ଓଡ଼ିଶାଲାଇଭ୍‌ ବ୍ୟୁରୋ

କେବଳ ବାଲେଶ୍ୱର, ଭଦ୍ରକ ଏବଂ ଯାଜପୁରରୁ ଆକ୍ରାନ୍ତଙ୍କ ସଂଖ୍ୟା ୪୯। ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୧୦।

ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଟପିଛି। ସୋମବାର ଅପରାହ୍‌ଣ ସୁଦ୍ଧା ଆକ୍ରାନ୍ତଙ୍କ ସଂଖ୍ୟା ୧୧୦ରେ ପହଞ୍ଚିଛି। ସେଥିମଧ୍ୟରୁ କେବଳ ତିନି ଜିଲ୍ଲା ବାଲେଶ୍ୱର, ଭଦ୍ରକ ଏବଂ ଯାଜପୁରରୁ ୪୯ ରୋଗୀ ଚିହ୍ନଟ ହୋଇଛନ୍ତି। କେବଳ ଉପକୂଳ ନୁହେଁ, ପଶ୍ଚିମ ଏବଂ ଦକ୍ଷିଣ ଓଡ଼ିଶାରେ ମଧ୍ୟ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି।

ଦିନ ଯେତିକି ଗଡୁଛି କରୋନାକୁ ନେଇ ଭୟ ମଧ୍ୟ ସେତିକି ବଢୁଛି। ପ୍ରତିଦିନ ନୂଆ ନୂଆ କେସ୍‌ ସାମ୍ନାକୁ ଆସୁଛି। ଭୁବନେଶ୍ୱର ପରେ ବାଲେଶ୍ୱର, ଭଦ୍ରକ ଏବଂ ଯାଜପୁରରୁ ସର୍ବାଧିକ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଏହି ତିନି ଜିଲ୍ଲାରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ଲିଙ୍କ୍‌ ପଶ୍ଚିମବଙ୍ଗ ବୋଲି ଜଣାପଡ଼ିଛି। କୋଲକାତା ଫେରନ୍ତାଙ୍କଠାରୁ କରୋନା ଭାଇରସ୍‌ ଚିହ୍ନଟ ହେଉଛି।

ଉପକୂଳରେ କରୋନା

ଭାରତର ଅନ୍ୟ ରାଜ୍ୟରେ ଯେତେବେଳେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଲା ସେତେବେଳେ ଓଡ଼ିଶାରେ ଏହାକୁ ରୋକିବା ପାଇଁ ପଦକ୍ଷେପ ନେଲେ ରାଜ୍ୟ ସରକାର। କରୋନାକୁ ରାଜ୍ୟ ବିପର୍ଯ୍ୟୟ ଘୋଷଣା କରି ସରକାର ବ୍ୟାପକ ସଚେତନତାମୂଳକ ପଦକ୍ଷେପ ଗ୍ରହଣ କଲେ। ହେଲେ ମାର୍ଚ୍ଚ ୧୫ରେ ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ହେବାକୁ ନେଇ ସବୁଠି ଚହଳ ପଡ଼ିଗଲା।

ଇଟାଲିରୁ ଭୁବନେଶ୍ୱର ଆସିଥିବା ଜଣେ ଯୁବକଙ୍କ ଦେହରେ କେରାନା ଲକ୍ଷଣ ଦେଖାଦେବା ପରେ ତାଙ୍କୁ ଆଇସୋଲେସନରେ ଭର୍ତ୍ତି କରାଯାଇଥିଲା। ଏହାପରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଲା। ବିଶେଷକରି ଭୁବନେଶ୍ୱରରେ ଅଧିକ ଆକ୍ରାନ୍ତ ଚିହ୍ନଟ ହେଲେ। ଭୁବନେଶ୍ୱରରେ ୪୬ ଆକ୍ରାନ୍ତ ଚିହ୍ନଟ ହେବା ଚିନ୍ତାର ବିଷୟ ପାଲଟିଥିଲା। ଗତ ୧୦ ଦିନ ହେଲେ ନୂଆ କେସ୍‌ ଭୁବନେଶ୍ୱରରୁ ବାହାରି ନଥିବାରୁ ଲୋକଙ୍କୁ କିଛିମାତ୍ରାରେ ଏହି ଖବର ଆଶ୍ୱସ୍ତ କରିଛି।

ବାଲେଶ୍ୱର, ଭଦ୍ରକ ଏବଂ ଯାଜପୁରରେ କରୋନା

ଭୁବନେଶ୍ୱର ପରେ ଭଦ୍ରକରୁ କରୋନା ରୋଗୀ ଚିହ୍ନଟ ହୋଇଥିଲେ। ଭଦ୍ରକରୁ ପ୍ରଥମେ ଯେଉଁ ତିନି ଜଣ ଚିହ୍ନଟ ହୋଇଥିଲେ ସେମାନେ ଓଡ଼ିଶା ବାହାରୁ ଆସିଥିଲେ। ହେଲେ ଏବେ ଏହି ତିନି ଜିଲ୍ଲାରେ ସ୍ଥିତି ଅଣାୟତ୍ତ ହୋଇପଡ଼ିଛି। ତିନି ଜିଲ୍ଲାରୁ ଅଧା ଆକ୍ରାନ୍ତ ଚିହ୍ନଟ ହେବା ସରକାରଙ୍କ ଚିନ୍ତା ବଢ଼ାଇଛି।

