ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

ଦେଶରେ ଦିନକୁ ଦିନ ଅଧିକ ମାରାତ୍ମକ ହେବାରେ ଲାଗିଛି କରୋନା ଭାଇରସ। ରବିବାର ସୁଦ୍ଧା ଦେଶରେ ମୋଟ ୮୨୪ଜଣ କରୋନାରେ ପ୍ରାଣ ହରାଇଥିବାବେଳେ ଏବେ ବି ପାଖାପାଖି ୨୦ ହଜାର ଲୋକ ଆକ୍ରାନ୍ତ ଅଛନ୍ତି। ଏନେଇ କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।
ଦେଶରେ ବର୍ତ୍ତମାନ ୧୯ ହଜାର ୮୬୮ସକ୍ରିୟ ଆକ୍ରାନ୍ତ ରହିଛନ୍ତି। ଦେଶରେ ବର୍ତ୍ତମାନ ସୁଦ୍ଧା ମୋଟ ୫ ହଜାର ୮୦୩ ଜଣ ଲୋକ କରୋନାରୁ ସୁସ୍ଥ ହୋଇଛନ୍ତି। ସେହିଭଳି ୮୨୪ ଜଣ ଲୋକ କରୋନାରେ ପ୍ରାଣ ହରାଇଛନ୍ତି।

ବର୍ତ୍ତମାନ ସୁଦ୍ଧା ମହାରାଷ୍ଟ୍ରରେ ସର୍ବାଧିକ ସାତ ହଜାରରୁ ଅଧିକ ପଜିଟିଭ୍ କେସ୍ ସାମନାକୁ ଆସିଛି। ଏପରିକି ମହାରାଷ୍ଟ୍ରରେ ଏକ ହଜାରରୁ ଅଧିକ ଲୋକ ପ୍ରାଣ ମଧ୍ୟ ହରାଇସାରିଲେଣି। ମହାରାଷ୍ଟ୍ର ପରେ ଗୁଜରାଟ, ମଧ୍ୟପ୍ରଦେଶ ଓ ଦିଲ୍ଲୀ ସବୁଠୁ ଅଧିକ ପ୍ରଭାବିତ ହୋଇଛନ୍ତି।
ଅନ୍ୟପଟେ ଓଡ଼ିଶାର ରାଉରକେଲାରେ ରବିବାର ଆଉ ତିନିଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏଥିସହ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦୩କୁ ବୃଦ୍ଧି ପାଇଛି। ସେଥିମଧ୍ୟରୁ ୩୪ ଜଣ ସୁସ୍ଥ ହୋଇଥିବାବେଳେ ଏବେ ବି ୬୮ ଜଣ ସକ୍ରିୟ ରହିଛନ୍ତି।


















