ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

କରୋନା ଯୋଗୁଁ ଦେଶର ଯେଉଁ ସବୁ ଜିଲ୍ଲାକୁ ରେଡ୍ ଜୋନରେ ଗଣତି କରାଯାଉଛି ସେହି ଜିଲ୍ଲାମାନଙ୍କରେ ଲକଡାଉନ ବଳବତ୍ତର ରହିବ। ଯେଉଁଠି କରୋନାର କୌଣସି ପ୍ରଭାବ ନାହିଁ ସେହି ସବୁ ଜିଲ୍ଲାକୁ ଗ୍ରୀନ ଜୋନରେ ସାମିଲ କରାଯାଇଛି। ଏହି ସବୁ ଜିଲ୍ଲାମାନଙ୍କରେ ଲକଡାଉନ୍ ସ୍ଥିତି କିଛି ସ୍ୱାଭାବିକ ହେବ। ଏହିଭଳି ଏକ ଆଶ୍ୱାସନା ମୂଳକ ଖବର ଆସୁଛି। ଇତିମଧ୍ୟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ବିଭିନ୍ନ ପ୍ରକାର କଟକଣାକୁ କୋହଳ କରାଯାଇଛି। କେନ୍ଦ୍ର ସରକାର ସଂକେତ ଦେଇଛନ୍ତି ଯେ ଗ୍ରୀନ ଜୋନକୁ ନେଇ ଦେଶ ଦୌଡିବ। ତେବେ ସାମାଜିକ ଦୂରତା ଓ ମାସ୍କ ପିନ୍ଧିବା ଜନଜୀବନର ଏକ ଅଂଶ ହୋଇ ରହିବ।

ଭାରତରେ ମୋଟ ୭୩୯ଟି ଜିଲ୍ଲା ଅଛି। ଏଥି ମଧ୍ୟରୁ ୩୦୭ ଜିଲ୍ଲାରେ କରୋନା ଆଦୌ ପଶି ପାରିନାହିଁ। ଏସବୁକୁ କୁହାଯାଉଛି ଗ୍ରୀନ ଜୋନ। ସୋମବାର ପରେ ଏହି ସବୁ ଜିଲ୍ଲାରେ ଥିବା କାରଖାନା, ଦୋକାନ,ଛୋଟବଡ଼ ଶିଳ୍ପ ସଂସ୍ଥା ସମେତ ପରିବହନ ବ୍ୟବସ୍ଥା ଖୋଲିବ। ଆସନ୍ତାକାଲି ସୁଦ୍ଧା କେନ୍ଦ୍ର ଏନେଇ ଫଇସଲା କରିବ। ତେବେ ଶେଷ ନିଷ୍ପତ୍ତି ସମ୍ପୃକ୍ତ ରାଜ୍ୟ ସରକାରମାନେ ହିଁ ନେବେ।
ମେ ୪ ପରଠାରୁ ଗ୍ରୀନ ଜୋନରେ ଥିବା ମୋବାଇଲ ଫୋନ,ଇଲେକ୍ଟ୍ରୋନିକ,ହାର୍ଡ ୱେୟାର, ମରାମତି ,ଲୁଗାପଟା ଦୋକାନ,ରେଷ୍ଟୁରାଣ୍ଟ, ସେଲୁନ ଆଦି ଦୋକାନ ବଜାର ଖୋଲିବ ବୋଲି ଜଣାପଡିଛି। ତେବେ ଏହି ସବୁ ଦୋକାନରେ ଦୂରତା ବଜାୟ ରଖିବାକୁ ହେବ। ସେହିଭଳି କାରଖାନାଗୁଡିକୁ ମଧ୍ୟ ଅନୁମତି ଦିଆଯାଇପାରେ। ଏମଏସଏମଇ ପ୍ରତିଷ୍ଠାନବ ଗୁଡିକୁ କାମ କରିବାକୁ ଅନୁମତି ପ୍ରଦାନ କରାଯାଇପାରେ। ଆହୁରି ମଧ୍ୟ ଇଟାଭାଟି ଓ ଘର ତିଆରି କରିବାକୁ ଅନୁମତି ମିଳିବ।

ଗ୍ରୀନ ଜୋନରେ ପରିବହନ ସେବା ଆସ୍ତେ ଆସ୍ତେ ଆରମ୍ଭ କରାଯିବ। ତେବେ ଆନ୍ତଃ -ରାଜ୍ୟ ପରିବହନ ବନ୍ଦ ରହିବ।ଯେତେ କଟକଣା କୋହଳ ହେଲେ ବି ମୁଖା ପିନ୍ଧିବା ଓ ପରସ୍ପର ମଧ୍ୟରେ ଦୂରତା ରଖିବାକୁ ବାଧ୍ୟ କରାଯିବ।
୩ ମେ ପରେ ଗ୍ରୀନ ଜୋନରେ କୋହଳ ବ୍ୟବସ୍ଥା ଲାଗୁ କରାଯିବ ସତ ହେଲେ ଭିଡ଼କୁ ଆଦୌ ପ୍ରଶ୍ରୟ ଦିଆଯିବ ନାହିଁ। ବିବାହ ଉତ୍ସବ, ଧାର୍ମିକ ଆୟୋଜନ, ମଶାଲ ଯାତ୍ରା ଆଦି କରାଯାଇ ପାରିବ ନାହିଁ। ଉଲ୍ଲେଖଯୋଗ୍ୟ ଯେ, ଓଡ଼ିଶାର ୩ ଜିଲ୍ଲା ସମେତ ଦେଶରେ ୧୨୯ଟି ରେଡ୍ ଜୋନ ଥିବାବେଳେ ମେ ୩ ପରେ ମଧ୍ୟ ଏହି ସବୁ ଜିଲ୍ଲାରେ ଲକଡାଉନର ଚିତ୍ର ହିଁ ଦେଖିବାକୁ ମିଳିବ।


















