ଓଡ଼ିଶାଲାଇଭ୍‌ ବ୍ୟୁରୋ

(କେନ୍ଦ୍ରାପଡ଼ାରୁ ନାରାୟଣ ସାହାଣୀ): ଦିଲ୍ଲୀର ନିଜାମୁଦ୍ଦିନଠାରେ ହେଉଥିବା ମୁସଲମାନମାନଙ୍କ ଧର୍ମ ସମ୍ମିଳନୀରେ ଯୋଗଦେଇଥିବା ଅନେକ ଭକ୍ତ ଏବେ କରୋନାରେ ଆକ୍ରାନ୍ତ। ଏହାର ଚେର ଦେଶରୁ ବିଦେଶ ଯାଏଁ ବ୍ୟାପିଛି। ଏହି ସମ୍ମିଳନୀରେ ଯୋଗଦେଇଥିବା କେତେକ ଭକ୍ତଙ୍କର କରୋନାରେ ମୃତ୍ୟୁ ଘଟିଥିବା କୁହାଯାଉଥିବା ବେଳେ ଅନେକ ଏବେ ଆକ୍ରାନ୍ତ ହୋଇଥିବା ଖବର ଏବେ ବିଭିନ୍ନ ଗଣମାଧ୍ୟମରେ ଚର୍ଚ୍ଚା ହୋଇଛି। ଏହି ଭକ୍ତ ସମ୍ମିଳନୀରେ କେନ୍ଦ୍ରାପଡା ଜିଲ୍ଲାର ଦୁଇ ଭକ୍ତଙ୍କ ଉପସ୍ଥିତିକୁ ନେଇ ଛାନଭିନ ଆରମ୍ଭ ହୋଇଛି।

କେନ୍ଦ୍ରାପଡା ଜିଲ୍ଲାର ଦୁଇଜଣ ଭକ୍ତ ଦିଲ୍ଲୀର ନିଜାମୁଦ୍ଦିନଠାରେ ହୋଇଥିବା ମୁସଲିମ ଧର୍ମ ସମ୍ମିଳନୀରେ ଯୋଗଦେଇଥିଲେ। ଜଣେ ପଟ୍ଟାମୁଣ୍ଡାଇ ଅଞ୍ଚଳରୁ ଥିବା ବେଳେ ଆଉ ଜଣେ ଆଳି ଅଞ୍ଚଳର ବୋଲି ଜଣାପଡ଼ିଛି। ଏମାନଙ୍କ ମଧ୍ୟରୁ ପଟ୍ଟାମୁଣ୍ଡାଇରୁ ଯାଇଥିବା ଭକ୍ତଙ୍କୁ ଦିଲ୍ଲୀରେ କ୍ୱାରେଣ୍ଟାଇନରେ ରଖାଯାଇଛି।ଆଳି ଅଞ୍ଚଳର ଭକ୍ତ ନିଜ ଘରକୁ ଫେରିଆସିଥିବା ଜଣାପଡିଛି। ସେ ଏକ ମସଜିଦରେ ଧର୍ମଗୁରୁ ଅଛନ୍ତି। ଯାଜପୁର ଜିଲ୍ଲାରେ ତାଙ୍କ ଘର। ଦୀର୍ଘ ୧୦ ବର୍ଷ ହେଲା ସେ ଏହି ଅଞ୍ଚଳରେ ଥିବା ଏକ ମସଜିଦରେ ମୌଲାନା ଭାବେ କାମ କରନ୍ତି।

ପ୍ରତିବର୍ଷ ସେ ନିଜାମୁଦ୍ଦିନର ଏହି ଭକ୍ତ ସମ୍ମିଳନୀକୁ ଯାଆନ୍ତି। ସେ ନିଜାମୁଦ୍ଦିନ ଭକ୍ତ ସମ୍ମିଳନୀରୁ ଗତ ୧୧ ତାରିଖରୁ ଆସି  ଆଳିରେ ଗତ ୧୩ ତାରିଖରେ ପହଞ୍ଚିଥିଲେ ବୋଲି ପଟ୍ଟାମୁଣ୍ଡାଇ ଏସ୍‌ଡିପିଓ ରଞ୍ଜନ କୁମାର ଦେ ସୂଚନା ଦେଇଛନ୍ତି।

‘‘ଓଡ଼ିଶାରୁ ୨୫ ଜଣ ଭକ୍ତ ଏହି ସମ୍ମିଳନୀରେ ଯୋଗଦେଇଥିଲେ। ସେ ସେଠାରେ ଗତ ମାର୍ଚ୍ଚ ୫ ତାରିଖରୁ ୧୦ ତାରିଖ ପର୍ଯ୍ୟନ୍ତ ଥିଲେ। ୧୧ ତାରିଖରୁ ସେଠାରୁ ନନ୍ଦନକାନନ ଏକ୍ସପ୍ରେସ ଟ୍ରେନରେ ଫେରି ୧୩ ତାରିଖରେ ଆଳିରେ ପହଞ୍ଚିଥିଲେ। ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଭଲ ରହିଛି’’, କହିଛନ୍ତି ରଞ୍ଜନ କୁମାର ଦେ।

ଏମାନଙ୍କ ସମ୍ପର୍କରେ ଦିଲ୍ଲୀର ଗୁଇନ୍ଦା ରିପୋର୍ଟ ପ୍ରକାଶ ପାଇବା ପରେ କେନ୍ଦ୍ରାପଡା ଜିଲ୍ଲା ପ୍ରଶାସନ ଏମାନଙ୍କୁ ଖୋଜିବାକୁ ତତ୍ପର ହୋଇପଡିଥିଲା। ଆଳି ଥାନା ପୋଲିସ ଏହି ବ୍ୟକ୍ତିଙ୍କୁ ଥାନାକୁ ଡକାଇ ପଚରା ଉଚରା କରିଛି।

ଏହି ବ୍ୟକ୍ତିଙ୍କୁ ଆଜିଠାରୁ ନିଃସଙ୍ଗ ବାସରେ ରଖିବାକୁ କେନ୍ଦ୍ରାପଡା ଜିଲ୍ଲାପାଳ ସମର୍ଥ ବର୍ମା ନିର୍ଦ୍ଦେଶ ଦେଇଛନ୍ତି। ସେ ସୁସ୍ଥ ଥିଲେ ମଧ୍ୟ ତାଙ୍କ ଠାରେ କରୋନା ଭୂତାଣୁ ରହିଛିକି ନାହିଁ ତାହା ପରୀକ୍ଷା ପାଇଁ ପଠାଯିବାକୁ ନିଷ୍ପତ୍ତି ନେଇଛି ଜିଲ୍ଲା ପ୍ରଶାସନ। କେନ୍ଦ୍ରାପଡା ଆସିବା ପରେ ସେ କାହା ସହିତ ମିଳାମିଶା କରିଛନ୍ତି ତାହାର ତଲାସୀ ଆରମ୍ଭ ହୋଇଛି ବୋଲି କେନ୍ଦ୍ରାପଡା ଜିଲ୍ଲାପାଳ ସମର୍ଥ ବର୍ମା ସୂଚନା ଦେଇଛନ୍ତି।

Comment