ଯାଜପୁରରୁ ୧୮, ବାଲେଶ୍ୱରରୁ ୧୫, ଭଦ୍ରକରୁ ୧୬ ଜଣ ଆକ୍ରାନ୍ତ ବର୍ତ୍ତମାନସୁଦ୍ଧା ଚିହ୍ନଟ ହୋଇଛନ୍ତି। ଏସବୁ ଆକ୍ରାନ୍ତଙ୍କର କଲିକତା ଲିଙ୍କ୍‌ ଥିବା ସରକାର କହିଛନ୍ତି। ଏହି ତିନି ଜିଲ୍ଲାରେ କଣ୍ଟାକ୍ଟ ଟ୍ରେସିଂ ପାଇଁ ରାଜ୍ୟ ସରକାର ୬୦ ଘଣ୍ଟିଆ ସଟ୍‌ଡାଉନ୍‌ ଘୋଷଣା କରିଥିଲେ।

ପଶ୍ଚିମ ଓଡ଼ିଶାରେ କରୋନା

ଉପକୂଳ ଓଡ଼ିଶା ପରେ ପଶ୍ଚିମ ଓଡ଼ିଶାରେ ମଧ୍ୟ ତାଣ୍ଡବ ରଚିଛି କରୋନା। ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ କଳାହାଣ୍ଡିରୁ ପ୍ରଥମେ ଜଣେ ରୋଗୀ ଚିହ୍ନଟ ହୋଇଥିଲେ। ସେ ବାହାରିନରୁ ଆସିଥିବାରୁ ତାଙ୍କଠାରୁ ପଜିଟିଭ୍‌ ଚିହ୍ନଟ ହୋଇଥିଲା। ହେଲେ ତାଙ୍କ ସହ ଆଉ ଜଣେ ବ୍ୟକ୍ତି ସଂସ୍ପର୍ଶରେ ଆସିଥିବାରୁ ସେ ବି କରୋନା ଜାଲରେ ପଡ଼ିଥିଲେ। ଏବେ ସେ ଦୁଇ ଜଣ ସୁସ୍ଥ ହୋଇଛନ୍ତି।

କଳହାଣ୍ଡି ପରେ ପଶ୍ଚିମ ଓଡ଼ିଶାର ଆଉ ଏ ପ୍ରମୁଖ ଜିଲ୍ଲା ସୁନ୍ଦରଗଡ଼ କରୋନା କବଳରୁ ବାଦ୍‌ ପଡ଼ି ନଥିଲା। ବିଶ୍ରା ଅଞ୍ଚଳରୁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଏବେ ଇସ୍ପାତ ନଗରୀ ରାଉରକେଲାରୁ କରୋନା ଆକ୍ରାନ୍ତ ଚିହ୍ନଟ ହେବା ଚିନ୍ତାର ବିଷୟ ପାଲଟିଛି।

ଦକ୍ଷିଣ ଓଡ଼ିଶାରେ କରୋନା

ଦକ୍ଷିଣ ଓଡ଼ିଶାରେ ଆଜି ପ୍ରଥମ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକର ଜଣେ ପୁରୁଷ ସ୍ୱାସ୍ଥ୍ୟ କର୍ମୀ କରୋନା ଆକ୍ରାନ୍ତ ହେବା ପରେ ସମଗ୍ର ଦକ୍ଷିଣ ଓଡ଼ିଶାରେ ଭୟ ବଢ଼ିଛି। ସବୁଠୁ ବଡ଼ ହେଉଛି ଏହି ସ୍ୱାସ୍ଥ୍ୟ କର୍ମୀଙ୍କ ପାଖରେ କୌଣସି ଲକ୍ଷଣ ଦେଖିବାକୁ ମିଳି ନଥିଲା। ତାଙ୍କ ନମୁନା ପଜିଟିଭ୍‌ ଆସିବା ପରେ ଭୟର ବାତାବରଣ ଦେଖିବାକୁ ମିଳିଛି।

ନିଜାମୁଦ୍ଦିନ୍‌ ପରେ କୋଲକାତା ଚିନ୍ତା

ମାର୍ଚ୍ଚ ଦ୍ୱିତୀୟ ସପ୍ତାହରେ ଦିଲ୍ଲୀର ନିଜାମୁଦ୍ଦିନଠାରେ ଧର୍ମସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଏହି ସମ୍ମିଳନୀରେ ଦେଶ ବିଦେଶରୁ ପ୍ରାୟ ୯ ହଜାର ପ୍ରତିନିଧି ଯୋଗ ଦେଇଥିଲେ। ଏହି ସମ୍ମିଳନୀ ଶେଷ ହେବା ପରେ ଆକ୍ରାନ୍ତଙ୍କ ସଂଖ୍ୟା ଦେଶରେ ବଢ଼ି ଚାଲିଲା।

