ଓଡ଼ିଶାଲାଇଭ୍‌ ବ୍ୟୁରୋ

ଅନେକ ଧାର୍ମିକ କଥାବସ୍ତୁରେ ଆମେ ପର୍ଶୁରାମ ଓ ତାଙ୍କ ଫାର୍ଶା ବିଷୟରେ ଶୁଣିଥିବୁ। ହେଲେ ଜାଣିଛନ୍ତି କି ସେହି ଫାର୍ଶା ଆଜି ଯାଏଁ ପୃଥିବୀ ପୃଷ୍ଠରେ ରହିଛି। ଏକ ପାହଡ଼ ଉପରେ ଥିବା ମନ୍ଦିରରେ ପର୍ଶୁରାମଙ୍କ ଫାର୍ଶା ରହି ଥିବା ଦାବି କରାଯାଉଛି। ନିଜେ ପର୍ଶୁରାମ ଏହିଠାରେ ଫାର୍ଶାକୁ ପୋତିଥିଲେ ବୋଲି ବିଶ୍ଵାସ କରାଯାଏ।

ଝାଡ଼ଖଣ୍ଡର ରାଜଧାନୀ ରାଞ୍ଚିଠାରୁ ୧୫୦ କିଲୋମିଟର ଦୂରରେ ରହିଛି ଗୁମଲା ଜିଲ୍ଲା। ଯେଉଁଠି ଏକ ପାହାଡ଼ ଉପରେ ଥିବା ଟାଙ୍ଗିନାଥ ଧାମ ମନ୍ଦିରରେ ଏହି ଫାର୍ଶା ରହିଛି। ଏହି ଫାର୍ଶା ଖୋଲା ଆକାଶ ତଳେ ରହିଛି, ହେଲେ ଆଜିଯାଏଁ କେବେବି ଏହି ଫାର୍ଶାରେ କଳଙ୍କି ଲାଗି ନାହିଁ।

ଭଗବାନ ପର୍ଶୁରାମଙ୍କ ଫାର୍ଶା ଏଠାରେ ରହିବା ପଛରେ ଏକ ପୌରାଣିକ କାହାଣୀ ରହିଛି। କୁହାଯାଏ ଯେ ଯେତେବେଳେ ତ୍ରେତୟା ଯୁଗରେ ମାତା ସୀତାଙ୍କର ସ୍ଵୟଂବର ହେଉଥିଲା। ସେହି ସମୟରେ ଭଗବାନ ରାମ ଶିବ ଧନୁ ଭାଙ୍ଗିଥିଲେ। ଏହା ପର୍ଶୁରାମ ଜାଣିବା ପରେ ଭଗବାନ ରାମଙ୍କୁ ରାଗରେ ବହୁତ କଥା କହିଥିଲେ।

ହେଲେ ପର୍ଶୁରାମ ପରେ ଜାଣିବାକୁ ପାଇଥିଲେ ଭଗବାନ ରାମ ବିଷ୍ଣୁଙ୍କ ଅବତାର। ଏହା ଜାଣିବା ପରେ ନିଜ ଭୁଲକୁ ସୁଧାରିବାକୁ ସେ ଜଙ୍ଗଲ ଭିତରେ ଚାଲିବା ଆରମ୍ଭ କଲେ ଓ ଏକ ପାହାଡ଼ ଉପରେ ଚଢ଼ି ନିଜ ଫାର୍ଶାକୁ ସେହିଠାରେ ପୋତି ତପସ୍ଵା କରିଥିଲେ। ସେହି ଜାଗା ହେଉଛି ଟାଙ୍ଗିନାଥ ଧାମ।

ଟାଙ୍ଗିନାଥ ଧାମରେ ​​ଶହ ଶହ ଶିବଲିଙ୍ଗ ଏବଂ ପ୍ରାଚୀନ ପ୍ରତିମା ମଧ୍ୟ ଅଛି ଏବଂ ତାହା ମଧ୍ୟ ଖୋଲା ଆକାଶ ତଳେ। କୁହାଯାଏ ଯେ ୧୯୮୯ ମସିହାରେ ପ୍ରତ୍ନତତ୍ତ୍ୱ ବିଭାଗ ଏଠାରେ ଖନନ କରିଥିଲା, ଯେଉଁଥିରେ ହୀରା ମୁକୁଟ ଏବଂ ସୁନା-ରୂପା ଅଳଙ୍କାର ସମେତ ବହୁ ମୂଲ୍ୟବାନ ଜିନିଷ ମିଳିଥିଲା। ଖନନରୁ ମିଳିଥିବା ଜିନିଷଗୁଡ଼ିକ ବର୍ତ୍ତମାନ ପର୍ଯ୍ୟନ୍ତ ଡୁମ୍ରି ପୋଲିସ ଷ୍ଟେସନ ଷ୍ଟୋର୍‌ରେ ରଖାଯାଇଛି।

Comment