ଓଡ଼ିଶାଲାଇଭ୍ ବ୍ୟୁରୋ

କଟକରେ ଖୋଲିବ ମଦ ଦୋକାନ। ସାମାଜିକ ଦୂରତା ନିୟମ ପାଳନ କରି ଦୋକାନଗୁଡ଼ିକ ସହରରେ ଖୋଲାଯାଇପାରିବ। ଏଥିସହ କଟକର ସମସ୍ତ ଗହଣା ଦୋକାନ, ସେଲୁନ୍ ଓ ସ୍ପା ମଧ୍ୟ ତୃତୀୟ ପର୍ଯ୍ୟାୟ ଲକଡାଉନ୍ ସମୟରେ ଖୋଲାରହିପାରିବ। ଏନେଇ ସୋମବାର ସୂଚନା ଦେଇଛନ୍ତି କଟକ ମହାନଗର ନିଗମର କମିସନର ଅନନ୍ୟା ଦାସ।

ସେ କହିଛନ୍ତି କଟକର ସମସ୍ତ ଅତ୍ୟାବଶକ ସାମଗ୍ରୀ ଦୋକାନ ଓ ମେଡିସିନ୍ ଦୋକାନ ୨୪ ଘଣ୍ଟା ଖୋଲା ରହିପାରିବ। ଏଥିପାଇଁ କୌଣସି ପ୍ରତିବନ୍ଧକ ନାହିଁ। ତା ସହିତ ସେଲୁନ୍, ସ୍ପା ଆଦି ଦୋକାନଗୁଡ଼ିକ ମଧ୍ୟ ସହରରେ ଖୋଲାରହିପାରିବ। ତେବେ ଦୋକାନରେ ସାମାଜିକ ଦୂରତା ନିୟମ ପାଳନ କରିବା ବାଧ୍ୟତାମୂଳକ ବୋଲି ସେ କହିଛନ୍ତି।

 

ଏହାଛଡ଼ା ସମସ୍ତ ଅଣଆବଶ୍ୟକ ଦୋକାନଗୁଡ଼ିକ ସକାଳ ୭ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଖୋଲାରହିପାରିବ। ତେବେ ଗହଣା ଦୋକାନ ଖୋଲିବା ପାଇଁ କେତେକ ନିୟମ ଧାର୍ଯ୍ୟ କରାଯାଇଛି। ସ୍ଥାନୀୟ କାରିଗରଙ୍କୁ ନେଇ ଦୋକାନଗୁଡ଼ିକ ଖୋଲିବ। ଅନ୍ୟ ରାଜ୍ୟରୁ ଆସିଥିବା କାରିଗରଙ୍କୁ ନେଇ ଦୋକାନରେ କାମ ହେବ ନାହିଁ ବୋଲି ସେ କହିଛନ୍ତି।

ଏହାଛଡ଼ା କେନ୍ଦ୍ର ସରକାରଙ୍କ  ନିୟମ ମୁତାବକ ସପିଙ୍ଗ୍ ମଲ, ମାର୍କେଟ୍ କମ୍ଲେକ୍ସ, ଜିମ୍, ସୁଇମିଂ ପୁଲ୍ , ସିନେମା ହଲ ଆଦିକୁ ପୂର୍ବଭଳି ବନ୍ଦ ରହିବାକୁ କୁହାଯାଇଛି। ଏଥିସହ ସମସ୍ତ ପ୍ରକାର ରାଜନୈତିକ, ଧାର୍ମିକ ସଭାସମିତି ଆୟୋଜନ ଉପରେ ମଧ୍ୟ ରୋକ୍ ଲଗାଯାଇଛି ବୋଲି ସିଏମସି କମିସନର କହିଛନ୍ତି।

Comment