ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

କେରଳରୁ ଏକ ସ୍ୱତନ୍ତ୍ର ଟ୍ରେନ୍ ଯୋଗେ ୧୧୫୦ ଜଣ ପ୍ରବାସୀ ଓଡ଼ିଆ ନିଜ ରାଜ୍ୟକୁ ଫେରୁଛନ୍ତି। ଓଡ଼ିଶା ସରକାର ଏହାକୁ ‘ଅପରେସନ୍ ଶୁଭଯାତ୍ରା’ ବୋଲି ନାମିତ କରିଛନ୍ତି।

ଓଡ଼ିଶା ସରକାରଙ୍କ ‘ଅପରେସନ୍ ଶୁଭଯାତ୍ରା’ରେ କେରଳରୁ ଓଡ଼ିଶା ଫେରୁଛନ୍ତି ୧୧୫୦ ଜଣ ପ୍ରବାସୀ ଓଡ଼ିଆ। ସ୍ୱତନ୍ତ୍ର ଟ୍ରେନ୍ ଯୋଗେ ଏହି ଲୋକମାନଙ୍କୁ ଓଡ଼ିଶା ଫେରାଇ ଅଣାଯାଉଛି। ସାରା ଦେଶରେ ଲକଡାଉନ୍ ଜାରି ରହିଥିବାବେଳେ ଓଡ଼ିଶା ସରକାରଙ୍କ ଏହି ମଡେଲ୍ ଏବେ ଅନ୍ୟ ରାଜ୍ୟ ପାଇଁ ମଡେଲ୍ ସାଜିଛି।

 

ଲକଡାଉନ୍ କାରଣୁ ଏବେ ଲକ୍ଷ ଲକ୍ଷ ପ୍ରବାସୀ ଓଡ଼ିଆ ଅନ୍ୟ ରାଜ୍ୟମାନଙ୍କରେ ଫସି ରହିଛନ୍ତି। ଯେଉଁମାନଙ୍କୁ ଓଡ଼ିଶା ଫେରାଇ ଆଣିବା ପାଇଁ ରାଜ୍ୟ ସରକାର ଅନ୍ୟ ରାଜ୍ୟର ଅଧିକାରୀଙ୍କ ସହ ବାରମ୍ବାର ଆଲୋଚନା କରିଛନ୍ତି। ପ୍ରଥମ ଥର ପାଇଁ ଏହି ଆଲୋଚନାର ଫଳ ବାହାରିଛି। କେରଳର ଏର୍ଣ୍ଣାକୁଲମରୁ ଏକ ସ୍ୱତନ୍ତ୍ର ଟ୍ରେନ୍ ଯୋଗେ ୧୧୫୦ ଓଡ଼ିଆ ନିଜ ରାଜ୍ୟକୁ ଫେରୁଛନ୍ତି। ଓଡ଼ିଶା ସରକାର ଏହାର ନାମ ଦେଇଛନ୍ତି ‘ଅପରେସନ୍ ଶୁଭଯାତ୍ରା’।

ଏଥିପାଇଁ ରାଜ୍ୟ ସରକାର ପ୍ରଥମେ କେରଳ ସରକାରଙ୍କ ସହିତ ଆଲୋଚନା କରିଥିଲେ। ସେଠାରେ ଫସି ରହିଥିବା ଓଡ଼ିଆ ଲୋକମାନଙ୍କୁ କିପରି ଓଡ଼ିଶା ଫେରାଇ ଅଣାଯିବା ସେନେଇ କଥାବାର୍ତ୍ତା ଆରମ୍ଭ ହୋଇଥିଲା। ଏହାପରେ ସେଠାକାର ବିଭିନ୍ନ ରାଜସ୍ୱ ଅଧିକାରୀ, ସ୍ୱାସ୍ଥ ଅଧିକାରୀ ଓ ପୋଲିସ୍ ପ୍ରଶାସନକୁ ନେଇ ୧୨ଟି ଟିମ୍ ଗଠନ କରାଯାଇଥିଲା। ଏହି ଟିମ୍ ପ୍ରଥମ ପର୍ଯ୍ୟାୟରେ କେଉଁ ଲୋକ ଓଡ଼ିଶା ଫେରିବେ ସେନେଇ ଏକ ଲିଷ୍ଟ୍ ପ୍ରସ୍ତୁତ କରିବା ସହିତ ସେମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲା।ଏହାପରେ ଏହି ଲିଷ୍ଟ ଅନୁଯାୟୀ ଲୋକମାନଙ୍କୁ ଶୁକ୍ରବାର ରାତିରେ ଏକ ସ୍ୱତନ୍ତ୍ର ଟ୍ରେନ୍ ଯୋଗେ କେରଳରୁ ଓଡ଼ିଶା ପଠାଯାଇଛି। ଏହି ଟ୍ରେନରେ ଓଡ଼ିଶାର ୨୩ ଜିଲ୍ଲାର ମୋଟ ୧୧୫୦ ଜଣ ପ୍ରବାସୀ ଓଡ଼ିଆ ଅଛନ୍ତି ବୋଲି ସୂଚନା ଦିଆଯାଇଛି।

ଏହି ଟ୍ରେନଟି ରବିବାର ସକାଳେ ପ୍ରଥମେ ବ୍ରହ୍ମପୁରର ଜଗନ୍ନାଥପୁର ଷ୍ଟେସନରେ ଅଟକିବ। ସେଠାରେ ଦକ୍ଷିଣ ଓଡ଼ିଶାର ସମସ୍ତ ଯାତ୍ରୀ ଓହ୍ଲାଇବେ। ସେହିପରି ଖୋର୍ଦ୍ଧା ରୋଡ୍, ଜଟଣୀ ଷ୍ଟେସନରେ ମଧ୍ୟ ଏହି ଟ୍ରେନଟି ଅଟକିବ। ଏହି ଦୁଇଟି ଷ୍ଟେସନରେ ଯାତ୍ରୀମାନେ ଓହ୍ଲାଇବା ପରେ ଲୋକମାନଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରସ୍ତୁତ ରହିଥିାବ ସ୍ୱତନ୍ତ୍ର ଗାଡ଼ି ଯୋଗେ ନିଜ ନିଜର ସହର ଓ ପଞ୍ଚାୟତକୁ ପଠାଇ ଦିଆଯିବ। ଏହାପରେ ଏହି ଲୋକମାନଙ୍କୁ ନିଜ ନିଜ ଅଞ୍ଚଳରେ କ୍ୱାରେଣ୍ଟାଇନ ରହିବାକୁ ପଡ଼ିବ ବୋଲି ରାଜ୍ୟ ସରକାର ସୂଚନା ଦେଇଛନ୍ତି।

ଅନ୍ୟପଟେ କେରଳ ଭଳି ଶନିବାର ଆଉ ଏକ ଟ୍ରେନ୍ ଗୁଜରାଟର ସୁରଟରୁ ପ୍ରବାସୀ ଓଡ଼ିଆଙ୍କୁ ନେଇ ବାହାରିବ। ଯେଉଁଥିରେ ପ୍ରବାସୀ ଓଡ଼ିଆମାନେ ନିଜ ରାଜ୍ୟକୁ ଫେରିପାରିବେ ବୋଲି କୁହାଯାଇଛି।

Comment