ଓଡ଼ିଶାଲାଇଭ୍‌ ବ୍ୟୁରୋ

କରୋନା ଭାଇରସ୍‌ ସଂକ୍ରମଣରୁ ଦୂରରେ ରହିବା ପାଇଁ ସାରା ଦେଶରେ ଏବେ ଲକ୍‌ଡାଉନ୍‌ ପରିସ୍ଥିତି। ତେଣୁ, ଏ ସମୟରେ କୌଣସି ଭେଣ୍ଡର ବା ସପ୍ଲାୟର ବିଭିନ୍ନ ସେବା ଲାଗି ସରକାରଙ୍କୁ ଦେଉଥିବା ବିଲ୍‌ ଇମେଲ୍‌ ଯୋଗେ ଗ୍ରହଣ କରାଯିବ। ଏ ବାବଦରେ ନିଷ୍ପତ୍ତି ଘୋଷଣା କରିଛି କେନ୍ଦ୍ର ଅର୍ଥ ମନ୍ତ୍ରାଳୟ।

ମନ୍ତ୍ରାଳୟର ଡିପାର୍ଟମେଣ୍ଟ୍‌ ଅଫ୍‌ ଏକ୍ସପେଣ୍ଡିଚର୍‌ ଅଧୀନରେ ଥିବା କଣ୍ଟ୍ରୋଲର ଜେନେରାଲ୍‌ ଅଫ୍‌ ଆକାଉଣ୍ଟସ୍‌ ମାର୍ଚ୍ଚ ୨୬ରେ ଏ ସଂର୍ପକରେ ଚିଠି ଜାରି କରିଛନ୍ତି। ଏଥିରେ କୁହାଯାଇଛି ଯେ, ମାର୍ଚ୍ଚ ୨୬ରୁ ୩୧ ତାରିଖ ପର୍ଯ୍ୟନ୍ତ ଇମେଲ୍‌ ଯୋଗେ ଆସୁଥିବା କୌଣସି ବିଲ୍‌ ଗ୍ରହଣ କରାଯିବ।

ମାର୍ଚ୍ଚ ୩୧ ତାରିଖରେ ଆର୍ଥିକ ବର୍ଷ ପୂରି ଯାଉଥିବାରୁ ଚଳିତ ବର୍ଷ ପାଇଁ ସମସ୍ତ ଟ୍ୟାକ୍ସ ବିଲ୍‌ ଠିକଣା ସମୟରେ ସରକାରଙ୍କ ପାଖରେ ପହଞ୍ଚିବା ଦରକାର। ସାଧାରଣତଃ କୌଣସି ଟ୍ୟାକ୍ସ ବିଲ୍‌ର ହାର୍ଡ ବା ପ୍ରିଣ୍ଟେଡ୍‌ କପି ହିଁ ବିଚାର ପାଇଁ ଗ୍ରହଣ କରାଯାଇଥାଏ। ତେବେ କୋଭିଡ୍‌-୧୯ ପାଇଁ ହୋଇଥିବା ବନ୍ଦ ଦୃଷ୍ଟିରୁ ଭେଣ୍ଡର ବା ସପ୍ଲାୟରମାନେ ଏବେ ଇମେଲ୍‌ ଯୋଗେ ବିଲ୍‌ ପଠାଇପାରିବେ।

ସଂପୃକ୍ତ ବିଭାଗୀୟ ଅଧିକାରୀ ଇମେଲ୍‌ ଯୋଗେ ଆସିଥିବା ବିଲ୍‌ ଉପରେ ନିଜର ସହମତିସୂଚକ ମନ୍ତବ୍ୟ ଦେଇ ତାକୁ ଅର୍ଥ ପ୍ରଦାନ ଲାଗି ନିର୍ଦ୍ଦିଷ୍ଟ ଅଧିକାରୀ ବା ବିଭାଗ ନିକଟକୁ ସୁପାରିଶ କରିପାରିବେ। ଅର୍ଥାତ୍‌ ଆବଶ୍ୟକ ମନେହେଲେ ଏ ବାବଦରେ ମଧ୍ୟ ଭେଣ୍ଡର ବା ସପ୍ଲାୟରଙ୍କୁ ସଂପୃକ୍ତ ସେବା ଲାଗି ସରକାର ଅର୍ଥ ପ୍ରଦାନ କରିପାରିବେ।

ତେବେ ଏହି ଚିଠିରେ କଣ୍ଟ୍ରୋଲର ଜେନେରାଲ୍‌ ଅଫ୍‌ ଆକାଉଣ୍ଟସ୍‌ କହିଛନ୍ତି ଯେ, ଏହି ଢାଞ୍ଚାରେ ହୋଇଥିବା ସମସ୍ତ ପେମେଣ୍ଟ ବାବଦରେ ପରବର୍ତ୍ତୀ ସମୟରେ ସଂପୃକ୍ତ ଅଧିକାରୀ ଏବଂ ଆକଉଣ୍ଟସ୍‌ ବିଭାଗ ଉପଯୁକ୍ତ ଯାଞ୍ଚ କରିବେ।

Comment