ଓଡ଼ିଶାଲାଇଭ୍‌ ବ୍ୟୁରୋ

ପଡ଼ିଆରେ ବିସ୍ଫୋରକ ବ୍ୟାଟିଂ କରି ପ୍ରତିପକ୍ଷଙ୍କୁ ଚିନ୍ତାରେ ପକାଇଥାନ୍ତି ଏହି ଭାରତୀୟ କ୍ରିକେଟର। ସେ ଆଉ କେହି ନୁହନ୍ତି ସେ ହେଉଛନ୍ତି ଭାରତୀୟ ଟିମ୍‌ର ହିଟ୍‌ ମ୍ୟାନ ରୋହିତ ଶର୍ମା। ଆଜି ରୋହିତ ଶର୍ମା ୩୩ ବର୍ଷରେ ପାଦ ଦେଇଛନ୍ତି। ଆଜିର ଦିନରେ ମହାରାଷ୍ଟ୍ରର ନାଗପୁରରେ ଜନ୍ମଗ୍ରହଣ କରିଥିଲେ।

ରୋହିତ ଶର୍ମାଙ୍କ ନିଜ ଘର ହାଇଦ୍ରାବାଦରେ। ସେ ନିଜ ପରିବାର ସହ ନାଗପୁରରେ ରୁହନ୍ତି। ସେ ମୁମ୍ଵାଇରେ କୋଚ୍‌ ଦିନେଶ ଲଡଙ୍କ ସହ କ୍ରିକେଟ ଶିକ୍ଷା ନେଇଥିଲେ। ଦିନେଶ ଲଡ୍‌ ରମାକାନ୍ତ ଆଚ୍ରେକରଙ୍କଠାରୁ କ୍ରିକେଟ ଶିକ୍ଷା ଲାଭ କରିଥିଲେ। ପରେ ସେ ଅନ୍ତର୍ଜାତୀୟ କ୍ରିକେଟରେ ପାଦ ଦେଇଥିଲେ।

ସେ ୨୦୦୭ ଜୁନ୍‌ ୨୩ରେ ଆୟର୍ଲାଣ୍ଡ ବିପକ୍ଷ ଦିନିକିଆରେ ପଦାର୍ପଣ କରିଥିଲେ। ଏହା ପରେ ସେ ଆଉ ପଛକୁ ଫେରି ନଥିଲେ। ଦିନିକିଆରେ ସେ ଅନେକ ରେକର୍ଡ ମଧ୍ୟ କରିଛନ୍ତି। ସେହିପରି ସେ ୨୦୦୭ ସେପ୍ଟେମ୍ଵର ୧୯ରେ ଇଂଲଣ୍ଡ ବିପକ୍ଷ ଟି-୨୦ରେ ପଦାର୍ପଣ କରିଥିଲେ। ପରେ ୨୦୧୩ରେ ଟେଷ୍ଟ ଖେଳିଥିଲେ।

ସେ ତାଙ୍କ କ୍ୟାରିୟରରେ ୨୨୪ ଦିନିକିଆ ମ୍ୟାଚରେ ୯ ହଜାର ୧୧୫ ରନ୍‌ କରିଛନ୍ତି। ସେହିପରି ୧୦୮ ଟି-୨୦ ମ୍ୟାଚରେ ୨ ହଜାର ୭୭୩ ରନ୍‌ କରିଛନ୍ତି। ସେହିପରି ଟେଷ୍ଟରେ ୩୨ ମ୍ୟାଚ ଖେଳି ୨ ହଜାର ୧୪୧ ରନ୍‌ କରିଛନ୍ତି। ଏହା ଛଡ଼ା ସେ ତାଙ୍କ କ୍ୟାରିୟରରେ ଅନେକ ରେକର୍ଡ ମଧ୍ୟ କରିଛନ୍ତି।

ରୋହିତ ଶର୍ମା ଦିନିକିଆରେ ୨୯ ଶତକ କରିଥିବା ବେଳେ ୩ ଦ୍ଵିଶତକ ଓ ୪୩ଟି ଅର୍ଦ୍ଧଶତକ କରିଛନ୍ତି। ଟି-୨୦ରେ ୪ଟି ଶତକ କରିଥିବା ବେଳେ ୨୧ ଅର୍ଦ୍ଧଶତକ କରିଛନ୍ତି। ସେହିପରି ଟେଷ୍ଟରେ ୬ ଶତକ, ଗୋଟିଏ ଦ୍ଵିଶତକ ଓ ୧୦ ଅର୍ଦ୍ଧଶତକ କରିଛନ୍ତି।

କେବଳ ଅନ୍ତର୍ଜାତୀୟ କ୍ରିକେଟ ନୁହେଁ ଆଇପିଏଲ୍‌ରେ ମଧ୍ୟ ନିଜ ଦବଦବା ରଖିଛନ୍ତି ରୋହିତ। ସେ ଆଇପିଏଲ୍‌ରେ ମୁମ୍ଵାଇ ଇଣ୍ଡିଆନ୍ସରେ ଅଧିନାୟକ ରହିଛନ୍ତି। ତାଙ୍କ ଅଧିନାୟକତ୍ଵ କାଳରେ ମୁମ୍ଵାଇ ୪ ଥର ଟାଇଟଲ ହାସଲ କରିଛି।

Comment