ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

ପ୍ରବାସୀ ଓଡ଼ିଆମାନେ ଓଡ଼ିଶାରେ ପ୍ରବେଶ କଲେ ହାତରେ ବାଜିବ ଷ୍ଟାମ୍ପ। କରୋନା  ମୁକାବିଲା କରିବା ପାଇଁ ରାଜ୍ୟ ସରକାର ଏଭଳି କିଛି ପଦକ୍ଷେପ ଗ୍ରହଣ କରିଛନ୍ତି।

ଲକଡାଉନ୍ କାରଣରୁ ହଜାର ହଜାର ପ୍ରବାସୀ ଓଡ଼ିଆ ଅନ୍ୟ ରାଜ୍ୟରେ ଫସି ରହିଛନ୍ତି। ଏହି ପ୍ରବାସୀ ଓଡ଼ିଆମାନଙ୍କୁ ଓଡ଼ିଶା ଫେରାଇ ଆଣିବାକୁ ରାଜ୍ୟ ସରକାର ତତ୍ପରତା ପ୍ରକାଶ କରିଛନ୍ତି। ତେବେ ଏହି ଲୋକମାନେ ଓଡ଼ିଶାକୁ ଫେରିବା ସମୟରେ ତାଙ୍କୁ ନିର୍ଦ୍ଧିଷ୍ଟ କେତେକ ନିୟମ ପାଳନ କରିବାକୁ ପଡ଼ିବ ବୋଲି ରାଜ୍ୟ ସରକାର ସୂଚନା ଦେଇଛନ୍ତି।

ଜିଲ୍ଲା ଅଧିକାରୀଙ୍କଠାରୁ ପାସ୍

ଓଡ଼ିଶା ଫେରିବାକୁ ଥିବା ପ୍ରବାସୀ ଓଡ଼ିଆମାନେ ରୋଡ୍ କିମ୍ବା ଟ୍ରେନ୍ ଯୋଗେ ଓଡ଼ିଶା ଫେରିପାରିବେ। ତେବେ ଫେରିବା ପୂର୍ବରୁ ସେମାନେ ଅନ୍ୟ ରାଜ୍ୟର ଯେଉଁ ଜିଲ୍ଲାରେ ଫସି ରହିଛନ୍ତି ତାର ଜିଲ୍ଲା ଅଧିକାରୀଙ୍କଠାରୁ ଅନୁମତି ଆଣିବାକୁ ପଡ଼ିବ। ଜିଲ୍ଲା ଅଧିକାରୀଙ୍କଠାରୁ ପାସ୍ ପାଇବା ପରେ ହିଁ ସେମାନେ ଓଡ଼ିଶା ଫେରିପାରିବେ। ଏଥିସହିତ ଓଡ଼ିଶା ଫେରିବାକୁ ମଧ୍ୟ ଅନଲାଇନ୍ ରେଜିଷ୍ଟ୍ରେସନକୁ ବାଧ୍ୟତାମୂଳକ କରାଯାଇଛି।

ଓଡ଼ିଶାରେ ୧୧ଟି ବର୍ଡର ପାସ୍

ରୋଡ୍ ଯୋଗେ ଓଡ଼ିଶା ଫେରୁଥିଲେ ପ୍ରବାସୀ ଓଡ଼ିଆମାନେ ଓଡ଼ିଶାର ୧୧ଟି ବର୍ଡର ପୋଷ୍ଟ ମଧ୍ୟରୁ କୌଣସି ଗୋଟିଏ ରାସ୍ତା ଦେଇ ରାଜ୍ୟରେ ପ୍ରବେଶ କରିପାରିବେ। ସୁନ୍ଦରଗଡ଼ର ବୀରମିତ୍ରପୁର, କେଉଁଝରର ଚମ୍ପୁଆ, କୋରାପୁଟର ଚାନ୍ଦିଲି, ଗଞ୍ଜାମର ଗିରିଶୋଲା, ମୟୁରଭଞ୍ଜର ଜାମସୋଲା, ରାୟଗଡ଼ାର କେରଡ଼ା, ନୂଆପଡ଼ାର ଖରିଆର୍ ରୋଡ୍, ବାଲେଶ୍ୱରର ଲକ୍ଷ୍ମଣନାଥ, ବରଗଡ଼ର ଲୁହାରଚେଟି ଓ କୋରାପୁଟର ସୁନକି ଚେକପୋଷ୍ଟ ଦେଇ ଓଡ଼ିଶାରେ ପ୍ରବେଶ କରିବାକୁ ପଡ଼ିବ।