ବିଭିନ୍ନ ରାଜ୍ୟରେ ଆକ୍ରାନ୍ତ ବଢ଼ିବାରୁ ଏହାର କାରଣ ନିଜାମୁଦ୍ଦିନ ଲିଙ୍କ୍‌ ବୋଲି ଜଣାପଡ଼ିଲା। ଓଡ଼ିଶା ସରକାର ମଧ୍ୟ ରାଜ୍ୟରେ ଏନେଇ ତନାଘନା କଲେ। ନିଜାମୁଦ୍ଦିନରୁ ଯେଉଁମାନେ ଫେରିଛନ୍ତି ସେମାନେ ତୁରନ୍ତ ସରକାରଙ୍କ ପାଖରେ ପଞ୍ଜୀକରଣ କରନ୍ତୁ ବୋଲି ନିର୍ଦ୍ଦେଶନାମା ଦିଆଯାଇଥିଲା।

୭୦ରୁ ଅଧିକ ନିଜାମୁଦ୍ଦିନ ଫେରନ୍ତା ଓଡ଼ିଶାରୁ ବାହାରିଥିଲେ। ସେମାନଙ୍କର ନମୁନା ପରୀକ୍ଷା ହୋଇଥିଲା। ସେଥିମଧ୍ୟରୁ କଟକ, ପୁରୀ, ଯାଜପୁର, ଢେଙ୍କାନାଳ, ସୁନ୍ଦରଗଡ଼ ଜିଲ୍ଲାରୁ ଯେଉଁ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ ସେମାନଙ୍କ ସହ ନିଜାମୁଦ୍ଦିନ ଲିଙ୍କ୍‌ ରହିଥିଲା।

ନିଜାମୁଦ୍ଦିନ ଲିଙ୍କ୍‌ ଖୋଳତାଡ଼ ପରେ ଓଡ଼ିଶାରେ ଆକ୍ରାନ୍ତଙ୍କ ସଂଖ୍ୟା ସ୍ଥିର ରହିଥିଲା। ଗତ ୧୬ ତାରିଖ ପରଠୁ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ନଥିଲା। ଜଣକ ପରେ ଜଣେ ସୁସ୍ଥ ହେବା ଖବର ରାଜ୍ୟବାସୀଙ୍କୁ ଆଶ୍ୱସ୍ତ କରିଥିଲା।

ପଶ୍ଚିମବଙ୍ଗରୁ ଆସିଥିବା ଲୋକଙ୍କ ନମୁନା ପଜିଟିଭ୍‌ ବାହାରିଥିବାରୁ ଏବେ ପଶ୍ଚିମବଙ୍ଗରୁ କେଉଁମାନେ ଆସିଛନ୍ତି ତାକୁ ନେଇ ତନାଘନା ଚାଲିଛି। ପ୍ରତି ପଞ୍ଚାୟତର ସରପଞ୍ଚମାନଙ୍କୁ ଏନେଇ ଦାୟିତ୍ୱ ଦେଇଛନ୍ତି ରାଜ୍ୟ ସରକାର। ଏହାସହ ପଶ୍ଚିମବଙ୍ଗରୁ କେଉଁମାନେ ସେମାନେ ନିଜଆଡୁ ନାମ ପଞ୍ଜୀକରଣ କରିବାକୁ ରାଜ୍ୟ ସରକାର ଆହ୍ୱାନ ଦେଇଛନ୍ତି।

ଆସିବେ ୫ ଲକ୍ଷ ଓଡ଼ିଆ

ଏବେ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୧୦ ଛୁଇଁଛି। ଲକଡାଉନ୍‌ ଖୋଲିବା ପରେ ୫ ଲକ୍ଷ ଓଡ଼ିଆ ଓଡ଼ିଶା ଫେରିବେ ବୋଲି ସରକାର ଆକଳନ କରିଛନ୍ତି। ବିଶେଷକରି ମହାରାଷ୍ଟ୍ର, ଗୁଜରାଟ, ଆନ୍ଧ୍ର ଓ ତେଲେଙ୍ଗାନା ରାଜ୍ୟରୁ ଏହି ଲୋକମାନେ ନିଜ ଗାଁକୁ ଫେରିବେ। ଏମାନଙ୍କ ପାଇଁ ସରକାର ରେଜିଷ୍ଟ୍ରେସନ ବାଧ୍ୟତାମୂଳକ କରିଛନ୍ତି। ହେଲେ ଏସବୁ ରାଜ୍ୟରେ ଅଧିକ ଆକ୍ରାନ୍ତ ସଂଖ୍ୟା ଥିବାରୁ ଓଡ଼ିଶାକୁ ଯେଉଁ ଲୋକମାନେ ଫେରିବେ ସେମାନଙ୍କ ନମୁନା ଯଦି ପଜିଟିଭ୍‌ ଆସିଲା ତାହାଲେ ଆକ୍ରାନ୍ତଙ୍କ ସଂଖ୍ୟା ଓଡ଼ିଶାରେ ଆହୁରି ଅଧିକ ହୋଇପାରେ ବୋଲି କୁହାଯାଉଛି।

Comment