ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

କରୋନା ଭାଇରସକୁ ନେଇ ସମଗ୍ର ବିଶ୍ୱକୁ ଚୀନ ଅନ୍ଧାରରେ ରଖିଥିବା ଅଭିଯୋଗ ଭିତରେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ଚୀନ ବିରୋଧରେ ଆଉ ଏକ ସଙ୍ଗୀନ ଅଭିଯୋଗ ଆଣିଛନ୍ତି। ଟ୍ରମ୍ପ କହିଛନ୍ତି ଯେ କରୋନା ପାଇଁ ଟୀକା ପ୍ରସ୍ତୁତ କରିବା ସକାଶେ ଉଦ୍ୟମ ଚାଲୁ ରହିଥିବା ବେଳେ ଆମେରିକାର ଗବେଷଣା ତଥ୍ୟକୁ ଚୀନ ଚୋରି କରିବା ପାଇଁ ଉଦ୍ୟମ ଚଳାଇଛି।

ଆମେରିକାର ଅଧିକାରୀମାନଙ୍କ କହିବା ଅନୁଯାୟୀ ବିଭିନ୍ନ ସଂସ୍ଥା ଓ ମେଡିକାଲ ଲ୍ୟାବ ଉପରେ ସାଇବର ଅଟାକ ହେଉଛି। ଏହା ଫଳରେ ହସ୍ପିଟାଲ, ରିସର୍ଚ୍ଚ ଲ୍ୟାବ ଓ ସ୍ୱାସ୍ଥ୍ୟ ସେବାକାରୀଙ୍କ ଉପରେ ପ୍ରଭାବ ପଡ଼ିଛି।
ଟ୍ରମ୍ପ ପ୍ରଶାସନର ଜଣେ ଅଧିକାରୀ କହିଛନ୍ତି ଯେ, ଆମେରିକାର ସ୍ୱାସ୍ଥ୍ୟ ଓ ମାନବ ସେବା ବିଭାଗ ଉପରେ ଲଗାତାର ଆକ୍ରମଣ ଚାଲିଛି। ସେ କହିଛନ୍ତି ଯେ ଏହି ଗୁରୁତ୍ୱପୂର୍ଣ୍ଣ ବିଭାଗ ଉପରେ କେବଳ ଦୁଇଟି ଦେଶ ଆକ୍ରମଣ କରିପାରିବେ – ଋଷ ଓ ଚୀନ। ତେବେ ଚୀନକୁ ହିଁ ଆମେରିକା ଅଧିକ ସନ୍ଦେହ କରୁଛି। ଆଗରୁ ମଧ୍ୟ ଆମେରିକା ଚାରୋଟି ଦେଶ ଉପରେ ସାଇବର ଆଟାକ ଅଭିଯୋଗ ଆଣିଛି। ଏହି ଦେଶ ଗୁଡ଼ିକ ହେଲା: ଚୀନ, ଋଷ, ଇରାନ ଓ ଦକ୍ଷିଣ କୋରିଆ।


