ହାତରେ ବାଜିବ ଷ୍ଟାମ୍ପ

ଏହି ବର୍ଡର ଚେକ୍ ପୋଷ୍ଟରେ ସେମାନେ ଓଡ଼ିଶା ଆସିବାକୁ ରେଜିଷ୍ଟ୍ରେସନ କରିଛନ୍ତି କି ନାହିଁ ସେନେଇ ଯାଞ୍ଚ କରାଯିବ। ଯଦି ବା କୌଣସି ବ୍ୟକ୍ତି ରେଜିଷ୍ଟ୍ରେସନ କରିନଥିବେ ସେହିଠାରେ ହିଁ ତାଙ୍କର ରେଜିଷ୍ଟ୍ରେସନ କରାଯିବ। ଏଥିସହ ତାଙ୍କର ହାତରେ ଅଲିଭା କାଳିରେ ଏକ ଷ୍ଟାମ୍ପ ଲଗାଯିବ। ଯେଉଁଥିରେ ସେ ଓଡ଼ିଶା ପ୍ରବେଶ କରିଥିବା ଦିନ ଲେଖା ହୋଇଥିବ। ଏହି ଦିନକୁ ଦେଖି ତାଙ୍କୁ କ୍ୱାରେଣ୍ଟାଇନରେ ରଖାଯିବ। ଏଥିସହିତ ତାଙ୍କ ଗାଡ଼ିରେ ମଧ୍ୟ ଏକ ପ୍ରକାରର ଷ୍ଟିକର ଲାଗିବ ଯାହା ଓଡ଼ିଶା ମଧ୍ୟରେ ଗାଡ଼ିର ପାସ୍ ଭଳି କାମ କରିବ।

ଟ୍ରେନରେ ଆସିପାରିବେ ଓଡ଼ିଆ

ଟ୍ରେନ୍ ଯୋଗେ ମଧ୍ୟ ପ୍ରବାସୀ ଓଡ଼ିଆମାନେ ନିଜ ରାଜ୍ୟକୁ ଫେରିପାରିବେ। ତେବେ ବିଭିନ୍ନ ରାଜ୍ୟରୁ କେତେକ ନିର୍ଦ୍ଧିଷ୍ଟ ଟ୍ରେନ୍ ଯୋଗେ ହିଁ ଏମାନେ ଓଡ଼ିଶା ଫେରିପାରିବେ। ଏହି ଲୋକମାନେ ମଧ୍ୟ ରାଜ୍ୟର ସମସ୍ତ ଷ୍ଟେସନରେ ନିଜ ଇଚ୍ଛାରେ ଓହ୍ଲାଇପାରିବେ ନାହିଁ। ରାଜ୍ୟର କେତେକ ନିର୍ଦ୍ଧିଷ୍ଟ ରେଳଷ୍ଟେସନରେ ଲୋକମାନେ ଓହ୍ଲାଇପାରିବେ। ଏହାପରେ ବସ ଯୋଗେ ରାଜ୍ୟ ସରକାର ସେମାନଙ୍କ ନିଜ ନିଜ ପଞ୍ଚାୟତ ଓ ଅଞ୍ଚଳକୁ ପଠାଇବେ।

୧୪ ଦିନ କ୍ୱାରେଣ୍ଟାଇନରେ ରହିବେ

ଅନ୍ୟ ରାଜ୍ୟରୁ ଫେରିଥିବା ପ୍ରବାସୀ ଓଡ଼ିଆମାନେ ୧୪ ଦିନ ପାଇଁ କ୍ୱାରେଣ୍ଟାଇନରେ ରହିବେ। ଉଭୟ ସହରାଞ୍ଚଳ ଓ ପଞ୍ଚାୟତସ୍ତରରେ ଏଥିପାଇଁ ବ୍ୟବସ୍ଥା କରାଯାଇଛି। ଯେଉଁମାନେ ହୋମ୍ କ୍ୱାରେଣ୍ଟାଇନରେ ରହିବେ ତାଙ୍କ ଘର ଆଗରେ ଏକ ପ୍ରକାରର ପୋଷ୍ଟର ଲାଗିବ। ଏଥିସହ ସେମାନଙ୍କର ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ। କ୍ୱାରେଣ୍ଟାଇନରେ ରହିବା ପରେ ସେମାନଙ୍କୁ ରାଜ୍ୟ ସରକାରଙ୍କ ତରଫରୁ ୨ ହଜାର ଟଙ୍କା ଦିଆଯିବ।

ନିୟମ ନମାନିଲେ ଦଣ୍ଡ

ଯଦି କୌଣସି ବ୍ୟକ୍ତି ରାଜ୍ୟ ସରକାରଙ୍କ ନିୟମ ନମାନିଲା କିମ୍ବା କ୍ୱାରେଣ୍ଟାଇନ୍ ନିୟମ ଉଲ୍ଲଘଂନ କରେ ତେବେ ତାଙ୍କ ବିରୋଧରେ ଆଇନ୍ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏନେଇ ରାଜ୍ୟ ସରକାର ପୋଲିସ୍ ପ୍ରଶାସନକୁ ନିର୍ଦ୍ଧେଶ ଦେଇସାରିଛନ୍ତି ବୋଲି ସୂଚନା ଦିଆଯାଇଛି।

 

Comment