷକୁ ଏହା ବ୍ୟାପିନଥାଏ। ତେବେ ମୂଷାର  ଲାଳ, ମଳ କିମ୍ବା ମୂତ୍ର ସଂସ୍ପର୍ଶରେ ଆସିଲେ ଏବଂ ସେହି ହାତଦ୍ୱାରା ଆଖି, କାନ କିମ୍ବା ମୁହଁକୁ ବେପରୱା ଭାବେ ଛୁଇଁଲେ ସଂକ୍ରମଣ ହୋଇଥାଏ।

ଲକ୍ଷଣ: ହନ୍ତା ଭାଇରସ ଓ କୋରୋନା ଭାଇରସର ଲକ୍ଷଣ ବହୁତ ମେଳ ଖାଇଥାଏ। ଆମେରିକାର ସେଣ୍ଟର ଫର ଡିଜିଜ କଣ୍ଟ୍ରୋଲ ଆଣ୍ଡ ପ୍ରିଭେନସନ୍ ଅନୁସାରେ ହନ୍ତା ଭାଇରସ ଦ୍ୱାରା ସଂକ୍ରମିତ ହେବା ପରେ ବ୍ୟକ୍ତିକୁ ପ୍ରବଳ ଜ୍ୱର ଆସିଥାଏ। ଜ୍ୱରରେ ତାପମାତ୍ରା ୧୦୧ ଡିଗ୍ରୀରୁ ଅଧିକ ରହେ। ସଂକ୍ରମିତ ବ୍ୟକ୍ତିଙ୍କର ମୁଣ୍ଡବ୍ୟଥା, ପେଟରେ ଯନ୍ତ୍ରଣା, ବାନ୍ତି, ଡାଇରିଆ ଭଳି ଲକ୍ଷଣ ଦେଖାଯାଏ। ପରବର୍ତ୍ତୀ ସମୟରେ ବ୍ୟକ୍ତିଜଣଙ୍କର ଫୁସଫୁସରେ ପାଣି ଜମା ହେବା ସହିତ ତାଙ୍କର ଶ୍ୱାସକ୍ରିୟାରେ ସମସ୍ୟା ହୋଇଥାଏ।

କିଭଳି ରକ୍ଷା ପାଇପାରିବେ?

ଏଥିରୁ ରକ୍ଷାପାଇବା ଲାଗି  ସବୁଠାରୁ ଭଲ ଉପାୟ ହେଲା ମୂଷାଠାରୁ ଦୂରେଇ ରହିବା। ବର୍ତ୍ତମାନ ସୁଦ୍ଧା ଏହି ଭାଇରସର ସଂକ୍ରମଣକୁ ରୋକିବା ଲାଗି କୌଣସି ପ୍ରକାର ଔଷଧ ବାହାରିନାହିଁ।  ଫ୍ରି ପ୍ରେସ ଜର୍ଣ୍ଣାଲର ରିପୋର୍ଟ ଅନୁସାରେ ସଂକ୍ରମଣ ହେବା ମାତ୍ରେ ଚିକିତ୍ସକୀୟ ଦେଖାଶୁଣାର ଆବଶ୍ୟକତା ରହିଛି। ଶ୍ୱାସକ୍ରିୟାରେ ସମସ୍ୟା ହେଲେ ଆଇସିୟୁରେ ଭର୍ତ୍ତି କରିବା ଏବଂ ଅକ୍ସିଜେନ୍ ଥେରାପି ଦେଲେ ଉପଶମ ମିଳିପାରିବ।

ଭାରତକୁ କେତେ ବିପଦ ରହିଛି?

ସେଣ୍ଟର ଫର ଡିଜିଜ୍ କଣ୍ଟ୍ରୋଲ ଆଣ୍ଡ ପ୍ରିଭେନସନ୍‌ର ରିପୋର୍ଟ ଅନୁସାରେ ଏହି ଭାଇରସ ବର୍ତ୍ତମାନ ସୁଦ୍ଧା କେବଳ ଚୀନ୍ ଏବଂ ଆର୍ଜେଣ୍ଟିନାରେ ଦେଖିବାକୁ ମିଳୁଛି। ଏହା ମଣିଷଠାରୁ ମଣିଷକୁ ସଂକ୍ରମିତ ହେଉନଥିବାରୁ ଭାରତକୁ ଏବେ ବିପଦ ନାହିଁ।

1 COMMENT

Comment