ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

ରାଜ୍ୟ ବାହାରୁ ଓଡ଼ିଶା ଫେରୁଥିବା ପ୍ରବାସୀ ଓଡ଼ିଆଙ୍କୁ ତାଗିଦ୍ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବାହାର ରାଜ୍ୟରୁ ଫେରିଥିବା ସବୁ ଓଡ଼ିଆ ଭାଇ ଭଉଣୀମାନେ କ୍ୱାରେଣ୍ଟାଇନରେ ରହିବା ସହ ସରକାରୀ ନିୟମ ପାଳନ କରନ୍ତୁ। ନଚେତ୍ ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ନବୀନ ଟୁଇଟ୍ କରି ଲେଖିଛନ୍ତି ଯେ,“ବର୍ତ୍ତମାନ ଓଡ଼ିଶା ଭଲ ସ୍ଥିତିରେ ଅଛି। ଏଥିପାଇଁ ଲକ୍ଷ ଲକ୍ଷ ଲୋକ ଦିନରାତି ନିରନ୍ତର କାର୍ଯ୍ୟ କରୁଛନ୍ତି। ବହୁ ଓଡ଼ିଆ ନିଜ କର୍ମରୁ ଉପରକୁ ଯାଇ ତ୍ୟାଗ ମନୋଭାବ ନେଇ ଏହି ଅଭୂତପୂର୍ବ ପରିସ୍ଥିତିକୁ ସାମ୍ନା କରୁଛନ୍ତି। ଯେଉଁମାନେ ଓଡ଼ିଶା ଫେରୁଛନ୍ତି ସେମାନେ ମଧ୍ୟ ସେହି ତ୍ୟାଗ ସହ ନିଜ ଉତ୍ତରଦାୟିତ୍ୱ ନିର୍ବାହ କରନ୍ତୁ।”

ଏଥିସହ ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ବର୍ତ୍ତମାନ ଜଣକର ସାମାନ୍ୟ ଅସାବଧାନତା ଅନେକଙ୍କୁ ବିପଦରେ ପକାଇବ। ତେଣୁ ସମସ୍ତେ ସରକାରଙ୍କ ନିୟମ ମୁତାବକ କ୍ୱାରେଣ୍ଟାଇନରେ ରହିବାକୁ ସେ କହିଛନ୍ତି।

ରାଜ୍ୟର ବିଭିନ୍ନ ଅଞ୍ଚଳରେ ଲୋକମାନେ କ୍ୱାରେଣ୍ଟାଇନ୍ ନିୟମ ପାଳନ କରୁନଥିବା ଦେଖିବାକୁ ମିଳିଛି। ସେହିପରି ରବିବାର ଗଞ୍ଜାମର କେତୋଟି ଅଞ୍ଚଳରେ ଲୋକମାନେ କ୍ୱାରେଣ୍ଟାଇନ ସେଣ୍ଟର କବାଟ ଭାଙ୍ଗି ପଳାଇଥିବା ମଧ୍ୟ ଦେଖିବାକୁ ମିଳିଥିଲା। ଏହାପରେ ସରକାର ଏହାକୁ ନେଇ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି କୁହାଯାଇଛି।

Comment