ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିଜେପି ସଭାପତି ଜେପି ନଡ୍ଡା ଦଳର ନେତାମାନଙ୍କୁ ତାଗିଦ କରିଛନ୍ତି। କରୋନା ସଂକ୍ରମଣକୁ ଅଯଥା ସାମ୍ପ୍ରଦାୟିକ ରଙ୍ଗ ନ ଦେବା ପାଇଁ ସେ ଦଳର ନେତାମାନଙ୍କୁ କହିଛନ୍ତି। ଏହି ମହାମାରୀକୁ ନେଇ ମତଭେଦ ଓ ବିଭାଜନକୁ ବରଦାସ୍ତ କରାଯିବ ନାହିଁ ବୋଲି ସେ ସ୍ପଷ୍ଟ କହିଛନ୍ତି।

ବିଗତ ତିନି ଚାରି ଦିନ ଭିତରେ ଦେଶରେ ୪୦୦ ନୂଆ ସଂକ୍ରମଣ ଓ ୧୫ ମୃତ୍ୟୁକୁ ଗତ ମାସରେ ହୋଇଥିବା ତବଲିଗୀ ଜମାତ ସହିତ ଯୋଡ଼ା ଯାଉଥିବା କାରଣରୁ ନଡ୍ଡା ଏହି ଚେତାବନୀ ଦେଇଛନ୍ତି। ଗୁରୁବାର ଦିନ ଦଳୀୟ କର୍ମକର୍ତ୍ତାଙ୍କ ବୈଠକରେ ନଡ୍ଡା ସ୍ପଷ୍ଟ ଭାବରେ କହିଥିଲେ ଯେ ଦଳର ନେତାମାନେ ଉସୁକାଇବା ଭଳି କୌଣସି ବିବୃତି ରଖିବା ଉଚିତ ନୁହେଁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ରାଜ୍ୟ ସରକାରମାନେ ଯାହା କରୁଛନ୍ତି ତାହାକୁ ସମର୍ଥନ କରାଯିବା ଆବଶ୍ୟକ ବୋଲି ସେ କହିଥିଲେ।

ତବଲିଗୀ ପ୍ରସଙ୍ଗ ସାମ୍ନାକୁ ଆସିବା ପରେ କିଛି ନେତା ଏହାକୁ ସାମ୍ପ୍ରଦାୟିକ ଦୃଷ୍ଟିରେ ଦେଖୁଥିବାରୁ ଏହି କଡ଼ା ତାଗିଦ ନଡ୍ଡାଙ୍କ ପାଖରୁ ଆସିଛି ବୋଲି ଜଣେ ବରିଷ୍ଠ ନେତା କହିଛନ୍ତି। ଦେଶ ଏକ ବଡ଼ ସଙ୍କଟରୁ ଉଦ୍ଧାର ପାଇବା ପାଇଁ ଉଦ୍ୟମ ଜାରି ରଖିବା ବେଳେ ଅବାଞ୍ଛନିୟ ବିବୃତି ପ୍ରଦାନ ଠିକ ନୁହେଁ ବୋଲି ନଡ୍ଡା ନେତାମାନଙ୍କୁ କହିଥିବା ପ୍ରକାଶ। ବିଜେପିର ଅନେକ ସମର୍ଥକ ସୋସିଆଲ ମିଡିଆରେ ‘କରୋନା ଜିହାଦ , ମର୍କଜ କଂସ୍ପିରେସି ଆଦି ଅଭିଯାନ ଚଲାଇଥିବାରୁ ଦଳର ତୁଙ୍ଗ ନେତାମାନେ ଏ ଦିଗରେ ସତର୍କ ରହିବାକୁ କୁହାଯାଇଛି।

Comment