ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

ଲକଡାଉନ୍ ଅବଧି ବୃଦ୍ଧି କରିବାକୁ ପ୍ରଧାନମନ୍ତ୍ରୀଙ୍କ ପାଖରେ ଅପିଲ୍ କଲେ ୧୦ ରାଜ୍ୟର ମୁଖ୍ୟମନ୍ତ୍ରୀ। କରୋନା ଭାଇରସ୍ ନଥମିବା ପର୍ଯ୍ୟନ୍ତ ଲକଡାଉନ୍ ଜାରି ରଖିବାକୁ ଏହି ମୁଖ୍ୟମନ୍ତ୍ରୀମାନେ ପ୍ରଧାନମନ୍ତ୍ରୀଙ୍କ ପାଖରେ ଅପିଲ୍ କରିଛନ୍ତି।

ଶନିବାର ଦେଶରେ ଲକଡାଉନ୍ ଅବଧି ବୃଦ୍ଧି କରାଯିବାକୁ ନେଇ ପ୍ରଧାନମନ୍ତ୍ରୀ ଦେଶର ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା କରିଥିଲେ। ଏହି ଆଲୋଚନା କାଳରେ ୧୧ ଜଣ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରୁ ଦଶଜଣ ମୁଖ୍ୟମନ୍ତ୍ରୀ ଏଥିପ୍ରତି ସମର୍ଥନ ଜଣାଇଥିବା ସୂଚନା ମିଳିଛି।ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ସହିତ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ, ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂହ ରାୱତ, ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ସିଂହ ପ୍ରମୁଖ ଦେଶରେ ଲକଡାଉନ୍ ବୃଦ୍ଧି କରିବାକୁ ମୋଦୀଙ୍କ ନିକଟରେ ଅପିଲ୍ କରିଛନ୍ତି। ଏଥିସହିତ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ଲକଡାଉନ୍ ପାଇଁ କେନ୍ଦ୍ର ସରକାରଙ୍କଠାରୁ ଆର୍ଥିକ ସାହାଯ୍ୟ ମାଗିଛନ୍ତି।

ଅନ୍ୟପଟେ ପ୍ରଧାନମନ୍ତ୍ରୀ ମୋଦୀ ଏହି ଆଲୋଚନା କାଳରେ କହିଛନ୍ତି ଯେ କେନ୍ଦ୍ର ଓ ରାଜ୍ୟ ମିଳିତ ହେଲେ ହିଁ କରୋନାକୁ ପରାସ୍ତ କରିହେବ। ଏଥିସହିତ ମୋଦୀ କରୋନା ମୁକାବିଲା ପାଇଁ ୨୪ ଘଣ୍ଟା ପ୍ରସ୍ତୁତ ଅଛନ୍ତି ବୋଲି ମୁଖ୍ୟମନ୍ତ୍ରୀମାନଙ୍କୁ କହିଛନ୍ତି।

କରୋନା କାରଣରୁ ମାର୍ଚ୍ଚ ୨୫ରୁ ସାରା ଦେଶରେ ୨୧ ଦିନିଆ ଲକଡାଉନ୍ ଘୋଷଣା କରାଯାଇଛି। ଯାହାକି ଏପ୍ରିଲ୍ ୧୪ ତାରିଖରେ ଶେଷ ହେବାକୁ ଯାଉଛି। ହେଲେ ଦେଶରେ ବର୍ତ୍ତମାନ ସୁଦ୍ଧା କରୋନା ସ୍ଥିତି ସୁଧୁରିନି। ଏବେ ବି ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୭ ହଜାର ଟପିଥିବେଳେ ମୃତକଙ୍କ ସଂଖ୍ୟା ମଧ୍ୟ ଦିନକୁ ଦିନ ବୃଦ୍ଧି ପାଉଛି। ଯଦି ଏଭଳି ପରିସ୍ଥିତିରେ ଲକଡାଉନ୍ ଉଠିଯାଏ ତେବେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବ ବୋଲି କୁହାଯାଉଛି।corona

ଏହି କାରଣରୁ ସାରା ଦେଶରେ ଲକଡାଉନ୍ ଅବଧିକୁ ଏପ୍ରିଲ୍ ୩୦ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ଆଲୋଚନା କରାଯାଉଛି। ଏପରି ହେଲେ ହିଁ କରୋନାକୁ ମୁକାବିଲା କରିବା ସମ୍ଭବ ହୋଇପାରିବ ବୋଲି କୁହାଯାଇଛି।

Comment