ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

କରୋନାର ମୁକାବିଲା ଲାଗି ଏକ ମାତ୍ର ନିଶ୍ଚିତ ଔଷଧ ହେଉଛି ସଚେତନତା ଓ କରୋନାଠୁ ଦୂରତା।

କୋରୋନା ଭାଇରସର ଲକ୍ଷଣ କ’ଣ?

କରୋନା ଭାଇରସ ସଂକ୍ରମିତ ବ୍ୟକ୍ତିଙ୍କଠାରେ ପ୍ରଥମେ ସାଧାରଣ ଥଣ୍ଡା ଜ୍ୱରର ବିଭିନ୍ନ ଲକ୍ଷଣ ଦେଖାଯାଇଥାଏ। ସର୍ଦ୍ଦି ଓ ଜ୍ୱର ହେବା, ବାରମ୍ବାର କାଶିବା ଓ ଛିଙ୍କିବା ସହ ନିଃଶ୍ୱାସ ପ୍ରଶ୍ୱାସରେ ଅସୁବିଧା ହୋଇପାରେ।

ଏହାର ପ୍ରଭାବରେ ଜଣେ ବ୍ୟକ୍ତି ଧଇଁସଇଁ ହେବା ବା ଅମ୍ଳଜାନ ଅଭାବ ଭଳି ଦେଖିବାକୁ ମିଳିଥାଏ। ତେବେ ଜଣଙ୍କଠାରେ କରୋନା ଭାଇରସ ପଜିଟିଭ୍‌ କି ନୁହେଁ ତାହା ନିର୍ଦ୍ଧାରିତ ପରୀକ୍ଷା କରିବା ପରେ ହିଁ ସୁନିଶ୍ଚିତ କରାଯାଇପାରିବ।

କରୋନା ଭାଇରସ କିପରି ବ୍ୟାପେ?

ଥଣ୍ଡା ରୋଗ ସୃଷ୍ଟି କରୁଥିବା ଅନ୍ୟ ଯେ କୌଣସି ଭାଇରସ ପରି କରୋନା ଭାଇରସ ଜଣେ ବ୍ୟକ୍ତିଠାରୁ ଅନ୍ୟ ପାଖକୁ ସଂକ୍ରମିତ ହୋଇଥାଏ। ବିଶେଷକରି, ସଂକ୍ରମିତ ବ୍ୟକ୍ତିଙ୍କ ମୁହଁର ଲାଳ, ଛିଙ୍କ, କାଶ, ବା ସିଂଘାଣୀ ମାଧ୍ୟମରେ ଏହା ଅନ୍ୟ ଜଣକ ଶରୀରରେ ପ୍ରବେଶ କରିଥାଏ। କାଶ ବା ଛିଙ୍କ ବେଳେ ସଂକ୍ରମିତ ବ୍ୟକ୍ତିଙ୍କ ପାଟି ଓ ନାକରୁ ବାହାରୁଥିବା ଡ୍ରପଲେଟ୍‌ ଦେଇ କରୋନା ଭାଇରସ ବାହାରକୁ ଆସିଥାଏ।

ସଂକ୍ରମିତ ବ୍ୟକ୍ତି ଯେଉଁ ସବୁ ଜିନିଷ ବ୍ୟବହାର କରନ୍ତି ବା ଯେଉଁ ଜାଗାରେ ହାତ ଲଗାଇଥାନ୍ତି ଜଣେ ସୁସ୍ଥ ବ୍ୟକ୍ତି ସେହି ଜାଗା ଛୁଇଁବା ଫଳରେ କରୋନା ଭାଇରସ ଏଭଳି ପରୋକ୍ଷ ମାଧ୍ୟମ ଦେଇ ଅନ୍ୟ ଜଣକୁ ମଧ୍ୟ ପ୍ରବେଶ କରିପାରେ।

ଲକ୍ଷଣ ଦେଖାଯାଉନଥିଲେ ବି ଭାଇରସ ଅନ୍ୟକୁ ସଂକ୍ରମିତ କରିଥାଏ କି?

କରୋନା ଭାଇରସ ଜଣେ ବ୍ୟକ୍ତିଙ୍କ ଶରୀରରେ ପ୍ରବେଶ କରିବାର କିଛି ଦିନ ମଧ୍ୟରେ ବିଭିନ୍ନ ଲକ୍ଷଣ ଦେଖାଯାଏ। ତେବେ ପ୍ରଶ୍ନ ଉଠେ ଯେ ସଂକ୍ରମିତ ବ୍ୟକ୍ତିଙ୍କ ଶରୀରରେ କରୋନାର କୌଣସି ପ୍ରଭାବ ଦେଖାଯାଉନଥିଲେ ସେହି ସମୟରେ ତାଙ୍କଠାରୁ ସଂକ୍ରମଣ ଆଉ ଜଣକ ପାଖକୁ ଯାଇପାରେ କି?

