ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆରଏସଏସରେ ୩୦ବର୍ଷର କାର୍ଯ୍ୟ ପରେ ରାଜନୀତିରେ ପ୍ରବେଶ ଆଉ ତା’ପରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ। ଜାଣନ୍ତୁ, କେମିତି ଥିଲା ସୁବାସ ଚୌହାନଙ୍କ ରାଜନୈତିକ ଯାତ୍ରା।

ବିଜେଡି ନେତା ତଥା ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ସୁବାସ ଚୌହାନଙ୍କ ଆଜି ପରଲୋକ ଘଟିଛି। ସେ ଦୀର୍ଘଦିନ ହେବ ଯକୃତ ରୋଗରେ ପିଡ଼ୀତ ଥିଲେ। ଭୁବନେଶ୍ଵରର ଏକ ଘରୋଇ ହସ୍ପିଟାଲରେ ଆଜି ସେ ଶେଷ ନିଶ୍ଵାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୫୪ ବର୍ଷ ବୟସ ହୋଇଥିଲା।

ସୁବାସ ଚୌହାନଙ୍କ ଜନ୍ମ ୧୯୬୬ ମସିହା ବରଗଡ଼ ଜିଲ୍ଲାରେ ହୋଇଥିଲା। ପ୍ରଥମେ ସେ ଆରଏସଏସରେ ଦୀର୍ଘ ୩୦ ବର୍ଷ ଧରି କାମ କରିଥିଲେ। ଏହାସହ ସେ ବଜରଙ୍ଗ ଦଳର ଜାତୀୟ ସଭାପତି ମଧ୍ୟ ଥିଲେ। ପରେ ବିଶ୍ଵ ହିନ୍ଦୁ ପରିଷଦର ସଦସ୍ୟ ରହିଥିଲେ। ୧୯୯୫ରୁ ୨୦୦୦ ମସିହା ପର୍ଯ୍ୟନ୍ତ ସେ ହିନ୍ଦୁ ଜାଗରଣ ମଞ୍ଚର ସଭାପତି ମଧ୍ୟ ରହିଥିଲେ।

ଏହି ସମୟ ମଧ୍ୟରେ ଓଡ଼ିଶାରେ ସେ ଆରଏସଏସ ଓ ବଜରଙ୍ଗୀ ଦଳର ବିଭିନ୍ନ କାର୍ଯ୍ୟକ୍ରମରେ ସକ୍ରିୟ ରହିଥିଲେ। ୨୦୧୦ ମସିହାରେ ସେ ‘ମାଇଁ ନେମ୍‌ ଇଜ ଖାନ’ ବଲିଉଡ୍‌ ଚଳଚ୍ଚିତ୍ରକୁ ଓଡ଼ିଶାରେ ରିଲିଜ ହେବାକୁ ବିରୋଧ କରିଥିଲେ। ସେ ୨୦୧୨ ପର୍ଯ୍ୟନ୍ତ ବଜରଙ୍ଗ ଦଳରେ କାମ କରିଥିଲେ।

ଏତେ ବର୍ଷ ଧରି ଆରଏସଏସରେ କାମ କରିବା ପରେ ସେ ୨୦୧୪ ନିର୍ବାଚନରେ ବରଗଡ଼ ଲୋକସଭା ଆସନରୁ ବିଜେପିର ପ୍ରାର୍ଥୀ ହୋଇଥିଲେ। ହେଲେ ସେ ବିଜେଡ଼ି ପ୍ରାର୍ଥୀ ପ୍ରଭାସ କୁମାର ସିଂହଙ୍କଠାରୁ ସେ ଅତି କମ୍ ଭୋଟ ବ୍ୟବଧାନରେ ପରାଜିତ ହୋଇଥିଲେ। ସେହି ନିର୍ବାଚନରେ ୩,୭୨,୦୫୨ ଖଣ୍ଡ ଭୋଟ ପାଇଥିଲେ ସୁବାସ ଚୌହାନ।

ଏହାପରେ ୨୦୧୯ ସାଧାରଣ ନିର୍ବାଚନରେ ବିଜେପି ତାଙ୍କୁ ଟିକେଟ ଦେଇ ନଥିଲା। ତାଙ୍କ ବଦଳରେ ସୁରେଶ ପୂଜାରୀଙ୍କୁ ଟିକେଟ ଦିଆଯାଇଥିଲା। ସୁବାସଙ୍କୁ ବିଜେପୁର ବିଧାନସଭା ଆସନରୁ ପ୍ରାର୍ଥୀ ହେବାକୁ ଦଳ ପକ୍ଷରୁ କୁହାଯାଇଥିଲା। ସେହି ଆସନରୁ ବିଜେଡ଼ି ପକ୍ଷରୁ ସୁପ୍ରିମୋ ନବୀନ ପଟ୍ଟନାୟକ ପ୍ରାର୍ଥୀ ହୋଇଥିଲେ। ଲୋକସଭା ଟିକେଟ ପାଇବାରୁ ବଞ୍ଚିତ ହେବା ପରେ ସେ ବିଜେପୁର ବିଧାନସଭା ପାଇଁ ମନା କରିଦେଇଥିଲେ। ପରେ ୨୭ ମାର୍ଚ୍ଚ ୨୦୧୯ରେ ସେ ବିଜେଡିରେ ମିଶି ଯାଇଥିଲେ।

ସୁବାସ ଚୌହାନ ବିଜେଡିକୁ ଆସିବା ବେଳକୁ ସେତବେଳେ ବିଜେଡି ବରଗଡ଼ ଲୋକସଭା ଆସନ ପାଇଁ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ପ୍ରାର୍ଥୀ କରିସାରିଥିଲା। ତେଣୁ ସେ ବରଗଡ଼ ଲୋକସଭା ଆସନ ପାଇଁ ବିଜେଡି ପାଇଁ ପ୍ରଚାର କରିଥିଲେ। ବିଜେପିରେ ଥିଲା ବେଳେ ସେ ଜଣେ ଟାଣୁଆ ନେତା ଥିଲେ। ତେଣୁ ବିଜେଡି ତାଙ୍କୁ ପ୍ରଚାର ମୈଦାନକୁ ଓହ୍ଲାଇଥିଲା।

ସେହିପରି ବିଜେପୁର ଆସନରୁ ନବୀନ ଇସ୍ତଫା ଦେବା ପରେ ବିଜେପୁରରେ ଉପନିର୍ବାଚନ ପାଇଁ ବିଗୁଲ ବାଜିଥିଲା। ବିଜେଡିରୁ କିଏ ପ୍ରାର୍ଥୀ ହେବ ତାକୁ ନେଇ ଚାଲିଥିଲା ଅଙ୍କକଷା। ସେହି ସମୟରେ ସୁବାସ ଚୌହାନଙ୍କ ନାଁ ମଧ୍ୟ ଏହି ରେସ୍‌ରେ ରହିଥିଲା। ହେଲେ ବିଜେଡି ସେଠାରେ ରିତା ସାହୁଙ୍କୁ ପ୍ରାର୍ଥୀ କରିଥିଲା। ଏହା ପୂର୍ବରୁ ବିଜେଡି କିନ୍ତୁ ସୁବାସ ଚୌହାନଙ୍କୁ ଥଇଥାନ ପାଇଁ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ କରିଥିଲା।

Comment