ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିନା ଲକ୍‌ଡାଉନ୍‌ରେ ଉପଯୁକ୍ତ ପଦକ୍ଷେପରେ କରୋନାକୁ ନିୟନ୍ତ୍ରଣ କରିବାରେ ସଫଳ ହୋଇଛି ଚୀନ୍‌ର ପଡ଼ୋଶୀ ଦେଶ ଦକ୍ଷିଣ କୋରିଆ।

ବର୍ତ୍ତମାନ ସାରା ବିଶ୍ଵରେ କରୋନାର ପ୍ରଭାବ ପଡ଼ିଛି। କରୋନା ଯୋଗୁଁ ବିଶ୍ଵରେ ୩୩ ଲକ୍ଷ ୪୩ ହଜାର ୭୭୭ ଆକ୍ରାନ୍ତ ହୋଇଥିବା ବେଳେ ୨ଲକ୍ଷ ୩୮ ହଜାର ୬୫୦ ଜଣଙ୍କ ମୃତ୍ୟୁ ହୋଇଛି। ହେଲେ ଚୀନ୍‌ର ପଡ଼ୋଶୀ ଦେଶ ହୋଇ ମଧ୍ୟ ବିନା ଲକ୍‌ଡାଉନ୍‌ କରୋନାକୁ ଆୟତ୍ତ କରିବାରେ ସଫଳ ହୋଇଛି ଦକ୍ଷିଣ କୋରିଆ।

ଦକ୍ଷିଣ କୋରିଆରେ ୧୦ ହଜାର ୭୮୦ ଜଣ ଆକ୍ରାନ୍ତ ହୋଇଥିବା ବେଳେ ୯ ହଜାର ୧୨୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସେହିପରି ମାତ୍ର ୨୫୦ ଜଣଙ୍କ ମୃତ୍ୟୁ ହୋଇଛି। ବର୍ତ୍ତମାନ ଦେଶରେ ମାତ୍ର ୧, ୪୦୭ କରୋନା ସକ୍ରିୟ କେସ୍‌ ରହିଛି।

ଫେବ୍ରୁଆରି ଶେଷରେ ଗୋଟିଏ ଦିନରେ ୯୦୦ ମାମଲା ସାମ୍ନାକୁ ଆସିଥିଲା। ହେଲେ ପରବର୍ତ୍ତୀ ଦୁଇ ମାସ ମଧ୍ୟରେ ଏହି ସଂକ୍ରମଣର ହାର କମିବାରେ ଲାଗିଥିଲା। ଏହା ମଧ୍ୟରେ ଏପ୍ରିଲ ମାସରେ ଦକ୍ଷିଣ କୋରିଆରେ ବିଧାନସଭା ନିର୍ବାଚନ ମଧ୍ୟ ହୋଇଥିଲା। ଏହି ସବୁ ବିନା ଲକ୍‌ଡାଉନ୍‌ରେ ସମ୍ଭବ ହୋଇଥିଲା, ଯାହାକି ସାରା ବିଶ୍ଵକୁ ଆଶ୍ଚର୍ଯ୍ୟ କରିଥିଲା।

ଦକ୍ଷିଣ କୋରିଆରେ ବାର୍‌, କାଫେ, ଦୋକାନ ଏବଂ ସମସ୍ତ ହୋଟେଲ ଖୋଲା ରହିଛି। ଖୁବ୍‌ ଶୀଘ୍ର ଚର୍ଚ୍ଚ ଉପରେ ଥିବା ପ୍ରତିବନ୍ଧ ମଧ୍ୟ ହଟାଯିବ। ଏହି ଚର୍ଚ୍ଚରୁ ହିଁ ଦେଶରେ କରୋନା ସଂକ୍ରମଣ ମାମଲା ବୃଦ୍ଧି ପାଇଥିଲା। ଏହି ମାସରୁ ଦେଶରେ ପୁଟବଲ୍‌ ଓ ବେସବଲ୍‌ ଟିମ୍‌ ଖେଳିବା ଆରମ୍ଭ କରିବେ। ବର୍ତ୍ତମାନ ପ୍ରଶ୍ନ ଉଠୁଛି ଯେ କରୋନାକୁ ନେଇ ସବୁ ଚିନ୍ତାରେ ଥିବା ବେଳେ ଦକ୍ଷିଣ କୋରିଆ କେମିତି ଏହାକୁ ଆୟତ୍ତ କରିପାରିଛି?

ଏହାର କାରଣ ହେଉଛି ଦେଶର ସ୍ୱଚ୍ଛ ରଣନୀତି, ଯେଉଁଥିରେ ସାମାଜିକ ଦୂରତା, ଅନୁସନ୍ଧାନ ଏବଂ ଚିକିତ୍ସା ଉପରେ କଡ଼ା ଗୁରୁତ୍ୱ ଦିଆଯାଇଥିଲା। ସରକାର ଏହି ରୋଗ ବିଷୟରେ ଜାଣିବା ପରେ କଣ୍ଟାକ୍ଟ ଟ୍ରେସିଂ ଏବଂ ଯାଞ୍ଚ ଉପରେ ଅଧିକ ଗୁରୁତ୍ୱ ଦେଇଥିଲେ। କରୋନା ଭାଇରସ୍ ଟାସ୍କଫୋର୍ସ ଗଠନ କରାଯାଇଥିଲା, ଯାହାର ମନ୍ତ୍ର ଥିଲା – ପରୀକ୍ଷା ଓ କଣ୍ଟାକ୍ଟ ଟ୍ରାସିଂ।

ଦେଶରେ କରୋନା ଯାଞ୍ଚ ପାଇଁ ୬୦୦ଟି କେନ୍ଦ୍ର ଥିଲା, ଯେଉଁଥିରେ ଗୋଟିଏ ଦିନରେ ୨୦,୦୦୦ ପର୍ଯ୍ୟନ୍ତ ପରୀକ୍ଷା କରାଯାଇଥିଲା। ଟେକ୍ନୋଲୋଜି ସାହାଯ୍ୟରେ କରୋନା ସଂକ୍ରମିତ ଲୋକଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କ ତଥ୍ୟ ବାହାର କରାଯାଇଥିଲା। ଫୋନ୍ ରେକର୍ଡ, ଜିପିଏସ୍, ବ୍ୟାଙ୍କ କିମ୍ବା ସପିଂ ବିଲ୍ ଏବଂ ସିସିଟିଭି ମାଧ୍ୟମରେ ସେମାନଙ୍କ ପହଞ୍ଚିଥିଲେ ସରକାର।

Comment