ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ

ନିଜାମୁଦ୍ଦିନ ଫେରନ୍ତା ମୌଲବୀଙ୍କର ନମୁନା ପଠାଗଲା। ୩୪ ନମୁନାରୁ ୨ ରିପୋର୍ଟ ନେଗେଟିଭ୍।

କେନ୍ଦ୍ରାପଡ଼ା: ଦିଲ୍ଲୀର ନିଜାମୁଦ୍ଦିନ ଧର୍ମ ସମ୍ମିଳନୀରୁ ଫେରିଥିବା କେନ୍ଦ୍ରାପଡା ଜିଲ୍ଲା ଆଳି ଅଞ୍ଚଳର ଜଣେ ମୌଲବୀଙ୍କ ରକ୍ତ ନମୁନା ଓ ସ୍ୱାବ୍ ଆଜି କରୋନା ପରୀକ୍ଷା ପାଇଁ ପଠାଯାଇଛି। ଏହାଛଡା ବିଦେଶରୁ ଫେରିଥିବା ଆଉ ୯ ଜଣଙ୍କର ସ୍ୱାବ୍ ଓ ରକ୍ତ ନମୁନା ମଧ୍ୟ ପଠାଯାଇଥିବା ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି। ମୌଲବୀଙ୍କୁ ସ୍ୱତନ୍ତ୍ର କୋଭିଡ-୧୯ ହସ୍ପିଟାଲରେ ଭର୍ତ୍ତି କରିଛି ପ୍ରଶାସନ।

ଦିଲ୍ଲୀ ନିଜାମୁଦ୍ଦିନର ଧର୍ମ ସମ୍ମିଳନୀକୁ ଗୁରୁତର ଭାବେ ଗ୍ରହଣ କରିଛନ୍ତି ଭାରତ ସରକାର। ଏହି ସମ୍ମିଳନୀରେ ଯୋଗଦେଇଥିବା ଭକ୍ତମାନଙ୍କୁ ଠାବ କରିବାରେ ଲାଗିଛନ୍ତି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର। ସେମାନଙ୍କର ସ୍ୱାସ୍ଥ୍ୟବସ୍ଥା ସମ୍ପର୍କରେ ଟିକିନିଖି ତଥ୍ୟ ରଖିବାକୁ ବିଭିନ୍ନ ରାଜ୍ୟ ସରକାରମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏହି ଭକ୍ତ ସମ୍ମିଳନୀରେ ଯୋଗଦେବାକୁ କେନ୍ଦ୍ରାପଡା ଜିଲ୍ଲାରୁ ଯାଇଥିବା ଦୁଇଜଣଙ୍କୁ ଠାବ କରିଛି ଜିଲ୍ଲା ପ୍ରଶାସନ।

ଏମାନଙ୍କ ମଧ୍ୟରୁ ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ ଜଣେ ଭକ୍ତ ଦିଲ୍ଲୀରେ କ୍ୱାରେଣ୍ଟାଇନରେ ରହିଥିବା ବେଳେ ଆଉ ଜଣେ ମୌଲବୀ ଆଳି ଅଞ୍ଚଳର।

ଗତକାଲି ଆଳି ପୋଲିସ ଏହି ବ୍ୟକ୍ତିଙ୍କୁ ତାଙ୍କ ଗାଁରୁ ନେଇ ଆସିଥିଲା। ତାଙ୍କୁ ଜିଲ୍ଲାର ସ୍ୱତନ୍ତ୍ର କୋଭିଡ-୧୯ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ବୋଲି କେନ୍ଦ୍ରାପଡା ଜିଲ୍ଲା ଜନ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମେଡିକାଲ ଅଫିସର ମିର୍ଜା ବାବର ବେଗ୍‌ ସୂଚନା ଦେଇଛନ୍ତି। ଏହାସହ ତାଙ୍କ ପରିବାର ସଦସ୍ୟମାନଙ୍କୁ ହୋମ୍ କ୍ୱାରେଣ୍ଟାଇନରେ ରଖାଯାଇଛି।

ନିଜାମୁଦ୍ଦିନ ଫେରନ୍ତା ଏହି ମୌଲବୀ ଗତ ୧୩ ତାରିଖରେ କେନ୍ଦ୍ରାପଡା ଜିଲ୍ଲାରେ ପହଞ୍ଚିବା ପରେ କେତେଜଣଙ୍କ ସଂସ୍ପର୍ଶରେ ଆସିଛନ୍ତି ତାହା ଖୋଜା ଚାଲିଛି। ସେମାନଙ୍କ ସ୍ୱାସ୍ଥ୍ୟବସ୍ଥା ସମ୍ପର୍କରେ ସ୍ୱତନ୍ତ୍ର ନଜର ରଖାଯାଇଛି।

Comment