ଓଡ଼ିଶାଲାଇଭ୍‌ ବ୍ୟୁରୋ

ମଙ୍ଗୁଳି ଛକକୁ ନେଇ କଟକ ଓ ଆଖପାଖ ଅଞ୍ଚଳର ଲୋକଙ୍କ ଚିନ୍ତା ବଢ଼ିଯାଇଛି। ବିଭିନ୍ନ ଆଡ଼କୁ ଯିବା ପାଇଁ ଏହି ଛକରେ ସାଧାରଣତଃ ଲୋକେ ଓହ୍ଲାଇଥାନ୍ତି। ତେବେ କରୋନା ପରେ ବି ଏହା ବେଧଡ଼କ ଚାଲିଛି। ଏଠି କୋଭିଡ କଟକଣାକୁ କେହି ମାନୁନଥିବା ଦେଖାଯାଉଛି। ଲକ୍‌ଡାଉନ୍‌ ସମୟରେ ଦେଶର ବିଭିନ୍ନ ଅଞ୍ଚଳରୁ ଶ୍ରମିକମାନେ ଆସି ଏଠାରେ ଠୁଳ ହେଉଛନ୍ତି। ଅଥଚ ସାମାଜିକ ଦୂରତାକୁ କେହି ଖାତିର କରୁନାହାନ୍ତି।

ଜାତୀୟ ରାଜପଥ ୧୬ ଉପରେ ଥିବା ମଙ୍ଗୁଳି ଛକ ଏନଏଚ ୫୫କୁ ଯୋଡ଼ିଥାଏ। ଟାଙ୍ଗୀ ପୋଲିସ ଲିମିଟ ଭିତରେ ଆସୁଥିବା ମଙ୍ଗୁଳି ଛକ ଦେଇ ଦୈନିକ ହଜାର ହଜାର ଟ୍ରକ ଯିବା ଆସିବା କରିଥାଏ। ଲକ୍‌ଡାଉନ୍‌ ସମୟରେ ହାଇଦ୍ରାବାଦ, ଚେନ୍ନାଇ, ମୁମ୍ବାଇ କଲିକତା ଓ ଅନ୍ୟ ରାଜ୍ୟରୁ ବହୁ ଶ୍ରମିକ ଫେରି ଏଠାରେ ଓହ୍ଲାଉଥିବା ଦେଖାଯାଉଛି।

ବେଆଇନ ଭାବରେ ଏମାନେ ଟ୍ରକ ଡ଼ାଲାରେ ବସି ଆସୁଥିବା ବେଳେ ଏହି ଓଡ଼ିଆ ଲୋକଙ୍କର କୌଣସି ପରୀକ୍ଷା କରାଯାଉନାହିଁ କି କେହି ତାଙ୍କ ଖବର ରଖିବା ଆଖିରେ ପଡୁନାହିଁ। ଟ୍ରକରୁ ଓହ୍ଲାଇ ସିଧାସଳଖ ନିଜ ଗାଁରେ ପହଞ୍ଚିବା ଏଠି ଏକ ନିତି ଦିନିଆ କଥା ହୋଇପଡ଼ିଛି।

ମଙ୍ଗୁଳି ଥାନାଠାରୁ ମାତ୍ର ୨୦ ମିଟର ଦୂରରେ ଥିବା ଓଭରବ୍ରିଜ ତଳେ ଏହି ଶ୍ରମିକମାନେ ଏକାଠି ହେଉଥିବା ବେଳେ ସେମାନଙ୍କୁ କେହି କିଛି କହୁନଥିବା ଲକ୍ଷ୍ୟ କରାଯାଇଛି। ଗାଁରୁ କାଳେ କେହି ଆସିଥିବ ତା ଉପରେ ନଜର ରଖିବା ହିଁ ଏମାନଙ୍କ କାମ। କେହି ଦେଖା ହେଲେତ ଦି ଚକିଆ ଗାଡ଼ିରେ ବସି ପାର। ଯେଉଁମାନେ ବାହକ ସାଜୁଛନ୍ତି ସେମାନେ ବି କିଛି କହୁନଥିବା ଲକ୍ଷ୍ୟ କରାଯାଇଛି।

ସବୁଠାରୁ ବଡ଼ କଥା ହେଲା ଛକରେ ଜନ ସମାଗମ ହେଉଥିବା ଦେଖି ସ୍ଥାନୀୟ ଉଠା ବ୍ୟବସାୟୀମାନେ ଦହିବରା, ଆଳୁଦମ,ଗୁପ୍‌ଚୁପ, ଆଖୁରସ ଓ ସ୍ନାକସ  ଆଦି ଦୋକାନ ଖୋଲିବା ସହ ବେଶ ଦୁଇ ପଇସା ରୋଜଗାର କରୁଛନ୍ତି। କିନ୍ତୁ ଲକ୍‌ଡାଉନ୍‌ର କୌଣସି  କଟକଣାକୁ ଏମାନେ ମାନୁନାହାନ୍ତି।

ପୋଲିସ ଦେଖି ନଦେଖିବା ଭଳି ରହୁଛି ଓ ଜାଣିଶୁଣି ଏମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ ବୋଲି ସ୍ଥାନୀୟ ଲୋକମାନେ ଅଭିଯୋଗ କରିଛନ୍ତି। ବିନା ସ୍କ୍ରିନିଂରେ ଶହ ଶହ ଓଡ଼ିଆ ଶ୍ରମିକ ବାହାର ରାଜ୍ୟରୁ ଫେରୁଥିବା ବେଳେ ସେମାନେ ମଙ୍ଗୁଳି ଛକରେ ବେଲଗାମ ବୁଲୁଥିବାରୁ ଆଗାମୀ ଦିନରେ ଆଖପାଖ ଅଞ୍ଚଳରେ କରୋନା ସଂକ୍ରମଣ ବୃଦ୍ଧି ପାଇବାର ଆଶଙ୍କା କରାଯାଉଛି।

Comment