ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

ଗଞ୍ଜାମ ଜିଲ୍ଲା ପାଇଁ ଏବେ ମୁଣ୍ଡ ବିଧାର କାରଣ ପାଲଟିଛନ୍ତି ସୁରତ ଫେରନ୍ତା। ମାତ୍ର ଗୋଟିଏ ସପ୍ତାହ ପୂର୍ବରୁ କରୋନା ଶୂନ୍ୟ ଥିବା ଗଞ୍ଜାମ ଜିଲ୍ଲାରେ ଏବେ ଆକ୍ରାନ୍ତଙ୍କ ସଂଖ୍ୟା ୪୭ ଛୁଇଁଛି।

ଶୁକ୍ରବାର ଗଞ୍ଜାମରୁ ଆଉ ୧୯ ଜଣ ଲୋକ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୮ ଜଣ ସୁରତ ଫେରନ୍ତା ହୋଇଥିବା ବେଳେ ଜଣେ ନିକଟରେ କେରଳରୁ ଫେରିଥିଲେ ବୋଲି ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି। ଫଳରେ କରୋନା ସଂକ୍ରମିତ ଜିଲ୍ଲା ତାଲିକାରେ ଏବେ ଯାଜପୁର ଓ ଖୋର୍ଦ୍ଧା ପଛକୁ ଗଞ୍ଜାମ ଜିଲ୍ଲା ତୃତୀୟ ସ୍ଥାନରେ ପହଞ୍ଚିଯାଇଛି।

ଗତ ମେ ୧ ତାରିଖ ପର୍ଯ୍ୟନ୍ତ ଗଞ୍ଜାମ ଜିଲ୍ଲାରେ କୌଣସି ପଜିଟିଭ୍ ଚିହ୍ନଟ ହୋଇନଥିଲା। ଏହାପରେ ମେ ୨ ତାରିଖରେ ଜିଲ୍ଲାରେ ପ୍ରଥମ କରି ଦୁଇଜଣ ପଜିଟିଭ୍ ଚିହ୍ନଟ ହୋଇଥିଲେ। ଏହାପରେ ଲଗାତାର ଭାବେ ୪ ଓ ୫ ତାରିଖରେ ଜିଲ୍ଲାରେ ଜଣେ ଲେଖାଏଁ ପଜିଟିଭ୍ ଚିହ୍ନଟ ହୋଇଥିଲେ। ଫଳରେ ଜିଲ୍ଲାରେ କରୋନା ପଜିଟିଭ୍ ସଂଖ୍ୟା ୪କୁ ବୃଦ୍ଧି ପାଇଥିଲା।

ଏହାପରେ ୬ ତାରିଖରେ ଜିଲ୍ଲାରେ ମୋଟ ୧୭ ନୂଆ କେସ୍ ସହ ଆକ୍ରାନ୍ତଙ୍କ ସଂଖ୍ୟା ୨୧ ଛୁଇଁଥିଲା। ତେବେ ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ ପଜିଟିଭ୍ ସଂଖ୍ୟା ବୃଦ୍ଧି ପାଇ ୪୭ରେ ପହଞ୍ଚିଛି। ସେମାନଙ୍କ ମଧ୍ୟରୁ ଅଧିକାଂଶ ସୁରତ ଫେରନ୍ତା ହୋଇଥିବାବେଳେ ଜଣେ କେରଳରୁ ଫେରିଥିଲେ ବୋଲି କୁହାଯାଇଛି।

LEAVE A REPLY

Please enter your comment!
Please enter your name here