ଓଡ଼ିଶାଲାଇଭ୍ ବ୍ୟୁରୋ
ମାର୍ଚ୍ଚ ୧୫ ତାରିଖରେ ଓଡ଼ିଶାର ପ୍ରଥମ କରୋନା ଆକ୍ରାନ୍ତଙ୍କ ସନ୍ଧାନ ମିଳିଲା। ତା’ ପରଠାରୁ କ୍ରମାଗତ ଭାବେ କରୋନା ପଜିଟିଭ କେସ୍ ବଢି ଚାଲିଲା। ଯଦିଓ ଗତ ତିନି ଦିନ ମଧ୍ୟରେ ନୂଆ ଘଟଣା ସାମ୍ନାକୁ ଆସିନାହିଁ। ଓଡ଼ିଶାରେ ଏପର୍ଯ୍ୟନ୍ତ ଚିହ୍ନଟ କରାଯାଇଥିବା କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ସର୍ବାଧିକ ହେଉଛନ୍ତି ଖୋର୍ଦ୍ଧା ଜିଲ୍ଲାର। ଅନ୍ୟ ଯେଉଁ ସବୁ ଜିଲ୍ଲା କରୋନା ତାଲିକା ଭିତରକୁ ଆସିଛନ୍ତି ସେଗୁଡ଼ିକ ହେଲା ଖୋର୍ଦ୍ଧା- ୪୦,ଭଦ୍ରକ -୩, କଟକ -୧, ଢେଙ୍କାନାଳ- ୧, ଯାଜପୁର- ୧, କଳାହାଣ୍ଡି -୧, କେନ୍ଦ୍ରାପଡା -୨, ସୁନ୍ଦରଗଡ଼-୨ ଓ ପୁରୀ- ୧।
ଆମେ ଯଦି ଆହୁରି ଭିତରକୁ ଯିବା, ଖୋର୍ଦ୍ଧା ଜିଲ୍ଲାରେ ରାଜଧାନୀ ଭୁବନେଶ୍ୱରରୁ ହିଁ ସବୁ ଯାକ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ଭୁବନେଶ୍ୱର ମହାନଗର ନିଗମର ମୋଟ ୬୭ଟି ୱାର୍ଡ। ଏହି ୱାର୍ଡ ଭିତରୁ ନିର୍ଦ୍ଦିଷ୍ଟ କେତେକ ୱାର୍ଡରେ ହିଁ କରୋନା କେସ୍ ବାହାରିଛି।
ଭୁବନେଶ୍ୱର ମହାନଗର ନିଗମ ଅଧୀନରେ ଥିବା ଉତ୍ତର ମଣ୍ଡଳର ୨୬ଟି ୱାର୍ଡ (୧ ରୁ୨୬)ରେ କୌଣସି ଗୋଟିଏ ବି କେସ ଆସିନଥିଲା ବେଳେ ଦକ୍ଷିଣ-ପଶ୍ଚିମ ମଣ୍ଡଳ ଅଧୀନରେ ଥିବା ୨୧ଟି ୱାର୍ଡ ଭିତରୁ ବି କୌଣସି ରୋଗୀଙ୍କୁ ଚିହ୍ନଟ କରାଯାଇ ନାହିଁ।
ବାକି ରହିଲା ଦକ୍ଷିଣ-ପୂର୍ବ ଜୋନ। ଏହି ଜୋନରେ ସର୍ବାଧିକ ୨୫ଟି ୱାର୍ଡ ରହିଛି। ଅଧିକାଂଶ କରୋନା ରୋଗୀ ଏହି ମଣ୍ଡଳରୁ ହିଁ ବାହାରିଛନ୍ତି। ମଧୁସୂଦନ ନଗର, ୟୁନିଟ ୪, ବମିଖାଲ, ସତ୍ୟନଗର ଓ ସୂର୍ଯ୍ୟ ନଗର କରୋନା ଆକ୍ରାନ୍ତଙ୍କ ପାଇଁ ଚର୍ଚ୍ଚାରେ ରହିଥିଲା।
















