ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଇସିସି ରାଙ୍କଙ୍ଗିରେ ଶୁକ୍ରବାର ଭାରତକୁ ଏକ ବଡ଼ ଝଟକା ଲାଗିଛି। ପ୍ରକାଶ ପାଇଥିବା ଆଇସିସି ଟେଷ୍ଟ ରାଙ୍କିଙ୍ଗରେ ଭାରତ ପ୍ରଥମ ସ୍ଥାନ ହରାଇଛି। ବର୍ତ୍ତମାନ ଅଷ୍ଟ୍ରେଲିଆ ପ୍ରଥମ ସ୍ଥାନରେ ରହିଛି। ଭାରତ କେବଳ ପ୍ରଥମ ସ୍ଥାନ ହରାଇନି, ଭାରତ ସିଧା ତୃତୀୟ ସ୍ଥାନକୁ ଖସି ଆସିଛି। ଦ୍ଵିତୀୟ ସ୍ଥାନରେ ନ୍ୟୁଜିଲାଣ୍ଡ ରହିଛି।

ଅଷ୍ଟ୍ରେଲିଆ ୧୧୬ ପଏଣ୍ଟରେ ପ୍ରଥମ ସ୍ଥାନରେ ରହିଥିବା ବେଳେ ୧୧୫ ପଏଣ୍ଟ ପାଇ ନ୍ୟୁଜିଲାଣ୍ଡ ଦ୍ଵିତୀୟ ସ୍ଥାନରେ ରହିଛି। ଭାରତ ୧୧୪ ପଏଣ୍ଟରେ ତୃତୀୟ ସ୍ଥାନକୁ ଖସିଛି। ସେହିପରି ୧୦୫ ପଏଣ୍ଟ ପାଇ ଇଂଲଣ୍ଡ ଚତୁର୍ଥ ସ୍ଥାନରେ ରହିଛି।

ଆଇସିସି ରାଙ୍କିଙ୍ଗ ଅନୁଯାୟୀ, ୨୦୧୬-୧୭ ବର୍ଷର ରାଙ୍କିଙ୍ଗକୁ ଅପଡେଟ୍‌ କଲା ପରେ ଏହି ପରିବର୍ତ୍ତନ ହୋଇଛି। ଅକ୍ଚୋବର ୨୦୧୬ ପରେ ଭାରତ ପ୍ରଥମ ଥର ପାଇଁ ଏକ ନମ୍ଵର ସ୍ଥାନ ହରାଇଛି।

ଆଇସିସି ରାଙ୍କଙ୍ଗରେ ସ୍ଥାନ ହରାଇଥିଲେ ମଧ୍ୟ ଆଇସିସି ବିଶ୍ଵ ଟେଷ୍ଟ ଚାମ୍ପିୟନସିପ୍‌ର ପଏଣ୍ଟ ଟେବୁଲରେ ଏକ ନମ୍ଵର ସ୍ଥାନରେ ରହିଛି ଭାରତ। ଏହି ବିଶ୍ଵ ଚାମ୍ପିୟନସିପ୍‌ରେ ୧୨ଟି ଦଳ ରହିଛନ୍ତି। ଭାରତ ଏଥିରେ ୧୨ଟି ଟେଷ୍ଟ ମ୍ୟାଚ ଜିତି ଥିବା ବେଳେ ଗୋଟିଏ ମ୍ୟାଚରେ ପରାଜୟ ହୋଇଛି।

ସେହିପରି ଟେଷ୍ଟ ପରି ଟି-୨୦ରେ ମଧ୍ୟ ଏକ ନମ୍ଵର ସ୍ଥାନ ହାସଲ କରିଛି ଅଷ୍ଟ୍ରେଲିଆ। ପାକିସ୍ତାନକୁ ଏକ ନମ୍ଵରରୁ ହଟାଇ ଅଷ୍ଟ୍ରେଲିଆ ଏହି ସଫଳତା ହାସଲ କରିଛି। ବର୍ତ୍ତମାନ ପାକିସ୍ତାନ ଚତୁର୍ଥ ସ୍ଥାନରେ ରହିଛି। ଭାରତ ତୃତୀୟ ଓ ଇଂଲଣ୍ଡ ଦ୍ଵିତୀୟ ସ୍ଥାନରେ ରହିଛନ୍ତି।

Comment