ଓଡ଼ିଶାଲାଇଭ୍‌ ବ୍ୟୁରୋ

କେନ୍ଦ୍ର ସରକାର ସହାୟତା ନକଲେ ଦେଶର ୬.୩ କୋଟି ଏମ୍‌ଏସ୍‌ଏମ୍‌ଇ ବରବାଦ ହୋଇଯିବ। ଲକ୍‌ଡାଉନକୁ ବିମୁଦ୍ରୀକରଣ ସହ ତୁଳନା କଲା କଂଗ୍ରେସ।

କରୋନା ମହାମାରୀ ନିୟନ୍ତ୍ରଣ ପାଇଁ ସାରା ଦେଶକୁ ଲକ୍‌ଡାଉନ୍‌ କରିଛନ୍ତି କେନ୍ଦ୍ର ସରକାର। ଏହି ଲକ୍‌ଡାଉନ୍‌ ଯୋଗୁଁ ଦେଶରେ ଆର୍ଥିକ ସଙ୍କଟ ଦେଖାଦେବା ନେଇ ବିଶେଷଜ୍ଞମାନେ ମତ ଦେଉଛନ୍ତି। ଏହି ପରିସ୍ଥିତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଚିଠି ଲେଖିଛନ୍ତି।  ଅଣୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ପାଇଁ ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କରିବାକୁ ସୋନିଆ ଦାବି କରିଛନ୍ତି।

‘‘ଦେଶର ଅର୍ଥନୀତିକୁ ସୁଦୃଢ଼ କରିବାରେ ଏମ୍‌ଏସ୍‌ଏମ୍‌ଇ ସେକ୍ଟରର ଅବଦାନ ଅଧିକ ରହିଛି। ଦେଶର ଜିଡିପି ଅଭିବୃଦ୍ଧିରେ ଏମ୍‌ଏସ୍‌ଏମ୍‌ଇର ଏକ ତୃତୀୟାଂଶ ଅବଦାନ ରହିଛି। ଏହି ଶିଳ୍ପରେ ୧୧ କୋଟି ଲୋକ କାମ କରୁଛନ୍ତି। ହେଲେ ଲକ୍‌ଡାଉନ୍‌ ପାଇଁ କମ୍ପାନିମାନେ କର୍ମଚାରୀଙ୍କୁ ଦରମା ଦେବା ସ୍ଥିତିରେ ନାହାନ୍ତି। କର୍ମଚାରୀମାନଙ୍କ ଚାକିରି ପ୍ରତି ସମସ୍ୟା ଦେଖାଦେଇଛି। ଯଦି ସରକାର ସେମାନଙ୍କୁ ସହାୟତା ନକରିବେ ତାହାଲେ ୬.୩ କୋଟି ଏମ୍‌ଏସ୍‌ଏମ୍‌ଇ ବରବାଦ ହୋଇଯିବ’’, ଚିଠିରେ ଦର୍ଶାଇଛନ୍ତି ସୋନିଆ ଗାନ୍ଧୀ।

ସୋନିଆ ଆହୁରି କହିଛନ୍ତି ଯେ, ଲକ୍‌ଡାଉନ୍‌ ପାଇଁ ଦେଶର ଏମ୍‌ଏସ୍‌ଏମ୍‌ଇ ସେକ୍ଟର ପ୍ରତିଦିନ ୩୦ ହଜାର କୋଟି କ୍ଷତି ସହୁଛି। ଏମ୍‌ଏସ୍‌ଏମ୍‌ଇ ସେକ୍ଟର ପାଖରେ କିଣିବା ପାଇଁ କୌଣସି ଅର୍ଡର ନାହିଁ। ଏମ୍‌ଏସ୍‌ଏମ୍‌ଇ କ୍ଷେତ୍ରରେ ଚାକିରି କରୁଥିବା କର୍ମଚାରୀଙ୍କ ପାଇଁ ସରକାର ପ୍ରଥମେ ୧ ଲକ୍ଷ କୋଟି ଟଙ୍କାର ପ୍ୟାକେଜ ଘୋଷଣା କରନ୍ତୁ।

ରିଜର୍ଭ ବ୍ୟାଙ୍କ ଏମ୍‌ଏସ୍‌ଏମଇ ସେକ୍ଟରକୁ ୠଣ ଯୋଗାଇଦେବା ଦରକାର। ଏହି ଶିଳ୍ପ ପାଇଁ ରିଜର୍ଭ ବ୍ୟାଙ୍କ ତିନି ମାସର ମୋରାଟୋରିୟମ ଅବଧି ଦେବା ଦରକାର। ଏହାସହ କେନ୍ଦ୍ର ଟିକସ ଛାଡ଼ କିମ୍ବା ଟିକସ ହ୍ରାସ ଉପରେ ଗୁରୁତ୍ୱ ଦେବା ଦରକାର ବୋଲି ସୋନିଆ ଦାବି କରିଛନ୍ତି।

କଂଗ୍ରେସ ଲକ୍‌ଡାଉନ୍‌କୁ ସମାଲୋଚନା କରିଛି। ବିମୁଦ୍ରୀକରଣ ଭଳି ଲକ୍‌ଡାଉନ୍‌ ନିଷ୍ପତ୍ତି କେନ୍ଦ୍ର ସରକାର ହଠାତ୍‌ ନେଇଥିବାରୁ ଦେଶରେ ଅଭାବନୀୟ ପରିସ୍ଥିତି ସୃଷ୍ଟି ହେବାକୁ ଯାଉଛି।

Comment