ଏହାର ଉତ୍ତର ହେଉଛି ହଁ। ଅର୍ଥାତ ଜଣେ ବ୍ୟକ୍ତିଙ୍କ ଶରୀରରେ କରୋନାର ଗୁରୁତର ଲକ୍ଷଣ ଦେଖାଯିବା ପୂର୍ବରୁ ମଧ୍ୟ ଏହା ଅନ୍ୟମାନଙ୍କୁ ସଂକ୍ରମିତ କରିପାରେ। ତେଣୁ ବିଶେଷଜ୍ଞଙ୍କ ପରାମର୍ଶ ହେଉଛି ଯେ କୌଣସି ବ୍ୟକ୍ତିଙ୍କଠାରେ ସର୍ଦ୍ଦି, ଜ୍ୱର ଏବଂ ଲଗାତାର କାଶ ଓ ଛିଙ୍କର ଲକ୍ଷଣ ଦେଖାଗଲେ ତାଙ୍କଠାରୁ ଦୂରତା ବଜାୟ ରଖନ୍ତୁ।

କରୋନା ଭଳି ଲକ୍ଷଣ ଦେଖାଗଲେ କ’ଣ କରିବେ?

  • ଯଦି ଆପଣଙ୍କ ପରିବାରରେ ବା ସୋସାଇଟିରେ କାହାର ଥଣ୍ଡା ଜ୍ୱର ସହ ବାରମ୍ବାର କାଶ ବା ଛିଙ୍କ ହେଉଥାଏ ତେବେ ତାଙ୍କୁ ପ୍ରଥମେ ଅନ୍ୟମାନଙ୍କ ସହ ମିଶିବାରୁ ବାରଣ କରନ୍ତୁ।
  • କାଶିବା ବା ଛିଙ୍କିଲା ବେଳେ ମୁହଁରେ ରୁମାଲ ବା କପଡ଼ା ଦିଅନ୍ତୁ। ପାଖରେ ରୁମାଲ୍‌ ନଥିଲେ ମୁହଁକୁ କହୁଣିରେ ଢାଙ୍କି କାଶନ୍ତୁ।
  • ହାତକୁ ନିୟମିତ ବ୍ୟବଧାନରେ ସାବୁନ୍ ବା ସାନିଟାଇଜରରେ ୨୦ରୁ ୩୦ ସେକେଣ୍ଡ ପର୍ଯ୍ୟନ୍ତ ଭଲକରି ଧୁଅନ୍ତୁ।
  • ଆଖି, ପାଟି ଓ ନାକରେ ବାରମ୍ବାର ହାତ ଲଗାନ୍ତୁ ନାହିଁ।
  • ଫୋନ ଯୋଗେ ଡାକ୍ତରଙ୍କ ସହ ପରାମର୍ଶ କରି ଥଣ୍ଡାର ଶିକାର ହୋଇଥିବା ରୋଗୀଙ୍କୁ ଆବଶ୍ୟକ ଔଷଧ ଦିଅନ୍ତୁ।
  • ରୋଗୀଙ୍କଠାରେ ଯଦି ନିଃଶ୍ୱାସ ପ୍ରଶ୍ୱାସରେ ସମସ୍ୟା ହୁଏ ତେବେ ତୁରନ୍ତ ସରକାର ଜାରି କରିଥିବା କରୋନା ସ୍ୱାସ୍ଥ୍ୟ ସହାୟତା ନମ୍ବର ୧୦୪ରେ ଫୋନ୍‌ କରନ୍ତୁ।
  • ତେବେ କାହାଠାରେ କରୋନା ଭଳି ଲକ୍ଷଣ ଦେଖାଗଲେ କୌଣସି ଡାକ୍ତରଖାନାକୁ ସିଧାସଳଖ ନଯାଇ ପ୍ରଥମେ ସ୍ୱାସ୍ଥ୍ୟ ସହାୟତା ନମ୍ବର ୧୦୪ରେ ଫୋନ୍‌ କରନ୍ତୁ।

LEAVE A REPLY

Please enter your comment!
Please enter your name here