ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
ଯାଜପୁରରେ ଚିହ୍ନଟ ହେଲେ ପୁଣି ୨ ଜଣ କରୋନା ପଜିଟିଭ୍। ଏହାସହ ଜିଲ୍ଲାରେ କରୋନା ପଜିଟିଭ୍ ସଂଖ୍ୟା ୩୮କୁ ବୃଦ୍ଧି ପାଇଥିବାବେଳେ ରାଜ୍ୟରେ ପଜିଟିଭ୍ ସଂଖ୍ୟା ୧୪୭ରେ ପହଞ୍ଚିଛି।
ସ୍ୱାସ୍ଥ୍ୟ ବିଭାଗର ପକ୍ଷରୁ ଦିଆଯାଇଥିବା ସୂଚନା ଆଧାରରେ ବୀରରାଜପୁରର ଜଣେ ୫୫ ବର୍ଷୀୟ ପୁରୁଷ କରୋନା ପଜିଟିଭ୍ ଜଣାପଡ଼ିଛନ୍ତି। ନିକଟରେ ସେ କୋଲକାତାରୁ ଫେରିଥିବା ସୂଚନା ରହିଛି। ସେହିଭଳି କଟିକଟା ଅଞ୍ଚଳରୁ ଆଉ ଜଣେ ୭୫ବର୍ଷୀୟ ମହିଳା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେ କୋଲକାତା ଫେରନ୍ତାଙ୍କ ସହ ସଂସ୍ପର୍ଶରେ ଆସିଥିବାରୁ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଦୁଇ ଜଣଯାକ ପଜିଟିଭ୍ କଣ୍ଟେନମେଣ୍ଟ୍ ଜୋନ୍ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି।
ଏଥିସହ କେବଳ ଯାଜପୁର ଜିଲ୍ଲାରେ ୩୮ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ଏବେ ୧୦୫ଜଣ ସକ୍ରିୟ ଆକ୍ରାନ୍ତ ରହିଥିବାବେଳେ ଯାଜପୁର ଜିଲ୍ଲାରେ ସର୍ବାଧିକ ୩୭ ଜଣ ସକ୍ରିୟ ଆକ୍ରାନ୍ତ ରହିଛନ୍ତି।
ଗୁରୁବାର ଗୋଟିଏ ଦିନରେ ଯାଜପୁର ଜିଲ୍ଲାରୁ ୧୭ ଜଣ ପଜିଟିଭ୍ ଚିହ୍ନଟ ହୋଇଥିଲେ। କଟିକଟା କଣ୍ଟେନମେଣ୍ଟ୍ ଜୋନରୁ ଏକାଥରକେ ଏତେସଂଖ୍ୟକ ପଜିଟିଭ୍ ଚିହ୍ନଟ ହେବା ଚର୍ଚ୍ଚାର କାରଣ ପାଲଟିଥିଲା। ଏହାପରେ ଆଜି ପୁଣିଥରେ ଯାଜପୁରରେ ପଜିଟିଭ୍ ଚିହ୍ନଟ ହେବା ରାଜ୍ୟ ସରକାରଙ୍କ ଚିନ୍ତା ବଢ଼ାଇଛି।