ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆସନ୍ତାକାଲି ସକାଳ ୧୦ଟାରେ ମୋଦୀ ଦେଶବାସୀଙ୍କୁ ସମ୍ବୋଧିତ କରିବେ।

ସାରା ଦେଶରେ ଲାଗୁ ହୋଇଥିବା ୨୧ ଦିନିଆ ଲକ୍‌ଡାଉନ୍‌ ଅବଧି ଆସନ୍ତାକାଲି ଶେଷ ହେଉଛି। ଏହି ଶେଷ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ସମ୍ବୋଧିତ କରିବେ। ମୋଦୀ ଆସନ୍ତାକାଲି ସକାଳ ୧୦ଟାରେ ଟିଭି ପରଦାରେ ଦେଶବାସୀଙ୍କୁ କ’ଣ କହିବେ ତା’ ଉପରେ ସମସ୍ତଙ୍କ ନଜର ରହିଛି।

କରୋନା ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ପ୍ରଥମେ ମାର୍ଚ୍ଚ ୧୯ ତାରିଖରେ ଦେଶବାସୀଙ୍କୁ ସମ୍ବୋଧିତ କରିଥିଲେ। ୨୨ ମାର୍ଚ୍ଚରେ ଜନତା କର୍ଫ୍ୟୁ ପାଳନ କରିବାକୁ ମୋଦୀ ଅପିଲ୍‌ କରିଥିଲେ। ଜନତା କର୍ଫ୍ୟୁ ସଫଳତା ହାସଲ କରିବା ପରେ ମୋଦୀ ୨୪ ମାର୍ଚ୍ଚରେ ଟିଭି ପରଦାକୁ ଆସିଥିଲେ ଏବଂ ୨୧ ଦିନିଆ ଲକ୍‌ଡାଉନ୍‌ ଘୋଷଣା କରିଥିଲେ।

ସେହିପରି ଏପ୍ରିଲ ୩ ତାରିଖରେ ମୋଦୀ ସକାଳ ୯ଟାରେ ଦେଶବାସୀଙ୍କୁ ପୁଣି ସମ୍ବୋଧିତ କରିଥିଲେ। ୫ ତାରିଖ ରାତି ୯ଟାରେ ୯ ମିନିଟ୍‌ ସମୟ ମାଗିଥିଲେ। ଏହି ସମୟରେ ଘରର ଲାଇଟ୍‌ ବନ୍ଦ କରି ଦୀପ, ମହମବତୀ, ଟର୍ଚ୍ଚ ଏବଂ ମୋବାଇଲ୍‌ ଫ୍ଲାସ୍‌ ଜଳାଇବାକୁ ଅପିଲ କରିଥିଲେ।

ଏହାପରେ ମୋଦୀ ପୁଣି ଆସନ୍ତାକାଲି ସକାଳ ୧୦ଟାରେ ଆସୁଛନ୍ତି। ଲକ୍‌ଡାଉନ୍‌ ଅବଧି ଶେଷ ହେଉଥିବାରୁ ମୋଦୀ ଦେଶବାସୀଙ୍କୁ ଆଉ କ’ଣ ନୂଆ କଥା କହିବେ ତାକୁ ନେଇ ଚର୍ଚ୍ଚା ଲାଗି ରହିଛି। ବିଭିନ୍ନ ରାଜ୍ୟ ଇତିମଧ୍ୟରେ ଲକ୍‌ଡାଉନ୍‌ ଅବଧି ବୃଦ୍ଧି କରିଛନ୍ତି। ଏପ୍ରିଲ ୩୦ ଯାଏଁ ବିଭିନ୍ନ ରାଜ୍ୟ ସରକାର ଲକ୍‌ଡାଉନ୍‌ ବଢ଼ାଇ ଦେଇଥିବାରୁ ସାରା ଦେଶରେ ମୋଦୀ ଏହି ନିୟମ ଲାଗୁ କରିବେ କି ନାହିଁ ତାହା ଆସନ୍ତାକାଲି ହିଁ ସ୍ପଷ୍ଟ ହୋଇଯିବ।

୫ ରାଜ୍ୟ ବଢ଼ାଇଲେ ଲକ୍‌ଡାଉନ୍‌

୧୪ ତାରିଖରେ ୨୧ ଦିନିଆ ଲକ୍‌ଡାଉନ୍‌ ଅବଧି ଶେଷ ହେବା ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ ଭିଡିଓ କନଫରେନ୍ସିଂରେ ଆଲୋଚନା କରିଥିଲେ। ଲକ୍‌ଡାଉନ୍‌ ଅବଧି ବଢ଼ାଇବା କି ନା ସେନେଇ ଆଲୋଚନା କରିଥିଲେ। ଏ ପ୍ରସଙ୍ଗରେ କେନ୍ଦ୍ର ସରକାର କୌଣସି ନିଷ୍ପତ୍ତି ନେବା ଆଗରୁ ଓଡ଼ିଶା ସରକାର ନିଜ ରାଜ୍ୟରେ ଏପ୍ରିଲ ୩୦ ଯାଏଁ ଲକ୍‌ଡାଉନ୍‌ ଅବଧି ବଢ଼ାଇଦେଇଥିଲେ। ଏହାସହ କେନ୍ଦ୍ର ସରକାରଙ୍କୁ ଲକ୍‌ଡାଉନ୍‌ ଅବଧି ବଢ଼ାଇବାକୁ ପ୍ରସ୍ତାବ ଦେଇଥିଲେ।

