ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ଏବେ ପ୍ରତି ଜିଲ୍ଲାରେ ସ୍ୱତନ୍ତ୍ର କରୋନା ହସ୍ପିଟାଲ ଖୋଲିବା ପାଇଁ କାର୍ଯ୍ୟ ଆରମ୍ଭ କରିଦେଇଛନ୍ତି। ଏହିକ୍ରମରେ ଶୁକ୍ରବାର ବ୍ରହ୍ମପୁର ଓ ଯାଜପୁର ଜିଲ୍ଲାରେ ଦୁଇଟି ସ୍ୱତନ୍ତ୍ର କରୋନା ହସ୍ପିଟାଲ ଆରମ୍ଭ କରାଯାଇଛି।

ବ୍ରହ୍ମପୁର ନିକଟସ୍ଥ ଶୀତଳାପଲ୍ଲୀ ଅଞ୍ଚଳରେ ଏହି ସ୍ୱତନ୍ତ୍ର କୋଭିଡ୍ ହସ୍ପିଟାଲ ନିର୍ମାଣ କରାଯାଇଛି। ସେଠାରେ ଥିବା ଟାଟା ହସ୍ପିଟାଲରେ ଏହି ସ୍ୱତନ୍ତ୍ର କୋଭିଡ୍ ହସ୍ପିଟାଲ ନିର୍ମାଣ କରାଯାଇଛି। ଶୁକ୍ରବାର ଜିଲ୍ଲାପାଳ ଏହାକୁ ଉଦଘାଟନ କରିଛନ୍ତି। ଏହି ହସ୍ପିଟାଲରେ ସର୍ବମୋଟ ୨୦୦ଟି ଶଯ୍ୟା ରହିଥିବାବେଳେ ୧୫ଟି ଭେଣ୍ଟିଲେଟର କାର୍ଯ୍ୟକ୍ଷମ ରହିଛି ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି। ଏଥିସହ ଏଠାରେ ୧୬ ଜଣିଆ ଡାକ୍ତର ଟିମ୍ ଆକ୍ରାନ୍ତମାନଙ୍କର ଚିକିତ୍ସା କରିବେ ବୋଲି କୁହାଯାଇଛି।

corona

ସେହିପରି ଯାଜପୁର ଜିଲ୍ଲାରେ ଡୁବୁରିଠାରେ ଥିବା ଟାଟା ହସ୍ପିଟାଲକୁ ସ୍ୱତନ୍ତ୍ର କୋଭିଡ୍ ହସ୍ପିଟାଲରେ ରୂପାନ୍ତରିତ କରାଯାଇଛି। ଜିଲ୍ଲାର ଜିଲ୍ଲାପାଳ ଶୁକ୍ରବାର ଏହି ହସ୍ପିଟାଲକୁ ଉଦଘାଟନ କରିଛନ୍ତି। ଏହି ହସ୍ପିଟାଲରେ ମୋଟ ୧୫୦ଟି ଶଯ୍ୟା ରହିଥିବାବେଳେ ୨୫ଟି ଆଇସିୟୁ ଓ ୧୦ଟି ଭେଣ୍ଟିଲେଟର କାର୍ଯ୍ୟ କରୁଛି। ଏହି ସ୍ୱତନ୍ତ୍ର କରୋନା ହସ୍ପିଟାଲରେ କେବଳ କରୋନା ରୋଗୀମାନଙ୍କର ଚିକିତ୍ସା କରାଯିବ। ଏଥିରେ ନିୟୋଜିତ ଥିବା ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀମାନେ ଅନ୍ୟରୋଗୀମାନଙ୍କର ଚିକିତ୍ସା କରିବେ ନାହିଁ ବୋଲି ରାଜ୍ୟ ସରକାର ପୂର୍ବରୁ ଘୋଷଣା କରିସାରିଛନ୍ତି।

ବର୍ତ୍ତମାନ ସୁଦ୍ଧା ସାରା ରାଜ୍ୟରେ ୪୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏଥିସହ କରୋନାରେ ରାଜ୍ୟରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ମଧ୍ୟ ହୋଇଛି। ବାକିଥିବା ୪୫ ଜଣ ଆକ୍ରାନ୍ତ ଏବେ ରାଜ୍ୟର ବିଭିନ୍ନ ସ୍ୱତନ୍ତ୍ର କୋଭିଡ୍ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

 

Comment