ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

କୋରାପୁଟ : କରୋନା ଭାଇରସ ଯୋଗୁଁ କୋରାପୁଟ ଜିଲ୍ଲାରେ ଦୁଗ୍ଧ ଚାଷୀ ହନ୍ତସନ୍ତ ହେଉଛନ୍ତି। ଲକ୍‌ଡାଉନ ଯୋଗୁଁ ଦୁଗ୍ଧ ସମବାୟ ସମିତି ଚାଷୀଙ୍କଠାରୁ କ୍ଷୀର କିଣୁ ନାହିଁ।। ଏନେଇ କୋରାପୁଟ ଜିଲ୍ଲା ଫାମ୍ପୁଣୀ ଗାଁର ଦୁଗ୍ଧ ଚାଷୀମାନେ ରାସ୍ତା ଉପରେ କ୍ଷୀର ଢାଳି ପ୍ରତିବାଦ କରିଛନ୍ତି।

ଲକ୍‌ଡାଉନ ଯୋଗୁଁ ମାର୍ଚ୍ଚ ୨୨ ତାରିଖରୁ ଦୁଗ୍ଧ ସମବାୟ ସମିତି ଚାଷୀଙ୍କଠାରୁ କ୍ଷୀର କିଣୁ ନାହିଁ। ଫଳରେ ଅବିଭକ୍ତ କୋରାପୁଟ ଜିଲ୍ଲାରେ ୮ହଜାର ୩ଶହ ୪୦ ଦୁଗ୍ଧଚାଷୀ ଏଥିରେ ପ୍ରଭାବିତ ହୋଇଛନ୍ତି। କ୍ଷୀର ବିକ୍ରି ନହୋଇ ନଷ୍ଟ ହେଉଛି। ବାଧ୍ୟ ହୋଇ ଚାଷୀମାନେ କମ୍‌ ଦାମରେ ଛତିଶଗଡ଼ ରାଜ୍ୟର ଦଲାଲମାନଙ୍କୁ କ୍ଷୀର ବିକ୍ରି କରୁଥିବା ଅଭିଯୋଗ ହୋଇଛି। ସେପଟେ ଓମଫେଡ ମଧ୍ୟ ସମବାୟ ସମିତଠାରୁ କ୍ଷୀର କିଣା କମାଇ ଦେଇଥିବା ଅଭିଯୋଗ ହୋଇଛି।

ଦୁଗ୍ଧ ସମବାୟ ସମିତି ଚାଷୀଙ୍କଠାରୁ ଦୈନିକ ୨୧ହଜାର ଲିଟର କିଣିଥାଏ। ତେବେ ଲକ୍‌ଡାଉନ ଦିନଠାରୁ କ୍ଷୀର ବିକ୍ରି କମ ହେଉଛି। ଲୋକେ କରୋନା ଭାଇରସ ସଂକ୍ରମଣ ଆଶଙ୍କାରେ କ୍ଷୀର କିଣୁନାହନ୍ତି। ଫଳରେ ଚାଷୀଙ୍କ କ୍ଷୀର ନଷ୍ଟ ହେଉଥିବା ଅଭିଯୋଗ ହୋଇଛି।

କରୋନା ଯୋଗୁଁ କୋରାପୁଟ ଜିଲ୍ଲାରେ ଦୁଗ୍ଧ ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗିବାକୁ ବସିଛି। ଧାର କରଜ କରି ଦୁଗ୍ଧଚାଷ କରିଥିବା ବେଳେ ଏବେ ଋଣ କେମିତି ସୁଝିବେ ସେଚିନ୍ତାରେ ଚାଷୀ। ଯଥାଶୀଘ୍ର ଏନେଇ ରାଜ୍ୟ ସରକାର ଧ୍ୟାନ ଦେବାକୁ ଦାବି କରିଛନ୍ତି ଚାଷୀ। ଏନେଇ ବିଭାଗୀୟ ଅଧିକାରୀଙ୍କ ପ୍ରତିକ୍ରିୟା ମିଳି ପାରିନାହିଁ।

 

Comment