ଓଡ଼ିଶା ପରେ ପଞ୍ଜାବ, ମହାରାଷ୍ଟ୍ର, ପଶ୍ଚିମବଙ୍ଗ, ତେଲେଙ୍ଗାନା ରାଜ୍ୟ ମଧ୍ୟ ଲକ୍‌ଡାଉନ୍‌ ଅବଧି ବଢ଼ାଇବାକୁ ନିଷ୍ପତ୍ତି ନେଇଥିଲେ। ଏସବୁ ରାଜ୍ୟରେ ଏପ୍ରିଲ ୩୦ ଯାଏଁ ଲକ୍‌ଡାଉନ୍‌ ବଳବତ୍ତର ରହିବ।

ଟ୍ରେନ୍‌, ବସ୍‌, ବିମାନ ଚଳଚଳ ହେବ କି?

ମୋଦୀଙ୍କ ଭିଡିଓ କନଫରେନ୍ସିଂ ବେଳେ ୧୨ ରାଜ୍ୟର ମୁଖ୍ୟମନ୍ତ୍ରୀ ଲକ୍‌ଡାଉନ୍‌ ଅବଧି ବଢ଼ାଇବାକୁ ପ୍ରସ୍ତାବ ଦେଇଥିଲେ। ଏହାସହ ଓଡ଼ିଶା ସରକାର ଆଉ ଏକପାଦ ଆଗକୁ ଯାଇ ଟ୍ରେନ୍‌ ଓ ବିମାନ ଚଳାଚଳ ଏପ୍ରିଲ ୩୦ ଯାଏଁ ବାତିଲ କରିବାକୁ ମୋଦୀ ସରକାରଙ୍କୁ ପ୍ରସ୍ତାବ ଦେଇଥିଲେ। ହେଲେ ଏନେଇ କେନ୍ଦ୍ର ସରକାରଙ୍କର ବରିଷ୍ଠ ମନ୍ତ୍ରୀ ଓ ସଚିବଙ୍କ ଭିତରେ ଘମାଘୋଟ ଆଲୋଚନା ହୋଇଥିଲା। ଟ୍ରେନ୍‌, ବସ୍‌ ଏବଂ ବିମାନ ଚଳାଚଳ ଚାଲିବ କି ନାହିଁ ତାହା ଏବେ ସସ୍‌ପେନ୍ସରେ ରହିଛି। ଆସନ୍ତାକାଲି ମୋଦୀଙ୍କ ସମ୍ବୋଧନ ପରେ ହିଁ ଜଣାପଡ଼ିବ ଟ୍ରେନ୍‌, ବସ୍‌, ବିମାନ ଚଳାଚଳ ଉପରେ ପ୍ରତିବନ୍ଧକ ଲାଗିବ କି ନାହିଁ।

coronaସାମାଜିକ, ରାଜନୈତିକ, ଧାର୍ମିକ, କ୍ରୀଡ଼ା କାର୍ଯ୍ୟକ୍ରମ ଆଦିରେ ଯେଉଁ କଟକଣା ଲାଗିଥିଲା ତାହା ବଳବତ୍ତର ରହିବ। ସିନେମା ହଲ, ମଲ୍‌, ପାର୍କ, ପର୍ଯ୍ୟଟନ ସ୍ଥଳ ମଧ୍ୟ ଏବେ ଲକ୍‌ଡାଉନ୍‌ ମୁକ୍ତ ହେବନାହିଁ ବୋଲି କୁହାଯାଉଛି।

କୃଷିକ୍ଷେତ୍ର, ମନରେଗା, ପଶୁପାଳନ, ମତ୍ସ୍ୟ ଚାଷ ଆଦି କାର୍ଯ୍ୟ ଲକ୍‌ଡାଉନ୍‌ କଟକଣା ମୁକ୍ତ ରହିବ ବୋଲି କୁହାଯାଉଛି। ତେବେ ମୋଦୀ କରୋନା ଏବଂ ଲକ୍‌ଡାଉନ୍‌କୁ ନେଇ କ’ଣ ନୂଆ କଥା କହୁଛନ୍ତି ତାହା ଆସନ୍ତାକାଲି ହିଁ ଜଣାପଡ଼ିବ।

Comment