ଓଡ଼ିଶାଲାଇଭ୍ ବ୍ୟୁରୋ

“ବାହାର ରାଜ୍ୟରୁ ଓଡ଼ିଶା ଫେରୁଥିବା ପ୍ରବାସୀ ଓଡ଼ିଆମାନେ ବିନା ପାସରେ ରାଜ୍ୟ ଭିତରକୁ ପସିପାରିବେ ନାହିଁ। ଓଡ଼ିଶା ସୀମାରେ ପ୍ରବେଶ କରିବାକୁ ହେଲେ ସେମାନେ ଯେଉଁ ଅଞ୍ଚଳରୁ ଆସିଛନ୍ତି ସେଠାକାର ଜିଲ୍ଲା ଅଧିକାରୀଙ୍କଠାରୁ ପାସ୍ ଆଣିବାକୁ ପଡ଼ିବ”, କହିଛନ୍ତି ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀ।
ଏଥିସହିତ ସେ ଆହୁରି ମଧ୍ୟ କହିଛନ୍ତି ଯେ, ଯେଉଁ ବସଗୁଡ଼ିକ ବିନା ପାସରେ ଆସୁଛନ୍ତି ସେମାନଙ୍କୁ ଓଡ଼ିଶାରେ ପ୍ରବେଶ କରିବାକୁ ଦିଆଯିବ ନାହିଁ। ଏପରିକି ଗାଡ଼ିରେ ଧାର୍ଯ୍ୟ ଲୋକଙ୍କଠାରୁ ଅଧିକ ଲୋକ ଆସିଲେ ସେହି ଗାଡ଼ିକୁ ସିଜ୍ କରାଯିବ। ସେଥିରେ ଥିବା ଲୋକମାନଙ୍କୁ ଦୂର କେଉଁ ସ୍ଥାନରେ କ୍ୱାରେଣ୍ଟାଇନରେ ରଖାଯିବ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି।

ଏହାଛଡ଼ା ଯେଉଁ ଲୋକମାନେ କ୍ୱାରେଣ୍ଟାଇନରେ ରହିବା ନାହିଁ ସେମାନଙ୍କ ବିରୋଧରେ ଆଇନ୍ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ। ସେମାନଙ୍କୁ ଗିରଫ କରିବାର ଅଧିକାର ପଞ୍ଚାୟତର ସରପଞ୍ଚଙ୍କ ପାଖରେ ଅଛି ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି।
ନିକଟରେ ଅନେକ ଲୋକ ବିନା କୌଣସି ପାସରେ ଗାଡ଼ିରେ ଓଡ଼ିଶା ଫେରୁଥିବା ଦେଖିବାକୁ ମିଳିଛି। ତେଣୁ ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି।

ଏହାପୂର୍ବରୁ ପ୍ରବାସୀ ଓଡ଼ିଆମାନେ କିଭଳି ରାଜ୍ୟକୁ ଫେରିବେ ସେନେଇ ରାଜ୍ୟ ସରକାର କେତୋଟି ନିୟମ ଧାର୍ଯ୍ୟ କରିଥିଲେ। ଓଡ଼ିଶା ଆସିବା ପୂର୍ବରୁ ଅନଲାଇନ୍ ପଞ୍ଜୀକରଣ ଓ ସେଠାକାର ଜିଲ୍ଲା ଅଧିକାରୀଙ୍କଠାରୁ ପାସ୍ ଆଣିବାକୁ ପଡ଼ିବ ବୋଲି କୁହାଯାଇଥିଲା। ଏହାପରେ ଓଡ଼ିଶାକୁ ପ୍ରବେଶ କରିବା ସମୟରେ ସେମାନଙ୍କ ହାତରେ ଏକ ସ୍ୱତନ୍ତ୍ର ଷ୍ଟାମ୍ପ ଲାଗିବ ବୋଲି ରାଜ୍ୟ ସରକାରଙ୍କ ତରଫରୁ ସୂଚନା ଦିଆଯାଇଥିଲେ। ଯଦି କେହି ବ୍ୟକ୍ତି ଏହି ନିୟମ ଉଲ୍ଲଘଂନ କରନ୍ତି ତେବେ ତାଙ୍କୁ ଗିରଫ କରାଯିବ ବୋଲି ରବିବାର ମୁଖ୍ୟ ଶାସନ ସଚିବ ସୂଚନା ଦେଇଛନ୍ତି।


















