ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
କୋରାପୁଟ ଜିଲ୍ଲାରେ ଉଦଘାଟିତ ହେଲା କରୋନା ହସ୍ପିଟାଲ। ୧୫୦ ଶଯ୍ୟା ବିଶିଷ୍ଟ ଏହି ସ୍ୱତନ୍ତ୍ର କୋଭିଡ୍ ହସ୍ପିଟାଲକୁ ଜିଲ୍ଲାପାଳ ମଧୁସୂଦନ ମିଶ୍ର ଉଦଘାଟନ୍ କରିଛନ୍ତି।
କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ବିଭିନ୍ନ ଜିଲ୍ଲାମାନଙ୍କରେ ସ୍ୱତନ୍ତ୍ର କୋଭିଡ୍ ହସ୍ପିଟାଲ ନିର୍ମାଣ କରୁଛନ୍ତି। ଏହିକ୍ରମରେ ସୋମବାର କୋରାପୁଟର ଜୟପୁର ପୁରୁଣା ସବଡିଭିଜନ୍ ହସ୍ପିଟାଲକୁ ସ୍ୱତନ୍ତ୍ର କରୋନା ହସ୍ପିଟାଲ କରାଯାଇଛି। ନାଲକୋ ଓ ଜୟପୁର ବିଧାୟକ ପାଣ୍ଠିର ମିଳିତ ସହାୟତାରେ ଏଠାରେ ଏହି ୧୫୦ ଶଯ୍ୟା ବିଶିଷ୍ଟ କରୋନା ହସ୍ପିଟାଲ ନିର୍ମାଣ କରାଯାଇଛି। ଏଥିରେ ୪ଟି ଆଇସିୟୁ ରହିଥିବାବେଳେ ୩ଟି ଭେଣ୍ଟିଲେଟରର ମଧ୍ୟ ବ୍ୟବସ୍ଥା ରହିଛି।
ହସ୍ପିଟାଲକୁ କଡ଼ା ସୁରକ୍ଷା ମଧ୍ୟରେ ରଖାଯାଇଥିବାବେଲେ ସାନିଟାଇଜେସନ ପ୍ରତି ବିଶେଷ ଦୃଷ୍ଟି ରଖାଯାଉଛି।ବର୍ତ୍ତମାନ ସୁଦ୍ଧା ଜିଲ୍ଲାରୁ ୯୦ଟି ନମୁନା ପରୀକ୍ଷା ପାଇଁ ପଠାଯାଇଥିବାବେଳେ ସେଥିମଧ୍ୟରୁ ୧୯ଟିର ରିପୋର୍ଟ ଆସିଛି। ଏଥିସହିତ ସମସ୍ତ ରିପୋର୍ଟ ନେଗେଟିଭ୍ ରହିଛି ବୋଲି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ସୂଚନା ଦେଇଛନ୍ତି। ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ କରୋନା ପଜିଟିଭ୍ ଚିହ୍ନଟ ହୋଇନଥିଲେ ମଧ୍ୟ ମୁକାବିଲା ଦୃଷ୍ଟିରୁ ଏହି ହସ୍ପିଟାଲ ଖୋଲାଯାଇଛି ବୋଲି କୁହାଯାଇଛି।
ହସ୍ପିଟାଲର ଏହି ଲୋକାର୍ପଣ କାଯ୍ୟକ୍ରମରେ ଅତିରିକ୍ତ ଜିଲାପାଳ ଦେବନ ପ୍ରଧାନ, ଡିଆରଡିଏ ପିଡି ପ୍ରବିର କୁମାର ନାୟକ, ଜିଲ୍ଲା ଚିକିତ୍ସାଧିକାରୀ ମକରନ୍ଦ ବେଉରା, ଉପ-ଜିଲାପାଳ ଲୋକନାଥ ଦଳ ବେହେରା, ପୌର କାଯ୍ୟନିବାହୀ ଅଧିକାରୀ ଆଲୋକ ରଞ୍ଜନ ସାମନ୍ତରାୟ ପ୍ରମୁଖ ଉପସ୍ଥିତ ଥିଲେ ।